ଏତଲାରେ ବିଳମ୍ବ, ଗ୍ରାମବାସୀ ଏସିଏଫ୍ଙ୍କୁ ଭେଟିଲେ  

 କେନ୍ଦୁଝର: ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ୨୫୦୫ ୟୁକାଲିପଟାସ ଗଛ କଟାଯିବା ପାଇଁ କୃଷ୍ଣପୁର ବନ ସୁରକ୍ଷା ସମିତିକୁ ବନ ବିଭାଗ ୦୪/୦୫/୨୦୨୪ରେ ଅନୁମତି ଦିଆଯାଇଥିଲା । ତେବେ ଅନୁମତି ଠାରୁ ଅଧିକ ଗଛ କଟାଯାଇଥିବା ନେଇ ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ କଟା ଗଛର ମୂଳ ଗଣତି ବେଳେ ଅଧିକ ଗଛ କଟାଯାଇଥିବା ଜଣାପଡିଥିଲା । ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ କୃଷ୍ଣପୁର ବନ ସୁରକ୍ଷା ସମିତିର ସଭାପତି ରଞ୍ଜନ କୁମାର ମହାନ୍ତଙ୍କ ସମେତ ୧୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ବେଳେ ଗଛ କଟା ବାବଦକୁ ଆଦାୟ ୩୦ ଲକ୍ଷ ୬୫ ହଜାର ଟଙ୍କା କୃଷ୍ଣପୁର ବନ ସୁରକ୍ଷା ସମିତିର ବ୍ୟାଙ୍କ ଅକାଉଣ୍ଟରେ ଜମା ନ ହୋଇ ସେମାନଙ୍କର ବ୍ୟକ୍ତିଗତ ବ୍ୟାଙ୍କ ଖାତାରେ ଜମା ହୋଇଥିବା ଜଣାପଡିଥିଲା । ଏଣୁ ଉକ୍ତ ଟଙ୍କା ୩ ଦିନ ମଧ୍ୟରେ କୃଷ୍ଣପୁର ବନ ସୁରକ୍ଷା ସମିତି ଆକାଉଣ୍ଟରେ ଜମା କରିବାକୁ ଚମ୍ପୁଆ ରେଞ୍ଜ ଅଫିସର ଦାୟିତ୍ୱରେ ଥିବା ଏସିଏଫ୍ ଅକ୍ଷୟ ଛତ୍ରିଆ ତା ୨୮/୧୧/୨୦୨୪ ଚିଠି ନମ୍ବର ୩୩୮୮ରେ ଭିଏସ୍ଏସ୍ ସଭାପତିଙ୍କୁ ଚିଠି କରିଥିଲେ । ଉକ୍ତ ଅର୍ଥ ୩ ଦିନ ମଧ୍ୟରେ ଜମା ନକଲେ ଅର୍ଥ ହଡପ ମାମଲା ରୁଜୁ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା । ତେବେ ଅଦ୍ୟାବଧି ଉକ୍ତ ଟଙ୍କା ବନ ସୁରକ୍ଷା ସମିତି ଆକାଉଣ୍ଟରେ ଜମା ହୋଇନଥିଲେ ହେଁ ବନ ବିଭାଗ ପକ୍ଷରୁ ଚମ୍ପୁଆ ଥାନାରେ ଏତଲା ଦେଇନଥିବାରୁ କୃଷ୍ଣପୁର ଗ୍ରାମର ଅନିରୁଦ୍ଧ ପାତ୍ର, ଚିନ୍ମୟ କୁମାର ପାତ୍ର, ଗୌରାଙ୍ଗ ମହାନ୍ତ,ଉଗ୍ରସେନ ମହାନ୍ତ, ଚର୍ତ୍ତୃଭୂଜ ମହାନ୍ତ ପ୍ରମୁଖ ଆଜି ଚମ୍ପୁଆ ରେଞ୍ଜ ଅଧିକାରୀ ଦାୟିତ୍ୱରେ ଥିବା ଏସିଏଫ୍ଙ୍କୁ ପଚାରିଥିଲେ ହେଁ ଏହି ଟଙ୍କା ଜମା ହୋଇନଥିବା ଜାଣିବାକୁ ପାଇଥିଲେ । ଏ ନେଇ ଡିଏଫ୍ଓ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଗଛ କଟା ପରେ ନିୟମ ଅନୁସାରେ ବିକ୍ରୀ ବାବଦ ଅର୍ଥ ବନ ସୁରକ୍ଷା ସମିତିର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ଉକ୍ତ ଗଛ କଟାଯାଇ ବିକି୍ର କରାଯିବା ପରେ ଏହି ବିକ୍ରୟ ମୂଲ୍ୟର ୪୦ ପ୍ରତିଶତ ଗାଁର ଉନ୍ନତିକରଣ,୪୦ ପ୍ରତିଶତ ଭିଏସ୍ଏସ୍ ସଦସ୍ୟ ଥିବା ଗ୍ରାମବାସୀମାନଙ୍କ ମଧ୍ୟରେ ବଣ୍ଟାଯିବ ଏବଂ ଅବଶିଷ୍ଟ ୨୦ ପ୍ରତିଶତ ଅର୍ଥ ଗଛ କଟାଯାଇଥିବା ଜଙ୍ଗଲରେ ପୁନର୍ବାର ବୃକ୍ଷରୋପଣ ପାଇଁ ଜମା ରଖିବାର ବ୍ୟବସ୍ଥା ରହିଛି । 
ସୂଚନାଯୋଗ୍ୟ ଯେ, ଗଛ କଟା କାମରେ କୃଷ୍ଣପୁର ଗ୍ରାମବାସୀଙ୍କୁ କାଟିବା ପାଇଁ ଅନୁମତି ଥିବାବେଳେ ସେମାନେ ବେସରକାରୀ ଲୋକଙ୍କୁ ଲଗାଇ ୩ ହଜାରରୁ ଅଧିକ ଗଛ କାଟି ନେଇଥିଲେ । କଟା ଗଛର ମୂଳ ଗଣତି ବେଳେ ୧୧୨୩ ଟି ଅଧିକ ଗଛ ଗଣତି ପରେ ବନ ବିଭାଗ ହଠାତ୍ ଗଣତି ବନ୍ଦ କରି ଦେଇଥିଲେ । ଦୀର୍ଘ ୨ମାସ ପରେ ମଧ୍ୟ ସଂପୂର୍ଣ୍ଣ ଗଣତି କରାଯାଇନଥିବାରୁ ପୂର୍ବରୁ ଗ୍ରାମବାସୀମାନେ ଜିଲାପାଳ ଓ ଡିଏଫ୍ଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହଇ ଘଟଣାରେ ଦାୟିତ୍ୱରେ ଅବହେଳା କରିଥିବା ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।