ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା : ପୁଣି ହୋଇ ପାରନ୍ତି ବୋର୍ଡ ସଭାପତି ତଦନ୍ତ ପରିସରଭୁକ୍ତ

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆହୁରି ଵଢିପାରେ ଗିରଫଦାରୀ । ବୋର୍ଡ ସଭାପତିଙ୍କୁ ଚାରିଥର ଜେରା କଲାଣି କ୍ରାଇମ୍‌ବ୍ରାଞ୍ଚ । ଅଧିକ୍ତ ତଥ୍ୟ ଲାଗି ଦରକାର ପଡ଼ିଲେ ବୋର୍ଡ ସଭାପତିଙ୍କୁ ପୁଣି ତଦନ୍ତ ପାଇଁ ଡକାଯିବ । ଏନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଗିରଫ ଓ ସନ୍ଦେହରେ ଥିଵା ଅଭିଯୁକ୍ତଙ୍କ ଆର୍ଥିକ କାରବାରର ଛାନଭିନ ଚାଲିଛି । ୨୦୨୨ରେ ଓଟିଇଟି ପରୀକ୍ଷାରେ ଅନିୟମିତତା ଅଭିଯୋଗ ହୋଇଥିଲା । ଏ ନେଇ କିନ୍ତୁ ଵୋର୍ଡ ପକ୍ଷରୁ କୌଣସି ଅଭିଯୋଗ କରାଯାଇନଥିଲା ବୋଲି କ୍ରାଇମବ୍ରାଞ୍ଚ ଯାଞ୍ଚ ପରେ ଜଣାପଡ଼ିଛି । ମାତ୍ର ସେତେବେଳେ ଅଭିଯୋଗ ହୋଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ଆର୍ଥିକ କାରବାର ଦିଗକୁ ନେଇ ଯାଞ୍ଚ ଚାଲିଥିବାରୁ ପୂର୍ବରୁ ହୋଇଥିବା ଅନିୟମିତତାକୁ ତଦନ୍ତ ପରିସରକୁ ଆଣିଛି କ୍ରାଇମ୍‌ବ୍ରାଞ୍ଚ । ସେହିପରି ଏଥର ଅନିୟମିତତାରେ ମୁଖ୍ୟ ଅଭିଯୁକ୍ତ ମାନଙ୍କ ଆର୍ଥିକ ଯାଞ୍ଚ ଚାଲିଥିବାରୁ ସେ ସଂପର୍କିତ ଅନେକ ଦସ୍ତାବିଜ୍ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।  ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ସମେତ ତିନି ଜଣଙ୍କୁ ରିମାଣ୍ଡରେ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । ୬ ଜିଲ୍ଲାରେ ଡକ୍ଟର ମହାନ୍ତିଙ୍କ ପରୋକ୍ଷ ସହଯୋଗରେ ପ୍ରଶ୍ନପତ୍ର ବିକ୍ରି ହୋଇଥିଲା । ତେବେ କେଉଁମାନଙ୍କ ନିକଟକୁ ଏହି ପ୍ରଶ୍ନପତ୍ର ଯାଇଛି, ସେ ନେଇ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣି ଖୋଳତାଡ଼ ଆରମ୍ଭ କରିବାକୁ ଯାଉଛି । ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ନିହାର ମହାନ୍ତି ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମାଧ୍ୟମରେ ନଗଦ ଆକାରରେ ଆର୍ଥିକ କାରବାର କରିଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଜିତନ ମାଧ୍ୟମରେ ପ୍ରଶ୍ନପତ୍ର ରାଜ୍ୟ ପୂର୍ବତନ କ୍ୟାଡର୍‌ ଶିକ୍ଷକ ସଂଘର କାର୍ୟ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କ ନିକଟରେ ପହଞ୍ଚିବା ପରେ କଟକ ସମେତ ଗଞ୍ଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବାଲେଶ୍ବର ଜିଲ୍ଲାରେ ବିକ୍ରି ହୋଇଥିଲା । ନିହାରଙ୍କଠାରୁ ବିଜୟଙ୍କ ଯାଏଁ ପ୍ରଶ୍ନପତ୍ର କାରବାର ଓ ବିକ୍ରି ପଛର କାର୍ପଟଦାର ବୋଲି ସ୍ପଷ୍ଟ ପ୍ରମାଣ ମିଳିଛି । ତେଣୁ କ୍ରାଇମବ୍ରାଞ୍ଚ ତିନି ଦିନିଆ ରିମାଣ୍ଡରେ ଏମାନଙ୍କୁ ଆଣିବାକୁ ଯୋଜନା କରୁଛି ।