ପ୍ରଦୀପଙ୍କ ବିରୋଧରେ ବିଜେପିର ଏତଲା

pradeep Majhi

ପ୍ରଦୀପଙ୍କ ବିରୋଧରେ ବିଜେପିର ଏତଲା

ଭୁବନେଶ୍ୱର : ଅଡୁଆରେ ପଡ଼ିଯାଇଛନ୍ତି ନବରଙ୍ଗପୁର ବିଜେଡ଼ି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ  । ଅମିତ ଶାହାଙ୍କ ଫେକ୍‌ ଭିଡ଼ିଓ ଦେଖାଇ ସେ ମିଛ କହିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି  । ଏନେଇ ଦଳ ପକ୍ଷରୁ ସାଇବର ଥାନାରେ ଅଭିଯୋଗ କରାଯିବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି  ।

ବିଜେପି ପକ୍ଷରୁ କୁହାଯାଇଛିଯେ, ବିଜେଡି ସରଳ ଆଦିବାସୀମାନଙ୍କ ମନରେ ବିଷ ଭରିବା ପାଇଁ ଚାହୁଁଛି  । ବିଜେଡ଼ିର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ନକଲି ଭିଡିଓ ଦେଖାଇ ବିଜେପିକୁ ଭୋଟ ନଦେବା ପାଇଁ କହୁଛନ୍ତି  । ଏହା କେବଳ ଆଚରଣ ବିଧିର ଘୋର ଉଲ୍ଲଘଂନ ନୁହେଁ ବରଂ ଆଦିବାସୀମାନଙ୍କୁ ହିଂସା କରିବା ପାଇଁ ଉସକାଇବାର ଅପଚେଷ୍ଟା ବୋଲି ଦଳ ପକ୍ଷରୁ କୁହାଯାଇଛି  । 

ଜାତୀୟସ୍ତରରେ କଂଗ୍ରେସ ଦଳ ଓ ଓଡିଶାରେ ବିଜେଡି ବର୍ତମାନ ଗୋଟିଏ ଡଙ୍ଗାରେ ବସି ଗୃହମନ୍ତ୍ରୀ ଅମିତ ଶାହଙ୍କର ନକଲି ଭିଡିଓ ନେଇ ଅପପ୍ରଚାର କରୁଛନ୍ତି  । ଯେଉଁମାନେ ଏଭଳି ଶସ୍ତା ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ରାଜନୀତି କରୁଛନ୍ତି ସେମାନଙ୍କୁ  ଗିରଫ କରିବା ଦାବିରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ସାଇବର ଥାନାରେ ଏତଲା ଦେଇଛନ୍ତି  । ଏହି ଅବସରରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍‌ କୁମାର ଦାସ, ଆଇନଜୀବୀ ପ୍ରଦୀପ ପଟ୍ଟନାୟକ, ରାଜ୍ୟ ନିର୍ବାଚନ ସେଲ୍‌ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ  ।