ଇ-ଟେକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୋତ୍ସବ : ‘ନିଷ୍ଠାପର ଉଦ୍ୟମ ଓ ଦୃଢ ଆତ୍ମବିଶ୍ୱାସ ହିଁ ସଫଳତାର ମୂଳମନ୍ତ୍ର’
ଢେଙ୍କାନାଳ: ଢେଙ୍କାନାଳ ସହର ଉପକଣ୍ଠ ମଙ୍ଗଳପୁର ସ୍ଥିତ ଇ-ଟେକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୬ତମ ବାର୍ଷିକ ଉତ୍ସବ ଓ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଇ-ଟେକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁରେଶ୍ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାନିକେତନ ଚାରିଟେବୁଲ୍ ଟ୍ରଷ୍ଟର ସଭାପତି ସୁପ୍ରଭା ଶତପଥି ଏବଂ ସମ୍ପାଦିକା ସାଗରବାଳା ହୋତା ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ୨୦୨୪ ମସିହା ଯୁକ୍ତ ଦୁଇ କାଉନ୍ସିଲ୍ ପରୀକ୍ଷାରେ ଅନୁଷ୍ଠାନର ଛାତ୍ରୀ ଉତ୍ପର୍ଣ୍ଣା ଶତରୂପା ୫୬୫ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ଏବଂ ରାଜ୍ୟରେ ଚତୁର୍ଥ ସ୍ଥାନ ହାସଲ କରି ଅନୁଷ୍ଠାନ ପକ୍ଷରୁ "ପଠାଣୀ ସାମନ୍ତ ସମ୍ମାନ’ ରେ ସମ୍ମାନିତ ହୋଇଥିବା ବେଳେ ବିଦ୍ୟାଳୟର ଛାତ୍ର ସ୍ୱାଧୀନ କର ଗଣିତ ବିଭାଗରେ ୧୦୦ ନମ୍ବର ରଖି ଯଥାକ୍ରମେ ‘ଆର୍ଯ୍ୟଭଟ୍ଟ ସମ୍ମାନ’ରେ ସମ୍ମାନିତ ହୋଇଥିଲେ । ସେହିପରି ଇ-ଟେକ୍ ର ଛାତ୍ରୀ ମୋନାଲିସା ସାହୁ ୫୬୩ ନମ୍ବର ରଖି ଏବଂ ନତାଶା ସାହୁ ୫୬୦ ନମ୍ବର ରଖି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ସେହିପରି ଇ-ଟେକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ସାହୁ ଓ ବର୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ସର୍ବାଧିକ ନମ୍ବର ରଖି ଯୁଗ୍ମ ଭାବେ "ଲୀଳାବତି ସମ୍ମାନ’ରେ ସମ୍ମାନିତ ହୋଇଥିଲେ । ତତ୍ସହିତ +୨କାଉନ୍ସିଲ୍ ପରୀକ୍ଷାରେ ଶତ ପ୍ରତିଶତ ନମ୍ୱର ରଖିଥିବା ପଦାର୍ଥ ବିଜ୍ଞାନର ୮ଜଣ, ରସାୟନ ବିଜ୍ଞାନର ୭ ଜଣ, ଉଭିଦ ବିଜ୍ଞାନର ୩ ଜଣ, ପ୍ରାଣୀ ବିଜ୍ଞାନର ୫ ଜଣ, ଇଲେକ୍ଟ୍ରୋନିକ୍ସ ବିଭାଗରେ ଜଣେ ଏବଂ ମାତୃଭାଷା, ଇଂରାଜୀ ବିଭାଗରେ ସର୍ବୋଚ୍ଚ ନମ୍ୱର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର, ଟ୍ରଫି, ପୁଷ୍ପଗୁଚ୍ଛ ଏବଂ ନଗଦ ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଦୃଢ ଆତ୍ମ ବିଶ୍ୱାସ ଏବଂ ନିଷ୍ଠାପର ଉଦ୍ୟମ ହିଁ ସଫଳତାର ମୂଳମନ୍ତ୍ର । ଜ୍ଞାନ ପିପାସୁ ହୋଇ ଜ୍ଞାନ ଆହରଣ କଲେ ଭବିଷ୍ୟତରେ ଜଣେ ସଫଳ ନାଗରିକ ହୋଇପାରିବ ବୋଲି ଅଧ୍ୟକ୍ଷ ଡଃ ସୁରେଶ ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଉତ୍ସବରେ ଇ-ଟେକ୍ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସାରଦା ପ୍ରସାଦ ମହାନ୍ତି ଏବଂ ଇ-ଟେକ୍ ର ଉପାଧ୍ୟକ୍ଷ ଅନୀଲ୍ କୁମାର ଗଚ୍ଛାୟତ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଭଲ ମଣିଷ ହୋଇ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଅନୁଷ୍ଠାନର ଚଳିତ ବର୍ଷର ବାର୍ଷିକ କ୍ରୀଡ଼ାରେ ସଫଳ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା । ବାଳିକା ବିଭାଗରେ ଶକ୍ତି ଜାହ୍ନବୀ ଏବଂ ବାଳକ ବିଭାଗରେ ରୁଦ୍ର ପ୍ରସାଦ ଚାମ୍ପିୟାନ ଟ୍ରଫି ଗ୍ରହ ଗ୍ରହଣ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।