ଏକାଠି ଲଢ଼ି ଐତିହାସିକ ବିଜୟ ଲାଭ କଲୁ : ମୋହନ
- ନୂଆପଡା ଯାଇ ଧନ୍ୟବାଦ ଜଣାଇବି
- ମୂଳପୋଛ ହୋଇଯିବ କଂଗ୍ରେସ
- କାର୍ଯ୍ୟକର୍ତ୍ତାଙ୍କ ଆତ୍ମବିଶ୍ୱାସ ହିଁ ବଡ ବିଜୟ ଦେଲା : ମନମୋହନ
ଭୁବନେଶ୍ୱର : ଦିନ ଥିଲା ସବୁ ବୁଥ୍ରେ ଆମର ଏଜେଣ୍ଟ ନଥିଲେ । ପରାଜୟରୁ ଶିକ୍ଷା ଗ୍ରହଣ କରି ଆଜି ଆମେ ବିଜୟୀ ହୋଇଛୁ । ନୂଆପଡା ଉପନିର୍ବାଚନରେ ଆମେ ସମସ୍ତେ ଏକାଠି ହୋଇ ଲଢିଲୁ ଏବଂ ଐତିହାସିକ ବିଜୟ ଲାଭ କଲୁ । ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଆସନ୍ନ ପରାଜୟ ଭୟରେ ଅନେକ ମିଛ କହି ଆମକୁ ଆକ୍ରମଣ କଲେ । ଏପରିକି ଭୋଟ ଚୋରି, ବେଇମାନ ଭଳି ଅପଶବ୍ଦ ମଧ୍ୟ ବ୍ୟବହାର କରିବାକୁ ପଛାଇଲେ ନାହିଁ । କିନ୍ତୁ ବିରୋଧୀଙ୍କ ମିଛ କାମ ଦେଲା ନାହିଁ ଏବଂ ନୂଆପଡାବାସୀ ସେମାନଙ୍କୁ ଉଚିତ ଜବାବ୍ ଦେଲେ । ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଧନ୍ୟବାଦ ସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେ କହିଛନ୍ତିଯେ, ଅପରେସନ ସିନ୍ଦୁର ଭଳି ଅପରେସନ ନୂଆପଡା ହେଲା । ନୂଆପଡାବାସୀ ବହୁଳ ସଂଖ୍ୟାରେ ରେକର୍ଡ ପରିମାଣରେ ନିଜ ମତଦାନ ସାବ୍ୟସ୍ତ କରି ଐତିହାସିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରାଇଛନ୍ତି । ଯାହା ରାଜ୍ୟରେ ରାଜନୈତିକ ମୋଡ ବଦଳାଇ ଦେଇଛି । ବିଭୀଷଣଙ୍କ ପାଇଁ କଂଗ୍ରେସ ପରାଜୟ ବରଣ କଲା ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଦାସ କହିଛନ୍ତି । ଯଦି ତାହା ହୁଏ, ତାହେଲେ ୭୦% ବିଭୀଷଣ ଥିବା କଂଗ୍ରେସ ଦଳ ସଂପୂର୍ଣ୍ଣ ମୂଳପୋଛ ହୋଇଯିବ ବୋଲି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ନୂଆପଡା ଉପନିର୍ବାଚନରେ ପାର୍ଟିର ଦେବଦୁର୍ଲଭ କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ ଆମ ଦଳର ବିଶାଳ ବିଜୟ ହୋଇଛି । ଯେଉଁ ନେତା, ବିଧାୟକ, ସାଂସଦ, ମନ୍ତ୍ରୀମାନେ ଯେଉଁ ଅଞ୍ଚଳରେ ଥିଲେ, ସେ ଅଞ୍ଚଳର ସ୍ଥାନୀୟ ସମସ୍ୟାଗୁଡିକର ତାଲିକା ପ୍ରସ୍ତୁତ କରିବେ । ସମସ୍ତ ସମସ୍ୟାର ସମାଧାନ କରାଯିବ । ନୂଆପଡାର ବିକାଶ ଦାୟିତ୍ୱ ମୋର ବୋଲି ମୁଁ ପୂର୍ବରୁ କହି ସାରିଛି । ଯାହା ଘୋଷଣା ହୋଇଛି, ସେ ସବୁକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବି । ଅତିଶୀଘ୍ର ନୂଆପଡା ଯାଇ ନୂଆପଡାବାସୀଙ୍କୁ ଧନ୍ୟବାଦ ଜଣାଇବି ବୋଲି କହିବା ସହିତ ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ ନୂଆପଡାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ରାଜ୍ୟ ସଭାପତି ମନମୋହନ ସାମଲ କହିଲେଯେ, ଆମେ ସଂଗଠିତ ହୋଇ ନିର୍ବାଚନ ଲଢିଲୁ । ନିର୍ବାଚନ ଏକ ଯୁଦ୍ଧ । ଯୁଦ୍ଧ ପାଇଁ ସଠିକ ରଣନୀତି ଆବଶ୍ୟକ । ରଣନୀତି ପାଇଁ ଯୋଜନା ପ୍ରସ୍ତୁତ କରାଗଲା । ଯୋଜନାକୁ କାର୍ଯ୍ୟକର୍ତାମାନେ କ୍ରିୟାନ୍ୱୟନ କରିଲେ । କାର୍ଯ୍ୟକର୍ତ୍ତାଙ୍କ ଆତ୍ମବିଶ୍ୱାସ ହିଁ ବିଜେପିକୁ ବଡ ବିଜୟ ଦେଲା । ପ୍ରଥମେ ୫ଟି ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କୁ ନେଇ ନିର୍ବାଚନ ଲଢିବାର ରଣକ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା । ପରବର୍ତ୍ତୀ ସମୟରେ ମନ୍ତ୍ରୀମାନଙ୍କୁ ମଣ୍ଡଳ, ବିଧାୟକମାନଙ୍କୁ ପଞ୍ଚାୟତ ଦାୟିତ୍ୱ ପ୍ରଦାନ କରାଗଲା । ସ୍ଥାନୀୟ ଲୋକ ନିର୍ବାଚନ ଲଢିଲେ ଏବଂ ସେମାନଙ୍କ ମନୋବଳ ବଢାଇବା ପାଇଁ ବାହାରୁ ଯାଇଥିବା ନେତା ଓ ମନ୍ତ୍ରୀ କେବଳ ସହଯୋଗ କରିଲେ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାରର କାର୍ଯ୍ୟ ଓ ସଫଳତାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଁଚାଇଲେ । ଭୋଟଦାନର ୭ ଦିନ ପୂର୍ବରୁ ଏକପାଖିଆ ବିଜୟ ହେବ ବୋଲି ସ୍ପଷ୍ଟ ଜଣାପଡିଥିଲା । ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ପାର୍ଟିର ବରିଷ୍ଠ ନେତୃବୃନ୍ଦ, ସମସ୍ତ ମୋର୍ଚ୍ଚା ଓ ପ୍ରକୋଷ୍ଠର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ନୂଆପଡା ନିର୍ବାଚନ ଆମ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇଟି ବିରାଟ ରୋଡ ସୋ ଗେମ ଚେଞ୍ଜର ଥିଲା । ଛତିଶଗଡ ରାଜ୍ୟର ସୀମାନ୍ତବର୍ତ୍ତୀ ନୂଆପଡା ଜିଲ୍ଲା ହୋଇଥିବାରୁ ଛତିଶଗଡ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଛତିଶଗଡର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଜେପି ନେତୃବୃନ୍ଦଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତିଯେ, ନୂଆପଡା ଉପନିର୍ବାଚନରେ ଅକ୍ଳାନ୍ତ ପରିଶ୍ରମ କରି ବୃହତ ବିଜୟ ପ୍ରଦାନ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଏଥିସହ ନୂଆପଡାବାସୀ ବିଜେପିର ଡବଲ ଇଞ୍ଜିନ ସରକାରରେ ନିଜକୁ ସାମିଲ କରିଥିବାରୁ ନୂଆପଡାବାସୀଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଗୋକୁଳାନନ୍ଦ ମଲ୍ଲିକ, ପ୍ରଦୀପ ବଳସାମନ୍ତ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟ ସାଧାରଣ ସଂପାଦକ ବିରଞ୍ଚ ନାରାୟଣ ତ୍ରିପାଠୀ ପ୍ରମୁଖଙ୍କ ସମେତ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ଅନେକ ସାଂସଦ, ବିଧାୟକ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ଓ ପ୍ରକୋଷ୍ଠର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।