ଏନଡ଼ିଏ ଛାଡ଼ିଲେ ପଶୁପତି

ପାଟନା:  ବିଜେପି ନେତୃତ୍ୱାଧୀନ ଏନଡ଼ିଏକୁ ବାଏବାଏ କରିଛନ୍ତି ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରଶ  । ଦଳିତ ପାର୍ଟି ହୋଇଥିବାରୁ ଦଳ ପ୍ରତି ଅବିଚାର କରାଯାଉଛି ବୋଲି ପଶୁପତି କହିଛନ୍ତି  ।
ବିହାରରେ ଅନୁଷ୍ଠିତ ବିଜେପି ଓ ଜେଡ଼ିୟୁ ମୁଖ୍ୟଙ୍କ ବୈଠକରେ ତାଙ୍କ ନାମ ଉଠିନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି  । ୨୦୧୪ରୁ ସେ ଏନଡ଼ିଏ ସାଙ୍ଗରେ ଥିବାବେଳେ ଆଜିଠାରୁ ଏନଡ଼ିଏ ସହ ନାହାନ୍ତି ବୋଲି ଘୋଷଣା କରିଛନ୍ତି  । ଅପରପକ୍ଷରେ ଏନଡ଼ିଏ ଛାଡ଼ି ସେ ବିରୋଧୀଙ୍କ ମହାଗଠବନ୍ଧନ ଆଡ଼େ ମୁହାଁଇଛନ୍ତି  । ସେମାନେ ଯଦି ତାଙ୍କ ଦଳକୁ ଠିକ୍ ସମୟରେ ସମ୍ମାନ ଦେବେ ତେବେ ସେ ଏନେଇ ଚିନ୍ତା କରିବେ ବୋଲି କହିଛନ୍ତି  । ପଶୁପତି ହେଉଛନ୍ତି ରାମ ବିଳାସ ପାଶୱାନଙ୍କ ଭାଇ  । ୨୦୨୧ରେ ସେ ଏହି ଦଳ ଗଠନ କରିଥିଲେ  । ଗତ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ମୋଦି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଥିଲା  । ପାଶୱାନଙ୍କ ପୁଅ ଚିରାଗଙ୍କ ସହ ବି ତାଙ୍କର ଦୀର୍ଘଦିନ ଧରି ବିବାଦ ଲାଗିରହିଛି  । ନିକଟରେ ବିହାର ସରକାର ପଶୁପତିଙ୍କୁ ଦେଇଥିବା ବଙ୍ଗଳାକୁ ଖାଲି କରି ଚିରାଗଙ୍କୁ ଦେଇଥିଲେ  ।