ଅପରେସନ ସିନ୍ଦୂର: ବିଶ୍ୱ ଦେଖିଲା ଭାରତର ପରାକ୍ରମ
ଭୁବନେଶ୍ୱର : ଭାରତ ସରକାରଙ୍କ ଆତଙ୍କବାଦୀ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ ଭାରତର ସୈନିକ ଶକ୍ତିର ସୌର୍ଯ୍ୟ, ସାହସ ଏବଂ ପରାକ୍ରମର ବଡ଼ ପ୍ରମାଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମର ଏ ସମ୍ପର୍କିତ ଏକ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି ଆତଙ୍କବାଦ ବିରୋଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଅପରେସନ ‘ସିନ୍ଦୂର’ର ସଫଳତା ପରେ ତିନି ସେନାକୁ ଓଡ଼ିଶା ପକ୍ଷରୁ ଶୁଭେଚ୍ଛା ସମେତ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ପ୍ରଧାନ ।
ସେ କହିଛନ୍ତି ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ପାକିସ୍ତାନ ସୀମା ଭିତରେ ବାୟୁସେନା ପ୍ରବେଶ କରି ପ୍ରଥମେ ସେମାନଙ୍କ ୯ଟି ଠିକଣା ନଷ୍ଟ କରିଛି । ଭାରତର ସନ୍ୟଶକ୍ତିର ପରାକ୍ରମ, ଭାରତୀୟ ସମାଜର ପ୍ରତିବଦ୍ଧତା ଏବଂ ପ୍ରଧାନମନ୍ତ୍ରୀଙ୍କ ନିର୍ଣ୍ଣାୟକ ନେତୃତ୍ୱର ପରାକାଷ୍ଠା ସାରା ବିଶ୍ୱ ଦେଖିଲା । ଦେଶରେ ସୈନିକଶକ୍ତିଙ୍କ ମନୋବଳକୁ ବଢାଇବା ତଥା ଅପରେସନ ସିନ୍ଦୂର ସମର୍ଥନରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରାଯାଇଛି । ଅପରପକ୍ଷରେ ଗୋପାଳପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷା ହୋଇଥିବା ‘ଭାର୍ଗବାସ୍ତ୍ର’ ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଆହୁରି ଆଧୁନିକ କରିବ ବୋଲି କହିଛନ୍ତି ।