ଉଦ୍ଘାଟିତ ହେଲା ବିଭିନ୍ନ ପ୍ରକଳ୍ପ
ନୀଳଗିରି: ନୀଳଗିରି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଗୁଡିକର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଅଯୋଧ୍ୟା ଠାରେ ଜାତୀୟ କୃଷି ବଜାର ଇ-ନାମକ କାର୍ଯ୍ୟାଳୟକୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆଙ୍କ କରକମଳରେ ଶୁଭ ଉଦ୍ଘାଟନ କରାଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ଓଡିଶା କୃଷି ପରିଷଦ ଭୁବନେଶ୍ୱର ଡିଜିଏମ ଦମୟନ୍ତି ସିଂ, ବାଲେଶ୍ୱର ଉପନିବନ୍ଧକ ବାଲେଶ୍ୱର ସମବାୟ ସମିତି ସମୂହ ଅଧିକାରୀ ସରୋଜିନୀ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ରଞ୍ଜିତା ସିଂ, ନୀଳଗିରି ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷା ତଥା ସ୍ଥାନୀୟ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ସ୍ଥାନୀୟ ସରପଞ୍ଚ ତାରିଣୀ ସିଂ, ସମିତି ସଭ୍ୟା ସୁକଦେବ ସିଂ, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ସାଂସଦ ପ୍ରତିନିଧି କରୁଣାକର ପଣ୍ଡା ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାଧାରଣ ଜନତା ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷା ତଥା ସ୍ଥାନୀୟ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଅଧ୍ୟକ୍ଷତା କରିଥିବାବେଳେ ନିୟନ୍ତ୍ରିତ ବଜାର କମିଟିର ସଂପାଦକ ସୁକାନ୍ତ ପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ କରିଥିଲେ । ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ସାରା ଦେଶରେ ୧୮ଗୋଟି ରାଜ୍ୟରେ ୩୬୦୦ ବ୍ୟବସାୟିକ କ୍ଷେତ୍ରରେ ଇ-ନାମକ ମାଧ୍ୟମରେ ସାମିଲ ହୋଇଥିବା କୃଷିଜାତ ଦ୍ରବ୍ୟରେ ଉଚିତ୍ ମୂଲ୍ୟ ପାଇଁ ଲାଭବାନ ହେବା ସମ୍ପର୍କରେ ଅବଗତ କରାଇଥିଲେ । ପରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭିଜନ ୨୦୪୭ କେନ୍ଦ୍ର ସରକାରଙ୍କ ଆହ୍ୱାନ ସବ୍ କା ବିକାଶ ଦେଶ କା ବିକାଶ ଇ-ନାମର ଆଭିମୁଖ୍ୟକୁ ଉଦାହରଣ ସ୍ୱରୁପ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ ।