ଆର୍ଥିକ ସ୍ୱଚ୍ଛଳରେ ଲଘୁ ଉଦ୍ୟୋଗ


ଲଘୁ ଉଦ୍ୟୋଗଗୁଡ଼ିକୁ ସମର୍ଥନ ଓ ପ୍ରୋତ୍ସାହନ ଦେବା ଉଦେ୍ଦଶ୍ୟରେ ପ୍ରତି ବର୍ଷ ଅଗଷ୍ଟ ୩୦ରେ ପାଳନ କରାଯାଏ ଲଘୁ ଉଦ୍ୟୋଗ ଦିବସ । ଲଘୁ, ମଧ୍ୟମ ଓ ବୃହତ୍ ସ୍ତରୀୟ ଉଦ୍ୟମର ସନ୍ତୁଳିତ ବୃଦ୍ଧି ଦିଗରେ ଏହି ଦିବସ ଗୁରୁତ୍ୱ ପ୍ରଦାନ କରେ । ଏଥିସହ ରାଜ୍ୟର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ନୂଆ ଉଦ୍ୟୋଗ ସ୍ଥାପନା ଦିଗରେ ମଧ୍ୟ ସାହାଯ୍ୟ କରେ । ରାଜ୍ୟର ପ୍ରତି ଜିଲ୍ଲାରେ ଉଦ୍ୟୋଗ ସ୍ଥାପନ ଓ ଗାଁ ଗାଁର ଆର୍ଥିକ ବିକାଶ ନିମନ୍ତେ ଏହି ଦିବସ ଆହ୍ୱାନ ଦିଏ । ଆର୍ଥିକ ସ୍ୱଚ୍ଛଳ ହେବାକୁ ଲଘୁ ଉଦ୍ୟୋଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କ୍ଷୁଦ୍ର ତଥା ନୂଆ ଉଦ୍ୟମଗୁଡ଼ିକର ପ୍ରୋତ୍ସାହନକୁ ଦୃଷ୍ଟିରେ ରଖି ସରକାରୀ ଏଜେନ୍ସି ସ୍ଥାପନା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ, ଯାହା କ୍ଷୁଦ୍ରମାନର ଉଦ୍ୟୋଗକୁ ସାହାଯ୍ୟ କରିବ ।
ଓଡ଼ିଶାରେ ନୂଆ ଡବଲ ଇଞ୍ଜିନ ସରକାର ରାଜ୍ୟ ପାଇଁ ନାନା ବିକାଶର ଢ଼େର ସମ୍ଭାବନା ସୃଷ୍ଟି କରିଛି । ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଆହୁରି ଆଗେଇବାକୁ ଏକ ରକମର ମଞ୍ଚ ପ୍ରସ୍ତୁତ ହୋଇସାରିଛି । ବାହାରର ନାମିଦାମୀ ଓ ବିଶ୍ୱ ପ୍ରସିଦ୍ଧ ଶିଳ୍ପୋଦ୍ୟୋଗୀମାନେ  ରାଜ୍ୟରେ ବଡ଼ ବଡ଼ ଉଦ୍ୟୋଗ ତିଆରି ପାଇଁ ଆଗ୍ରହୀ । ରାଜ୍ୟର ଆଗାମୀ ପୂର୍ଣ୍ଣାଙ୍ଗ ବଜେଟରେ ଦଳ ନିର୍ବାଚନୀ ଇସ୍ତାହାରର ଘୋଷଣାନାମାକୁ ବାସ୍ତବ ରୂପାୟନ କରିପାରିଛି । ଚାଷବାସ କ୍ଷେତ୍ର ଠାରୁ ମହିଳା ସଶକ୍ତିକରଣ, ସଡ଼କ ଭିତ୍ତିଭୂମି ଠାରୁ ଉପକୂଳ ଅର୍ଥନୀତି, ଗମନା ଗମନ କ୍ଷେତ୍ରର ଦୃଢ଼ ଉନ୍ନତ ପ୍ରସସ୍ଥି କରଣ ସହ ଓଡ଼ିଶାରେ ବିଶେଷକରି ଖୁଚୁରା ମୁଦ୍ରାସ୍ପୀତି ନିୟନ୍ତ୍ରଣ ଏହିପରି ଅନେକ ବଡ଼ ଆହ୍ୱାନକୁ ସାମ୍ନା କରିବାରେ ସଫଳତାର ପାହାଚରେ ଆଗେଇ ଚାଲିଛନ୍ତି ଓଡ଼ିଶାର ନୂଆ ସରକାର । 
ସମୃଦ୍ଧ ଓଡ଼ିଶା, ଦ୍ରୁତ ଅଭିବୃଦ୍ଧିସମ୍ପନ୍ନ ପ୍ରଗତିର ଓଡ଼ିଶାରେ ବିଶେଷକରି ରାଜ୍ୟରେ ଖଣିଜ ସମ୍ପଦର ଭରପୁର ଉପଯୋଗକରି ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଯେଉଁ ସ୍ୱତନ୍ତ୍ରତା ରହିଛି ତାହା ହିଁ ଓଡ଼ିଶା ପ୍ରତି ଶିଳ୍ପପତିଙ୍କ ଆକର୍ଷଣର କାରଣ । ଏମିତିରେ ଇସ୍ପାତ କାରଖାନା କ୍ଷେତ୍ରରେ ରାଜ୍ୟରେ ସୁପ୍ରସିଦ୍ଧ ଖ୍ୟାତନାମା ଟାଟା ଷ୍ଟିଲ ଠାରୁ ଜିନ୍ଦଲ ଷ୍ଟେନଲେସ ଲିମିଟେଡ, ସେଲ ଠାରୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ନିଜର ଭିତ୍ତିଭୂମି ଦୃଢ଼ କରିପାରିଛନ୍ତି । ପ୍ରକୃତରେ ଭାରତର ଅଧା ଖଣିଜ ପଦାର୍ଥ କେବଳ ଓଡ଼ିଶାରୁ ହିଁ ଉତ୍ପାଦିତ ହୋଇଥାଏ । ୨୦୧୯-୨୦ର ଆର୍ଥିକ ବର୍ଷକୁ ଦେଖିଲେ ଏହି ଉତ୍ପାଦନ ଥିଲା ୪୩% । ୨୦୨୨ର ସର୍ବଶେଷ ତଥ୍ୟ ଅନୁଯାୟୀ ବିଗତ ଛଅଟି ଆର୍ଥିକ ବର୍ଷରେ ଇଣ୍ଡିଆ ରେଟିଙ୍ଗସର ପରିସଂଖ୍ୟନ ତଥ୍ୟ ଅନୁଯାୟୀ ଏହା ଦ୍ୱିଗୁଣିତ ହୋଇଛି । ଓଡ଼ିଶା ସହିତ ମଧ୍ୟପ୍ରଦେଶ ଏହି ସମାନ ତାଲିକାରେ ସଫଳତା ପାଇଛନ୍ତି । ୨୦୧୨-୧୩ରେ ରାଜ୍ୟର ମୁଣ୍ଡପିଛା ଆୟ ୪୯୨୨୭ ଟଙ୍କା ଥିଲା । ୨୦୨୨-୨୩ ସୁଦ୍ଧା ତାହା ତିନିଗୁଣା ବୃଦ୍ଧି ପାଇ ୧.୫୧ ଲକ୍ଷ ଟଙ୍କା ହୋଇଛି । ବାର୍ଷିକ ୧୧.୮୪ ପ୍ରତିଶତ ହାରରେ ମୁଣ୍ଡପିଛା ଆୟରେ ବୃଦ୍ଧି ହୋଇଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ତଥ୍ୟରୁ ଜଣାପଡ଼ିଛି । ନୀତି ଆୟୋଗର ଏକ ରିର୍ପୋଟ ଅନୁସାରେ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ୬୨ ଲକ୍ଷରୁ ଅଧିକ ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ଓଡ଼ିଶା ଏକ ରାଜସ୍ୱ ବଳକା ରାଜ୍ୟ ହୋଇ ରହିଛି । ଏଭଳି ସ୍ଥିତିରେ ଥିବା ଏହି ରାଜ୍ୟକୁ ଆହୁରି ଉପରକୁ ନେଇ ପୂର୍ବ ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାର ସୁଯୋଗ ନୂଆ ସରକାରଙ୍କ ପାଖରେ ରହିଛି । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଁଥିବା ବିଜେପି ସରକାର ଓଡ଼ିଶାକୁ ଏକ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଉଦ୍ୟମ କରିପାରିବେ । ରାଜ୍ୟରେ ଥିବା ସୁବିସ୍ତୃତ ବେଳାଭୂମିରୁ ଲାଭ ଓଡ଼ିଶା ପାଇବ ଏବଂ ଓଡ଼ିଶାରେ ସାଗରମାଳା ପ୍ରକଳ୍ପ ଆହୁରି ବେଗବାନ ହେବ । ପୂର୍ବରୁ ମତ୍ସ୍ୟ ଚାଷୀଙ୍କୁ କିଶାନ କ୍ରେଡିଟ କାର୍ଡ଼ ଓ ବୋଟର ଆଧୁନିକୀକରଣ ପାଇଁ କିଶାନ କ୍ରେଡ଼ିଟ କାର୍ଡ଼ର ବ୍ୟବସ୍ଥା କେନ୍ଦ୍ର ମତ୍ସ୍ୟଚାଷ ମନ୍ତ୍ରଣାଳୟ ଜରିଆରେ ବଣ୍ଟନ କରାଯାଉଛି । ଏଥିରେ ରାଜ୍ୟର ମତ୍ସ୍ୟଚାଷୀ ଉପକୃତ ହେବାସହ କୋଷ୍ଟାଲ ସର୍କିଟ ସ୍କିମ ଅଧୀନରେ ରାଜ୍ୟ ଲାଭବାନ ହେବ । ସେ ସମୟରେ ମୋଦିଜୀ ଓଡ଼ିଶାର ଲୋକମାନେ ପ୍ରାକୃତିକ ସମ୍ପଦରେ ଭରପୁର ଥାଇ ମଧ୍ୟ ଏବେ ବି ଗରିବ ହୋଇ ରହିଥିବାରୁ ବିଜେପି ସରକାର ଏମାନଙ୍କ ସ୍ଥିତି ବଦଳାଇବା ପାଇଁ କାର୍ଯ୍ୟ କରିବାର ପ୍ରତିଶ୍ରୁତି ପାଳନର ସମୟ ପହଞ୍ଚôଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଲାଗି ୪୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ସେଥିରେ ରାଜ୍ୟର ଅଭିବୃଦ୍ଧି ୭.୨୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା । ନୂଆ ସରକାର ଯେଉଁ ପୂର୍ଣ୍ଣାଙ୍ଗ ବଜେଟ ଆଣିବେ ସେଥିରେ ନିର୍ବାଚନ ସମୟ ପ୍ରତିଶ୍ରୁତିର ପ୍ରତିଫଳନ ରହିବ । ବିଜେପି ପକ୍ଷରୁ ନିର୍ବାଚନ ଇସ୍ତାହାରରେ ୨.୧୫ ଲକ୍ଷ ସରକାରୀ ପଦ ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା । ଏଥି ସହିତ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଯାହା କେବଳ ପ୍ରତିଶ୍ରୁତି ନୁହେଁ କାର୍ଯ୍ୟରେ ପରିଣତ ହେବାକୁ ଯାଉଛି । ଧାନ ପାଇଁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଦେବାର ପ୍ରତିଶ୍ରୁତିକୁ ଯଦି ବିଜେପି ପାଳନ କରିବ ତେବେ ରାଜ୍ୟର ଚାଷୀ ବର୍ଗ ଉପକୃତ ହେବେ । କେନ୍ଦ୍ରର ଆୟୁଷ୍ମାନ ଭାରତ, ପିଏମ କିଷାନ ସମ୍ମାନ ନିଧି ଲାଗି ଅଧିକ ବ୍ୟୟ ବରାଦ କରାଯିବ ।
ନୂଆ ଅଭିବୃଦ୍ଧି ଓ ବିକଶିତ ଓଡ଼ିଶା ଗଠନରେ ରାଜ୍ୟବାସୀ ବିଜେପିର ଡବଲ ଇଞ୍ଜିନ ସରକାରଙ୍କ ଠାରୁ ଢ଼େର ଆଶା, ଇଛା ଓ ସଂକଳ୍ପ ରଖିବା ସ୍ୱାଭାବିକ । ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି ହେଉ, ଓଡ଼ିଆ ପୁଅଟି ନିଜ ଗୋଡ଼ରେ ଛିଡ଼ା ହେବାର ସାମର୍ଥ୍ୟ ନିଜ ଜନ୍ମମାଟିରେ ରଖି ପ୍ରଗତିର ନୂଆ ଓଡ଼ିଶାରେ ନିଜ ପରିଚୟ ସୃଷ୍ଟି କରିବାରେ ବିଶେଷକରି ଯୁବ ବର୍ଗ ଓ ଯୁବ ଉଦ୍ୟୋଗୀମାନେ ସମର୍ଥ ହୁଅନ୍ତୁ ଲଘୁ ଉଦ୍ୟୋଗ ଦିବସ ଅବସରରେ ଏହି କାମନାଟି କୋଟି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ମୁଁ ରଖୁଛି । 
ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର 
ମୋ : ୮୯୨୬୨୮୧୭୦୭