ବିନା ଅନୁମତିରେ ଚାଲିଛି ଦେଶୀ ମଦ ଭାଟି
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ୧୬ଟି ଦେଶୀ ମଦ ଭାଟି ଚାଲିଛି । ଏହି ଦେଶୀ ମଦ ଭାଟି ଚାଲିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ କନସେଣ୍ଟ ଟୁ ଅପରେଟ ବା ସିଟିଓ ଏବଂ ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ(ସିଆ) ଠାରୁ ଇସି ବା ପରିବେଶ ମଞ୍ଜୁରୀ ପାଇବା ଜରୁରୀ । ମାତ୍ର ଏହି ଦେଶି ମଦ ଭାଟିଗୁଡିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ସିଟିଓ ନ ପାଇ ଚାଲିଥିବା ଅଭିଯୋଗ ହୋଇଛି । ସଦର ଥାନା ଅଂଚଳର ଶଙ୍କରପୁର ଦେଶି ମଦ ଭାଟି, ପଣ୍ଡାପଡା ଥାନା ଅଂଚଳରେ ଥିବା ପଣ୍ଡାପଡା ଦେଶି ମଦ ଭାଟି, ହରିଚନ୍ଦନପୁର ଥାନା ଅଂଚଳରେ ଥିବା ହରିଚନ୍ଦନପୁର ଦେଶି ମଦ ଭାଟି, ବାରିଆ ଥାନା ଅଂଚଳରେ ଥିବା ଉଖୁଣ୍ଡା ଦେଶି ମଦ ଭାଟି, ତେଲକୋଇ ଥାନା ଅଂଚଳରେ ଥିବା ତେଲକୋଇ ଦେଶି ମଦ ଭାଟି, ଜଗମୋହନପୁର ଦେଶି ମଦ ଭାଟି, ଚମ୍ପୁଆ ଥାନା ଅଂଚଳରେ ଥିବା ରିମୁଳି ଦେଶି ମଦ ଭାଟି, ତୁରୁମୁଙ୍ଗା ଥାନା ଅଂଚଳରେ ଥିବା ଖିରେଇଟାଙ୍ଗିରୀ ଦେଶି ମଦ ଭାଟି, ରାମଚନ୍ଦ୍ରପୁର ଥାନା ଅଂଚଳରେ ଥିବା ଖଲଣା ଦେଶି ମଦ ଭାଟି, ବଡବିଲ ଥାନା ଅଂଚଳରେ ଥିବା ଭଦ୍ରାସାହି ଦେଶି ମଦ ଭାଟି, ଟାଉନ ଥାନା ଅଂଚଳରେ ଥିବା ବାଁପାର ଦେଶି ମଦ ଭାଟି, ଘଟଗାଁ ଥାନା ଅଂଚଳରେ ଥିବା ବାଙ୍ଗପାଟୁଳି ଦେଶି ମଦ ଭାଟି, ପାଟଣା ଥାନା ଅଂଚଳରେ ଥିବା ସାହାରପଡା ଦେଶି ମଦ ଭାଟି, ପାଟଣା ଦେଶି ମଦ ଭାଟି, ନନ୍ଦିପଦା ଥାନା ଅଂଚଳରେ ଥିବା ହାଟଡିହି ଦେଶି ମଦ ଭାଟି, ସୋସୋ ଥାନା ଅନ୍ତର୍ଗତ ଢେଙ୍କା ଦେଶି ମଦ ଭାଟି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତିରେ ଚାଲିଛି । ବର୍ଜ୍ୟ ଜଳକୁ ବିଶୋଧନ କରିବା ପାଇଁ ଇଟିପି ବା ଟ୍ରିଟମେଂଟ ପ୍ଲାଣ୍ଟ ନଥିବାରୁ ଆଖପାଖ ଜମିରେ ବର୍ଜ୍ୟଜଳ ମିଶି ଜଳ ପ୍ରଦୂଷଣ କରୁଛି । ମଦ ପ୍ରସ୍ତୁତ ବେଳେ ବ୍ୟାପକ ଜଳ ପ୍ରଦୂଷଣ ହେଉଛି । ମହୁଲ ଫୁଲରୁ ପ୍ରସୁତ ମଦ ଯୋଗୁ ଦୁର୍ଗନ୍ଧ ହେଉଛି । ମଦ ଭାଟିରୁ ନିର୍ଗତ ବର୍ଜ୍ୟ ସଠିକ୍ ପରିଚାଳନା କରାଯାଉନଥିବାରୁ ପାଶ୍ୱର୍ବର୍ତ୍ତୀ ଅଂଚଳ ପରିବେଶ ପ୍ରଦୂଷିତ ହେଉଛି । ବିନା ପରିବେଶ ମଞ୍ଜୁରୀରେ ଚାଲିଥିବା ଦେଶୀ ମଦ ଭାଟି ତୁରନ୍ତ ବନ୍ଦ କରିବାକୁ ଦାବି ହୋଇଛି । ପ୍ରଶାସନ ଏ ଦିଗରେ ତ୍ୱରିତ ପଦକ୍ଷେପ ନ ନେଲେ ପ୍ରଭାବିତ ଲୋକମାନେ ବାଧ୍ୟ ହୋଇ ଏନ୍ଜିଟିର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ଜିଲ୍ଲା ଅବକାରୀ ଅଧିକ୍ଷିକା ସୀତାରାଣୀ ପଟ୍ଟାୟତଙ୍କୁ ପଚାରିବାକୁ ଯେଉଁ ଦେଶୀ ମଦ ଭାଟିର ପରିବେଶ ମଞ୍ଜୁରୀ ଏବଂ ସିଟିଓ ନାହିଁ ସେମାନଙ୍କୁ ଉଭୟ ବିଭାଗର ଅନୁମତି ଆଣିବାକୁ କୁହାଯିବ ।