ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି ବୈଠକ
କଟକ : କଟକ ଜିଲ୍ଲା ତଥା ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା କଟକ ଉତ୍ସବ-୨୦୨୫ ଅନୁଷ୍ଠିତ ହେବ । ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ଐତିହାସିକ ବାଲିଯାତ୍ରା କଟକ-୨୦୨୫ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ସହ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ତେବେ ଚଳିତ ବର୍ଷ ବାଲିଯାତ୍ରା କେବଳ ତଳ ପଡ଼ିଆରେ କରାଯିବାକୁ ସ୍ଥିର କରାଯାଇଛି । ପୂର୍ବରୁ ୩୪ଏକର ପରିମିତ ସ୍ଥାନରେ ବାଲିଯାତ୍ରା ଆୟୋଜିତ ହେଉଥିବାବେଳେ ଚଳିତ ବର୍ଷ କେବଳ ତଳ ପଡ଼ିଆରେ ୬୦ଏକର ସ୍ଥାନରେ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଅଣାଯାଇ ସାରିଛି । ଏନଜିଟିର ଆଦେଶ ସହ ଉଚ୍ଚ ନ୍ୟାୟାଳୟର ନିୟମାବଳୀ ଅନୁଯାୟୀ ବାଲିଯାତ୍ରା ପରିଚାଳନାର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ବାଲିଯାତ୍ରାର ସୁଚାରୁ ପରିଚାଳନା ନିମନ୍ତେ ବିଭିନ୍ନ କମିଟିମାନ ଗଠନ କରାଯାଇଛି । ଏଥିସହ ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ପାଇଁ ଲଗାତାର ତୃତୀୟ ବର୍ଷ ନିମନ୍ତେ ଚଳିତ ଥରର ବାଲିଯାତ୍ରା ସଂପର୍କିତ ରିପୋର୍ଟ ୟୁନେସ୍କୋକୁ ପଠାଯିବ ।
- ବାଲିଯାତ୍ରାରେ ସୁରକ୍ଷା ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ
- ନଭେମ୍ବର ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା
- କେବଳ ତଳ ପଡ଼ିଆରେ ହେବ ବାଲିଯାତ୍ରା
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲିଯାତ୍ରା କୋର କମିଟି ଗଠନ କରାଯାଇଥିବାବେଳେ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କ ଅଧ୍ୟକ୍ଷତାରେ ଜମି ଆବଣ୍ଟନ କମିଟି, ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କମିଟି, ଅତିରିକ୍ତ ଜିଲ୍ଲାପାଳ ସାଧାରଣଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳନା ଓ ଟେଣ୍ଡର କମିଟି, ଉପଜିଲ୍ଲାପାଳ କଟକ ସଦରଙ୍କ ଅଧ୍ୟକ୍ଷତାରେ ଗଣମାଧ୍ୟମ ସମନ୍ୱୟ କମିଟି କାର୍ଯ୍ୟ କରିବ । ଏହା ବ୍ୟତୀତ ଅତିଥି ଅଭ୍ୟର୍ଥନା କମିଟି, ଗମନାଗମନ କମିଟି, ଅତିଥି ଓ କଳାକାରଙ୍କ ରହଣି ସଂପର୍କିତ କମିଟି, ସ୍ପନସରସିପ କମିଟି, ଏନଫୋର୍ସମେଣ୍ଟ କମିଟି, ଯାଞ୍ଚ ଓ ସୁରକ୍ଷା କମିଟି, ପରିଚ୍ଛନ୍ନତା ଓ ବୈଦ୍ୟୁତିକ ନିରାପଦା କମିଟି, କେମିକାଲ ଡଷ୍ଟିଂ କମିଟି ଆଦି ବିଭିନ୍ନ କମିଟିମାନ ଗଠନ କରାଯାଇଛି। ବୈଦ୍ୟୁତିକ ସୁରକ୍ଷା, ମଂଚ ଓ ଭିତ୍ତିଭୂମି ସୁରକ୍ଷା, ଅଗ୍ନିଶମ ସୁରକ୍ଷାକୁ ସୁନିଶ୍ଚିତ କରାଇବା, ଦୋଳି ଓ ଅନ୍ୟାନ୍ୟ ମନୋରଂଜନ ଭିତ୍ତିକ ସରଞ୍ଜାମର ସୁରକ୍ଷା ପ୍ରମାଣ ପତ୍ର ସହ ତୃତୀୟ ପକ୍ଷ ବୀମା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଳାପାଳ କହିଛନ୍ତି । ଇଣ୍ଟିଗ୍ରେଟେଡ଼ ୱେବସାଇଟ ମାଧ୍ୟମରେ ବାଲିଯାତ୍ରା ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ କରାଯିବାର ବ୍ୟବସ୍ଥା ରହିଛି । ଆଇନ ଶୃଙ୍ଖଳା, ଗମନାଗମନ, ଯାତାୟତ, ଯାନବାହନ ନିୟନ୍ତ୍ରଣ, ଗାଡ଼ି ରହଣି ସ୍ଥଳ, ସ୍ୱଚ୍ଛତା, ବିଦ୍ୟୁତ ଯୋଗାଣ, ପଡ଼ିଆ ସମତୁଲ କରିବା, ଖାଦ୍ୟ ସୁରକ୍ଷା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଅସ୍ଥାୟୀ ଶୌଚାଳୟ ନିର୍ମାଣ ଆଦି ଦିଗରେ ଗତବର୍ଷର ଅଭିଜ୍ଞତାକୁ ଭିତ୍ତିକରି ଅଧିକ ଉନ୍ନତମାନର କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧୀକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାଲିଯାତ୍ରାର ଅନ୍ତତଃ ୨୦ ଦିନ ପୂର୍ବରୁ ସମସ୍ତ ବିଭାଗ ନିଜ ନିଜ କାର୍ଯ୍ୟ ସମ୍ବନ୍ଧୀୟ ନକ୍ସା ପ୍ରସ୍ତୁତ କରି ନେବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ଜାଗା ଆବଣ୍ଟନ ନିମନ୍ତେ ଅନଲାଇନ ମାଧ୍ୟମରେ ଆବେଦନ କରାଯାଇପାରିବ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଚାହୁଁଥିବା ଅନୁଷ୍ଠାନ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟରେ ପଞ୍ଜୀକୃତ ହୋଇଥିବା ବାଧ୍ୟତାମୂଳକ। ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷାତି ସଂପନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଆବଶ୍ୟକ । ଚଳିତ ବର୍ଷ ରାତି ୧୧ଟା ପର୍ଯ୍ୟନ୍ତ ବାଲିଯାତ୍ରା ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।