ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ : ବେସାମରିକ ସ୍ୱେଚ୍ଛାସେବୀ ବୃଦ୍ଧିକୁ ଗୁରୁତ

 ଭୁବନେଶ୍ୱର : ଖାରବେଳ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଏକ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବଜେଟ୍ ପ୍ରାବଧାନ ଅନୁସାରେ ରାଜ୍ୟ ସରକାରଙ୍କ ବିଭିନ୍ନ ନୂତନ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରାଯାଇଥିଲା । ଗ୍ରୀଷ୍ମ ପ୍ରବାହ ଯୋଗୁ ପାନୀୟଜଳ ସମସ୍ୟା ଭୋଗୁଥିବା ଜିଲ୍ଲାକୁ ଅଗ୍ରାଧିକାର ଦିଆଯାଇ ଏହାର ସମାଧନ କରିବା ସମ୍ପର୍କରେ ଆଲୋଚନା କରାଯାଇଛି । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖୋଲାଯାଇଥିବା ଜଳଛତ୍ର ଯେପରି ଠିକ୍ ଭାବେ କାର୍ଯ୍ୟକ୍ଷମ ହୁଏ, ସେଥିପ୍ରତି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ, ସରକାରୀ କର୍ମଚାରୀଙ୍କ ପାଇଁ ଜନ ଶୁଣାଣି ପୋର୍ଟାଲ ବ୍ୟବସ୍ଥା, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲାଗସ୍ତ ପର୍ଯ୍ୟବେକ୍ଷଣ ସମେତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଭାବେ ରାଜ୍ୟରେ ବେସାମରିକ ସ୍ୱେଚ୍ଛାସେବୀଙ୍କ ସଂଖ୍ୟାକୁ କିପରି ବୃଦ୍ଧି କରାଯାଇ ପାରିବ ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଥିଲା ।
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା  ଓ ୨୦୪୭ ସୁଦ୍ଧା  ବିକଶିତ ଭାରତ  ଭିଜନ  ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ବିଭାଗମାନେ  ସାମଗ୍ରିକ ନିଷ୍ପତ୍ତି ନେବାର ଆବଶ୍ୟକତା ସଂପର୍କରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନଙ୍କର  ଜିଲ୍ଲାଗସ୍ତ  ପର୍ଯ୍ୟବେକ୍ଷଣ ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥାପନ କରିଥିଲେ  ଏବଂ ଏ  ସଂପର୍କିତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ  ନିମନ୍ତେ ଆଲୋଚନା କରାଯାଇଥିଲା । ସେହିପରି ରାଜ୍ୟରେ ଅଧିକରୁ ଅଧିକ ବେସାମରିକ ସୁରକ୍ଷା ସ୍ୱେଚ୍ଛାସେବୀ (ସିଭିଲ ଡିଫେନ୍ସ ଭଲୁ୍ୟଣ୍ଟିୟର) ଯୋଗଦାନ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନକୁ କିପରି ଆହୁରି ସୁଦୃଢ଼ କରାଯିବ ଏବଂ ବର୍ତ୍ତମାନର କ’ଣ ସ୍ଥିତି ରହିଛି ସେ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ  ତଥ୍ୟ ଉପସ୍ଥାପନା କରିଥିଲେ । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବିଭାଗୀୟ ସଚିବମାନେ ଯୋଗ ଦେଇଥିଲେ ।