ପ୍ରେମାନନ୍ଦ ପାଣିଗ୍ରାହୀ : କିଛି ବର୍ଷ ପୂର୍ବରୁ ଏଡ୍ସ ମାନବ ସମାଜ ପାଇଁ୍ ଆତଙ୍କ ପାଲଟି ଥିଲା । ଗତ ଶତାବ୍ଦୀର ଶେଷ ଦଶନ୍ଧି ଗୁଡିକରେ ଏଡ୍ସ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଥିଲା । ବର୍ତ୍ତମାନ ସେ ପରିସ୍ଥିତିି ଆଉ ନାହିଁ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏଡ୍ସ ଜନିତ ମୃ୍ୁତ୍ୟୁ ହାରକୁ ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିବାପାଇଁ ସାରା ବିଶ୍ୱରେ ଚାଲିଥିବା ଅଭିଯାନ ଦ୍ୱାରା ଏଡ୍ସର ପ୍ରକୋପ ଅନେକ ପରିମାଣରେ ହ୍ରାସ ପାଇଛି । ଏଡ୍ସ ଏକ ଭୂତାଣୁ ଜନିତ ରୋଗ । ମୁଖ୍ୟତଃ ତିନୋଟି ମାଧ୍ୟମ ଯଥା :ଅସୁରକ୍ଷିତ ଯୌନ ସମ୍ପର୍କ, ଅଶୋଧିତ ରକ୍ତ ଗ୍ରହଣ ,ନିଶା ଇଞ୍ଜେକସନ୍ ନେବା ଦ୍ୱରା ଅଶୋଧିତ ଛୁଞ୍ôଚ ବ୍ୟବହାର ଯୋଗୁଁ ଏହା ବ୍ୟାପିଥାଏ । ଏଡ୍ସକୁ ଆଜି ସମଗ୍ର ପୃଥିବୀ ଏକ ଗଭୀର ସାମାଜିକ ବ୍ୟାଧି ବୋଲି ସ୍ୱୀକାର କରିଛନ୍ତିା ୧୯୮୧ ମସିହାରେ ସର୍ବପ୍ରଥମେ ଯୁକ୍ତରାଷ୍ଟ୍ର୍ର ଆମେରିକାର ଲସ୍ ଏଞ୍ଜେଲସ୍ ସହରରେ ଏଚ.ଆଇ.ଭି ଭୂତାଣୁ ଚିହ୍ନଟ କରାଯାଇଥିଲା ।
ଆମ ଦେଶରେ ୧୯୮୬ ମସିହାରେ ଏଡ୍ସ ରୋଗୀକୁ ସର୍ବପ୍ରଥମେ ତାମିଲ୍ନାଡୁ ରାଜ୍ୟରେ ଆବିଷ୍କାର କରାଯାଇଥିଲା । ଏଚ.ଆଇ.ଭି ଭୂତାଣୁ ମଣିଷ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଧୀରେଧୀରେ ନଷ୍ଟ କରିଦେଇଥାଏ । ମଣିଷକୁ ଯେଉଁ ରୋଗ ହୁଏ ତାହା ସହଜରେ ଆରୋଗ୍ୟ ହୁଏ ନାହିଁ । ମଣିଷର ରକ୍ତ,ବୀର୍ଯ୍ୟ ଭଳି ତରଳ ପଦାର୍ଥରେ ଏହି ଭୂତାଣୁ ବଞ୍ôଚ ରହନ୍ତି । ସାହାରା ମରୁଭୂମି ସନ୍ନିକଟ ଆଫ୍ରିକୀୟ ଦେଶମାନଙ୍କରେ ପ୍ରତି ପାଞ୍ଚଜଣ ପ୍ରାପ୍ତବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଏଡ୍ସ୍ ଆକ୍ରାନ୍ତ । ଜନସଂଖ୍ୟାର ଅନୁପାତକୁ ଦେଖିଲେ ଦକ୍ଷିଣ ଆଫ୍ରିକାର ଜନସଂଖ୍ୟାର ଏକ ପଞ୍ଚମାଂଶ ଏଡ୍ସ ଭୂତାଣୁ ଦ୍ୱାରା ସଂକ୍ରମିତ । ଆମେରିକା ମଧ୍ୟ ଏ ମହାମାରୀ କବଳରୁ ମୁକ୍ତି ପାଇନାହିଁ । ଆମେରିକାର ସଂଖ୍ୟାଲଘୁ ଆଫ୍ରିକୀୟ ଆମେରିକୀୟ ସଂପ୍ରଦାୟ ମଧ୍ୟରେ ଏଡ୍ସ ପ୍ରାଦୁର୍ଭାବ ଅତ୍ୟଧିକ ବୋଲି ଜଣାପଡିଛି । ଚୀନ୍, ଭାରତ, ଇଣ୍ଡୋନେସିଆ, ଏବଂ ରୁଷରେ ମଧ୍ୟ ଏଡ୍ସର ପ୍ରାଦୁର୍ଭାବ କ୍ରମଶଃ ବୃଦ୍ଧି ପାଇଛି । ପୃଥିବୀରେ ପାଖାପାଖି ୪କୋଟି ଏଡ୍ସ ରୋଗୀ ରହିଥିବା ବେଳେ ଆମ ଦେଶରେ ୨୦୮୮୬୩୮ ବ୍ୟକ୍ତି ଅଛନ୍ତି । ବିଗତ ୨୦ବର୍ଷ ମଧ୍ୟରେ ଏଚ.ଆଇ.ଭି ସଂକ୍ରମିତ ହୋଇଥିବା ୬୦ନିୟୁତ ବ୍ୟକ୍ତି ପ୍ରାୟ ୧୫ ରୁ ୨୫ବର୍ଷ ମଧ୍ୟରେ । ୨୦୧୨ରେ ସମଗ୍ର ବିଶ୍ୱରେ ୨.୩ ନିୟୁତ ଯୁବକ,ଯୁବତୀ,ଶିଶୁଙ୍କୁ ଏହି ରୋଗ ବ୍ୟାପିଛି । ଓଡିଶା ରାଜ୍ୟ ଏଡ୍ସ କଣ୍ଟ୍ରୋଲ୍ ସୋସାଇଟି ଦ୍ୱାରା ପ୍ରସ୍ତୁତ ତଥ୍ୟ ଅନୁଯାଇ ଭାରତର ୧୪ଟି ସର୍ବାଧିକ ଏଡ୍ସପ୍ରବଣ ଜିଲ୍ଲାମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଅଷ୍ଟମ ସ୍ଥାନରେ ରହିଛି । ସରକାରୀ ସୂଚନା ମୁତାବକ ରାଜ୍ୟରେ ଗତ ଜାନୁଆରୀ ସୁଦ୍ଧା ଏଚ.ଆଇ.ଭି ଆକ୍ରାନ୍ତଙ୍କ ସଂଖ୍ୟା ୫୦,୨୨୮ ରହିଛି । ମୋନଙ୍କ ମଧ୍ୟ୍ୟରୁ ୧୫ ରୁ ୩୫ ବର୍ଷ ବୟସର ଯୁବକଙ୍କ ହାର ୪୧ ପ୍ରତିଶତ । କେବଳ ୨୦୧୯-୨୦ ମସିହାରେ ଚିହ୍ନଟ ହୋଇଥିବା ୨୪୬୭ ନୂତନ ସଂକ୍ରମିତଙ୍କ ମଧ୍ୟରୁ ୯୯୬ ଜଣ ହେଉଛନ୍ତି ଯୁବ ବର୍ଗର ।
ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଏଭଳି ମାତ୍ରାରେ ଏଚ.ଆଇ.ଭି ଆକ୍ରାନ୍ତ ବୃଦ୍ଧି ପାଇବା ଏବେ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ଆମ ରାଜ୍ୟ ଜାତୀୟ ସ୍ତରରେ ଏଡ୍ସ ପ୍ରବଣ ରାଜ୍ୟ ଭାବରେ ପରିଗଣିତ ହୋଇନଥିଲେ ମଧ୍ୟ ଆଶଙ୍କା ପ୍ରବଣ ରାଜ୍ୟ ଭାବରେ ରହିଛି । ଦେଶକୁ ୨୦୩୦ ମସିହା ସୁଦ୍ଧା ଏଡ୍ସମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ଗତ ୨୦୧୧ମସିହା ଠାରୁ ଏଚ.ଆଇ.ଭି ସଂକ୍ରମଣକୁ ଶୂନ୍ୟସ୍ତରରେ ପହଞ୍ଚାଇବା ସହ ଏଡ୍ସ ମୃତ୍ୟୁ ସଂଖ୍ୟାକୁ ସଂପୁର୍ଣ୍ଣ ଭାବରେ ପ୍ରତିରୋଧ କରିବା ପାଇଁ ବିଶ୍ୱ ସ୍ତରରେ ଅଭିଯାନ ଆରମ୍ଭ କରାଯାଇଛି । ସରକାରୀ ଓ ବେସରକାରୀ ସ୍ତରରେ ଏଡ୍ସ ସଚେତନତା ଅଭିଯାନ ଜାରିରହିଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥା (ନାକୋ) ଜରିଆରେ ପ୍ରତ୍ୟେକ ରାଜ୍ୟରେ ଏଡ୍ସର ନିରାକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ସାମାଜିକ ଯତ୍ନ ,ସହାୟତା ଓ ଚିକିତ୍ସା, ସୂଚନାର ସଂପ୍ରସାରଣ, ଶିକ୍ଷା ଓ ଯୋଗାଯୋଗ, ବ୍ୟାବହାରିକ ପରିବର୍ତ୍ତନ ଜରିଆରେ ସମଗ୍ର ଦେଶରେ ଏହି ଯୋଜନାର ରୂପାନ୍ତରଣ କରାଯାଇଛି । ଆମ ରାଜ୍ୟ ସରକାର ଏଚ.ଆଇ.ଭି ସଂକ୍ରମିତ ବ୍ୟକ୍ତି ଓ ସେମାନଙ୍କ ପରବାରବର୍ଗଙ୍କ ପାଇଁ ବହୁ ଗଠନମୂଳକ ପଦକ୍ଷେପ ନେଇଛନ୍ତି । ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଆଇଟିସି ଜରିଆରେ ବିନା ମୂଲ୍ୟରେ ଏଚ୍.ଆଇ .ଭି ପରୀକ୍ଷା କରାଯାଉଛି । ଏହି ପରୀକ୍ଷା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ୨୦ଟି କମ୍ପାନୀ ସହ ଓସାକ୍ସ ରାଜିନାମା ସ୍ୱାକ୍ଷରିତ କରିଛି । ସମସ୍ତ ସଂକ୍ରମିତ ବ୍ୟକ୍ତିମାନଙ୍କୁ ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ମାସିକ ଭତ୍ତା ମୋ କୁଡିଆ ଯୋଜନାରେ ମାଗଣା ବାସଗୃହ ଯୋଗାଇ ଦେଉଛନ୍ତି ।
ଆଜିର ସମାଜରେ ଏଡ୍ସ ଏକ ସାମାଜିକ ସଂକଟ ଅଟେ । ଆମର ସଂସ୍କୃତି ଓ ପରମ୍ପରା ଏଚ.ଆଇ.ଭି ସଂକ୍ରମିତ ବ୍ୟକ୍ତିକୁ ସହଜରେ ଗ୍ରହଣ କରିପାରେ ନାହିଁ । ଏଡ୍ସ ଡିଆଁ ରୋଗ ନୁହେଁ ବୋଲି କୁହାଯାଉଥିଲେ ମଧ୍ୟ ବହୁ ରୋଗୀ ସାମାଜିକ ବାସନ୍ଦର ଶିକାର ହେଉଛନ୍ତି । ସଂଖ୍ୟାଧିକ ଆକ୍ରାନ୍ତ ନିଜ ରୋଗ ସଂପର୍କରେ ଅନ୍ୟମାନେ କିପରି ନଜାଣିବେ ସେଥିପାଇଁ ଚେଷ୍ଟା କରନ୍ତି । ଯେ କୈାଣସି ଉପାୟରେ ଏଡ୍ସ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସାମାଜିକ ନିରାପତ୍ତା ଦୃଷ୍ଟିରୁ ରୋଗୀଟିଏ ଗୋପନ ରଖିବାକୁ ବାଧ୍ୟହୁଏ ବା ମାନସିକ ସନ୍ତୁଳନ ହରାଇ ବସେ । ଏକ ଏଡ୍ସ ରୋଗୀକୁ ଛୁଇଁବା, ଆଲିଙ୍ଗନ କରିବା କରମର୍ଦ୍ଦନ କରିବା ରୋଗୀର ବ୍ୟବହୁତ ଖାଦ୍ୟ ବାସନ, ପୋଷାକ,ଶୌଚାଳୟ ବ୍ୟବହାର କରିବା ବା ରୋଗୀର ଛିଙ୍କ, କାଶ କିମ୍ବା ମଶା ଦ୍ୱାରା ଏଡ୍ସ ରୋଗ ବ୍ୟାପେ ନାହିଁ । କେବଳ ସଂକ୍ରମିତ ବ୍ୟକ୍ତିର ରକ୍ତ, ବୀର୍ଯ୍ୟ, ଯୌନସ୍ରାବ ଯଦି ସୁସ୍ଥ ଲୋକର ଶରୀରରେ ମିଶେ ତେବେ ଏ ରୋଗ ହେବାର ସଂଭାବନା ଅଧିକ ଥାଏ । ଏ ସମ୍ପର୍କରେ କେବଳ ନିଜେ ନୁହେଁ, ନିଜର ପରିବାର ବନ୍ଧୁବାନ୍ଧବ ସର୍ବୋପରି ଅନ୍ୟମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ଜରୁରି । ଏଡ୍ସ ନିୟନ୍ତ୍ରଣ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଚେତନତା । ସାମାନ୍ୟ ଭୁଲରୁ ମୁ୍କ୍ତି ଆଉ ଟିକିଏ ସଚେତନତାରୁ ସୁରକ୍ଷିତ ଜୀବନ । ସଂକ୍ରମଣ ବ୍ୟାପିବାର ୪୪ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ସ୍ଥାୟୀ ନିରାକରଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ଉପଲବ୍ଧ ହୋଇପାରିନାହିଁ । କେବଳ ଏଚ.ଆଇ.ଭି ସଂକ୍ରମିତ ବ୍ୟକ୍ତିର ଜୀବନ ଅବଧି ବଢାଇବା ପାଇଁ ବର୍ତ୍ତମାନ ଏ.ଆର.ଟି ଔଷଧ ଉପଲବ୍ଧ ହୋଇପାରିଛି । ସୁରକ୍ଷିତ ଯୌନ ସମ୍ପର୍କ ଉପରେ ପ୍ରଚାର ପ୍ରସାର, ଏଡ୍ସର ଭୟାବହତା ଏବଂ ସଚେତନତା ଉପରେ ଗୁରୁତ୍ୱ, ପ୍ରତିଷେଧକ ବ୍ୟବସ୍ଥା, ସୂଚନାର ସଂପ୍ରସାରଣ, ଜୀବନ କୌଶଳ ଶିକ୍ଷା ଜରିଆରେ ଏଡ୍ସ ଭଳି ମାରାତ୍ମକ ରୋଗର ନିୟନ୍ତ୍ରଣ କରାଯାଇପାରିବ । ଜୀବନଯାପନର ଧାରା ଉପରେ ନିର୍ଭର କରେ ରୋଗର ବ୍ୟାପ୍ତି ।