ଉପର ଲାନ୍ଥ ଓ ଲୋୟର ଇନ୍ଦ୍ରା ଜଳସେଚନ ସମୀକ୍ଷା , ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କର: ସିଂଦେଓ
ଭୁବନେଶ୍ୱର : ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉପର ଲାନ୍ଥ ଓ ଲୋୟର ଇନ୍ଦ୍ରା ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ ।
ବୈଠକରେ ମନ୍ତ୍ରୀ କହିଥିଲେ ଯେ, ଉପର ଲାନ୍ଥ ଓ ଲୋୟର ଇନ୍ଦ୍ରା ପ୍ରକଳ୍ପରେ ଓଡିଶା କୃଷି ମାନଚିତ୍ରରେ ପରିବର୍ତ୍ତନ ଆଣିପାରିବା ଭଳି କ୍ଷମତା ରହିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଫଳରେ ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ୨୯,୯୦୦ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ । କେବଳ କୃଷି ନୁହେଁ ଆନୁଷଙ୍ଗିକ କୃଷିରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ । ଫଳରେ ଅଞ୍ଚଳବାସୀ ନିଜ ଜମିରେ ବିଭିନ୍ନ ପ୍ରକାର ଫସଲ ଅମଳ କରି ଆତ୍ମନିର୍ଭର ହେବା ସଂଗେ ସଂଗେ ଆନୁଷଙ୍ଗିକ କୃଷିରୁ ମଧ୍ୟ ଆଶାନୁରୂପ ରୋଜଗାର ହୋଇପାରିବ । ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିଦେ୍ର୍ଦଶ ଦେଇଛନ୍ତି । ଜମି ଅଧିଗ୍ରହଣ, ଅନୁକମ୍ପା ରାଶି ପ୍ରଦାନ, କେନ୍ଦ୍ରୀୟ ମଞ୍ଜୁରୀ, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ, ବିସ୍ଥାପିତ ପରିବାରଙ୍କୁ ଥଇଥାନ ଇତ୍ୟାଦି କାର୍ଯ୍ୟ ସମ୍ପାଦନ ସମୟରେ ବିଳମ୍ବକୁ ସହ୍ୟ କରାଯିବନି ବୋଲି ସିଂଦେଓ କହିଥିଲେ ।