ଇତିହାସ ରଚିଲେ ମୈଥିଲୀ ଠାକୁର : ଜେଲରୁ ଜିତିଲେ ଅନନ୍ତ ସିଂହ
ପାଟନା : ପଚିଶ ବର୍ଷୀୟ ଲୋକ ଗାୟିକା ତଥା ବିଜେପି ପ୍ରାର୍ଥୀ ମୈଥିଲୀ ଠାକୁର ବିହାର ନିର୍ବାଚନରେ ଇତିହାସ ରଚିଛନ୍ତି । ଦରଭଙ୍ଗାର ଆଲିନଗରରୁ ପ୍ରତିଦ୍ୱନ୍ଦ୍ୱିତା କରି ଆରଜେଡି ହେଭିୱେଟ୍ ବିନୋଦ ମିଶ୍ରଙ୍କୁ ହରାଇ ନୂତନ ବିହାର ବିଧାନସଭାର ସବୁଠାରୁ ଯୁବ ସଦସ୍ୟା ହେବାର ଗୌରବ ଅର୍ଜନ କରିଛନ୍ତି । ମିଥିଲି ଅଞ୍ଚଳର ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ପଡୋଶୀ ମଧୁବନୀ ଜିଲ୍ଲାର ବେନିପଟ୍ଟିରୁ ଆସିଥିବା ଠାକୁର ଭାରତୀୟ ଶାସ୍ତ୍ରୀୟ ଓ ଭକ୍ତି ସଙ୍ଗୀତରେ ତାଲିମପ୍ରାପ୍ତ । ବିହାର ନିର୍ବାଚନ ପାଇଁ ଦଳ ୭୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିବା ପରେ ସେ ଅକ୍ଟୋବରରେ ବିଜେପିରେ ଯୋଗ ଦେଇଥିଲେ । ଆଲିନଗର ଏକ ବ୍ରାହ୍ମଣ-ପ୍ରଧାନ ନିର୍ବାଚନମଣ୍ଡଳୀ ଯେଉଁଠାରେ ମୁସଲମାନ, ଯାଦବ ଓ ମଲ୍ଲାହ ଏବଂ ପାସୱାନ ଭଳି ଅତ୍ୟନ୍ତ ପଛୁଆ ବର୍ଗର ଜନସଂଖ୍ୟା ବହୁତ ଅଧିକ । ଏଠାରେ ଠାକୁରଙ୍କ ବିଜୟ ମଧ୍ୟ ବିଜେପି ପାଇଁ ଐତିହାସିକ ହୋଇଛି । କାରଣ ପୂର୍ବରୁ ଏହି ଆସନ ବିଜେପି ଜିତିନାହିଁ ।
ଏପର୍ଯ୍ୟନ୍ତ ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟକ ସ୍ୱାଧୀନ ପ୍ରାର୍ଥୀ ତୌସିଫ ଆଲମ ଥିଲେ, ଯିଏ ୨୦୦୫ରେ ୨୬ ବର୍ଷ ବୟସରେ ନିର୍ବାଚିତ ହୋଇଥିଲେ ।ତାଙ୍କ ପରେ ଆରଜେଡିର ତେଜସ୍ୱୀ ଯାଦବ ଥିଲେ, ଯିଏ ୨୦୧୫ରେ ସମାନ ବୟସରେ ବିଧାନସଭାକୁ ପ୍ରବେଶ କରିଥିଲେ । ସେହିପରି ଜନ ସୁରାଜ ପାର୍ଟି (ଜେଏସ୍ପି) ସମର୍ଥକଙ୍କ ହତ୍ୟା ମାମଲାରେ ଗିରଫ ହେବା ପରେ ବର୍ତ୍ତମାନ ଜେଲରେ ଥିବା ଜନତା ଦଳ (ୟୁନାଇଟେଡ୍) ନେତା ଅନନ୍ତ ସିଂହ ମୋକାମାରେ ୨୮,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ଏକ ଚମତ୍କାର ବିଜୟ ହାସଲ କରିଛନ୍ତି । ଅନନ୍ତ ସିଂହ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ବୀଣା ଦେବୀଙ୍କୁ ପରାସ୍ତ କରିଛନ୍ତି । ବୀଣା ଦେବୀ ଅନନ୍ତ ସିଂହଙ୍କ ପ୍ରତିଦ୍ୱନ୍ଦ୍ୱୀ ‘ବାହୁବଳୀ' ସୁରଜଭାନ ସିଂହଙ୍କ ପତ୍ନୀ । ନଭେମ୍ବର ୨ରେ ଅନନ୍ତ ସିଂହଙ୍କୁ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଦୁଲାର ସିଂହ ଯାଦବଙ୍କ ହତ୍ୟା ମାମଲାରେ ଗିରଫ କରାଯାଇଥିଲା । ପ୍ରଶାନ୍ତ କିଶୋରଙ୍କ ଜନତା ସେବା ପାର୍ଟି (ଜେଏସ୍ପି)ରୁ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରିୟଦର୍ଶୀ ପୀୟୁଷଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।