ପାହାଡ଼ରୁ ମିଳିଲା ବହୁପୁରାତନ ଦେବୀ ମୂର୍ତ୍ତି
ନୀଳଗିରି: ପାହାଡ ବଣଜଙ୍ଗଲ ମୂଳକ ନୀଳଗିରି । କେଉଁଠି ପର୍ବତ କନ୍ଦରରୁ ଝରି ଆସୁଥିବା ଚିରସ୍ରୋତା ଝରଣା ଜଳର ପଥରକୋରଡ ମଧ୍ୟରେ ବାବା ସଦାଶିବଙ୍କ ବାସସ୍ଥାନ ତ କେଉଁଠି ବଣଜଙ୍ଗଲ ମଧ୍ୟରେ ଦେବୀଙ୍କ ଆସ୍ଥାନ । ପ୍ରତିକୋଣ ଅନୁକୋଣରେ ବାରି ହୋଇପଡେ ଦେବସତ୍ତା । ସୋନନଦୀ କୂଳ ଅଯୋଧ୍ୟା ଠାରେ ବିଭିନ୍ନ ସମୟରେ ଠାବ ହୋଇଛି ବହୁପୁରାତନ ବୌଦ୍ଧ କୀର୍ତ୍ତିରାଜି ସହ ଅନ୍ୟାନ୍ୟ ଭଗ୍ନମୂର୍ତ୍ତି । ତେଣୁ ହରପ୍ପା, ମହେଞ୍ଜଦାର ସଭ୍ୟତା ସମୟର ନୀଳଗିରିର ପ୍ରାଚୀନ ସଭ୍ୟତା ଗଢି ଉଠିଥିବା ବହୁ ପୁରାତତ୍ୱବିଜ୍ଞାନୀଙ୍କ ମତ ରହିଛି । ଏଭଳି ସଭ୍ୟତାର ସତ୍ୟତା ପ୍ରତିପାଦନରେ ଆଉ ଏକପାଦ ଦେଖିବାକୁ ମିଳିଛି ନୀଳଗିରି ବ୍ଲକ୍ ସଜନାଗଡ ପଞ୍ଚାୟତ ଭାଲୁକାଶୁଣି ଅନ୍ତର୍ଗତ ଆମ୍ବଝର ନିକଟସ୍ଥ କିଛି ବଦାନ୍ୟବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଇଥିବା ପ୍ରାୟ ୨ଏକର ପରିମିତ ପାହାଡି ଜାଗାରେ ଗଢିଉଠିଥିବା "ଶକ୍ତାରାମ ଫାଉଣ୍ଡେସନ ଏଣ୍ଡ ଚ୍ୟାରିଟେବଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଯୁବସନ୍ନ୍ୟାସୀ ବାବା ରୁଦ୍ରବେଶ ସ୍ୱାମୀଙ୍କ ଗୋଶାଳା ଏବଂ ଆଶ୍ରମରେ । ବାବା ରୁଦ୍ରବେଶାନନ୍ଦ ଗିରି ଓରଫ୍ ପ୍ରଳୟ ନାୟକ ବାଲ୍ୟକାଳରୁ ବାମପନ୍ଥୀ ଚିନ୍ତାଧାରାର ଜଣେ ଉଚ୍ଚଶିକ୍ଷିତ ଥାଇ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । କିଛିଦିନ ହିମାଳୟ ଯାଇ ସାଧୁସଂଗତ କରି ବିଷୟାମୋହ ପରିତ୍ୟାଗ କରି ସନ୍ନ୍ୟାସୀ ଜୀବନ ବିତାଉଥିବା କହିଛନ୍ତି । ଏପରିକି ଅଧିକାଂଶ ସମୟରେ ରଥଯାତ୍ରା ସମୟରେ ଧାରାବିବରଣୀ ପ୍ରଦାନ, କୁଣ୍ଡଳୀ ଜାଗରଣ ଭଳି କାର୍ଯ୍ୟ କରିବାରେ ନିଜକୁ ନିୟୋଜିତ ଥିବା ସାଧୁ ବୈବାହିକ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ୧୧ବର୍ଷ ତଳୁ ସଂସାର ପରିତ୍ୟାଗ କରି ସନତନି ହିନ୍ଦୁ ଓ ବୌଦ୍ଧ ସଂସ୍କୃତିର ରକ୍ଷାପାଇଁ ନିଜକୁ ଅଘୋର ଗିରି ସମ୍ପ୍ରଦାୟରେ ସାମିଲ କରି ରୁଦ୍ରବେଶ ନାମରେ ନାମିତ କରିଥିଲେ । ଗତ ଦୁଇବର୍ଷ ତଳୁ ଉକ୍ତ ଜାଗାରେ ଏକ ଗୋଶାଳା ନିର୍ମାଣକରି ବିଶ୍ୱର ସର୍ବପ୍ରାଚୀନ ସନାତନ ସଂସ୍କୃତି ରକ୍ଷା ଉପରେ ନିଜକୁ ନିୟୋଜିତ କରିଥିଲେ । ଏହି ଗୋଶାଳାରେ ବର୍ତ୍ତମାନ ୧୨/୧୩ଟି ଗୋମାତା ରହିଥିବା ବେଳେ ସେମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱବହନ କରୁଥିବା ବେଳେ ଗତ ବୁଧବାର ତାଙ୍କର କିଛି ଅନୁଗତ ଗୋଶାଳା ପରିସରରେ ଏକ ପଦ୍ମଗାଡିଆ (ଛୋଟ) ଖୋଲୁଥିବା ସମୟରେ ପ୍ରାୟ ଦୁଇ, ଅଢେଇ ଫୁଟ୍ ଗଭୀର ମାଟିତଳେ ଶାବଳମୁନରେ ପଥରମୂତ୍ତି ଦେହରେ ବାଜି ଶବ୍ଦ ହୋଇଥିଲା । ପରେ ଉକ୍ତ ପଥରମୂର୍ତ୍ତିକୁ ବାହାରକୁ ଅଣାଯାଇଥିବା ବେଳେ ଏହାର ଅଧିକାଂଶ ଭାଗ ଭଗ୍ନଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା । ମୂର୍ତ୍ତିର ମସ୍ତକର ଉପରଭାଗ ମୂର୍ତ୍ତି ଠାରୁ ଅଲଗା ହୋଇଯାଇଥିବାବେଳେ ଏହାର ହାତ, ନାକ, ସ୍ତନଯୁଗଳ ସହିତ ଅଧିକାଂଶ ଭାଗ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ମୂର୍ତ୍ତିଟିର ଆସ୍ଥାନ ତଳେ ଏକ ପାଖରେ ହସ୍ତୀର ଚିତ୍ର ଥିବାବେଳେ ଅପରପାର୍ଶ୍ୱରେ ଏକ ସିଂହର ଚିତ୍ର ରହିଛି । ମୂର୍ତ୍ତିଟି ଉଦ୍ଧାର କରାଯାଇ ବାବାଙ୍କ ଧ୍ୟାନ ମଣ୍ଡପ ନିକଟରେ ରଖାଯାଇଥିବା ଦେଖିବାକୁ ମିଳିଥିବା ବେଳେ ଏହା ସପ୍ତମ, ଅଷ୍ଟମଶତାବ୍ଦୀ ଭୌମକର ବଂଶୀୟ ମାନଙ୍କ ଦ୍ୱାରା ଗଢାଯାଇଥିବା ମୂର୍ତ୍ତି ହୋଇଥିବା ବାବା ରୁଦ୍ରବେଶ ଅନୁମାନ କରି କହିଛନ୍ତି । ତେବେ ମୂର୍ତ୍ତିଟି ତାରାଦେବୀଙ୍କ ପ୍ରତିମୂର୍ତ୍ତି ହୋଇଥାଇ ପାରେ ବୋଲି ବାବା କହିଥିବା ବେଳେ ଭଗ୍ନମୂର୍ତ୍ତିଟିକୁ କୌଣସି ମୂର୍ତ୍ତି କାରିଗର ଦ୍ୱାରା ପୁନଃ ଗଢାଯିବା ପରେ ପୂଜାର୍ଚ୍ଚନା କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଉକ୍ତ ସ୍ଥାନରେ ପୁରାତନ ମୂର୍ତ୍ତି ମିଳିବା ଫଳରେ ଏଠାକାର ମାଟିତଳେ ଅନ୍ୟାନ୍ୟ ବହୁ ପୁରାତନ ମୂର୍ତ୍ତି ଥାଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି । ତେବେ ସ୍ଥାନୀୟ ପ୍ରଶାସନ ଏବଂ ପ୍ରନôତତ୍ତ୍ୱ ବିଭାଗ ଏହାକୁ ଗୁରୁତ୍ୱଦେଇ ଏହାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।