ଓଡ଼ିଆ ଗଦ୍ୟ ଓ କଥା ସାହିତ୍ୟର ସୃଷ୍ଟିକର୍ତ୍ତା 

ମହାନ ଗଣନାୟକ, ଲେଖକ, ଯୁଗପ୍ରବର୍ତ୍ତକ, ଔପନ୍ୟାସିକ, କବି ତଥା ଓଡିଆ ଭାଷା ଆନ୍ଦୋଳନର ପ୍ରମୁଖ ପୁରୋଧାମାନଙ୍କ ମଧ୍ୟରୁ ଜଣେ ଶ୍ରୀ ଫକୀର ମୋହନ ସେନାପତିଙ୍କ ଜନ୍ମ ୧୮୪୩ ମସିହା ଜାନୁଆରୀ ମାସର ୧୩ ତାରିଖ ଦିନ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁର ଗ୍ରାମରେ ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାଆ ତୁଳସୀ ଦେବୀଙ୍କ ଔରସରୁ ହୋଇଥିଲା ।କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ତାଙ୍କୁ ମାତ୍ର ଦେଢ଼ବର୍ଷ ବୟସ ହୋଇଥିବା ବେଳେ ପିତାଙ୍କର ଦେହାନ୍ତ ହୋଇଥିଲା ଏବଂ ତିନିବର୍ଷ ବୟସ ବେଳକୁ ସେ ମାଆଛେଉଣ୍ଡ ହୋଇଥିଲେ । ଜନ୍ମ ସମୟରେ ବ୍ରଜମୋହନ ଭାବରେ ନାମିତ ଏହି ମହାନ ବ୍ୟକ୍ତି ନିଜର ବାଲ୍ୟକାଳରେ ଅନେକ ବ୍ୟାଧି ହେତୁ ଦୁର୍ବଳ ରହୁଥିଲେ ଏବଂ ତାଙ୍କୁ ବାରମ୍ବାର ତତ୍କାଳୀନ ଚିକିତ୍ସକ ବା ଫକୀର ମାନଙ୍କ ପାଖକୁ ନିଆଯାଉଥିବା ହେତୁ ପ୍ରକାରାନ୍ତରେ ତାଙ୍କ ନାମ ଫକୀରମୋହନ ବୋଲି ରଖି ଦିଆଯାଇଥିଲା । ବ୍ୟକ୍ତିଗତ ସ୍ତରରେ ସେ ଜଣେ ଅତ୍ୟନ୍ତ ଦୁଃଖୀ ମନୁଷ୍ୟ ଥିଲେ । ବାଲ୍ୟ ସମୟରେ ପିତାମାତାଙ୍କୁ ହରାଇଥିଲେ ସେ, ଏହାପରେ ବାରମ୍ବାର ଅସୁସ୍ଥ ରହୁଥିଲେ । ୧୮୫୬ ମସିହାରେ ସେ ବିବାହ କରିଥିଲେ ମଧ୍ୟ ନିଜର ପ୍ରଥମ ପତ୍ନୀଙ୍କୁ ହରାଇଥିଲେ । ପୁଣି ୧୮୭୧ ମସିହାରେ ଦ୍ୱିତୀୟ ବିବାହ କରିବା ପରେ ମଧ୍ୟ ସେ ହଇଜାରେ ପ୍ରାଣ ହରାଇଥିଲେ । ପ୍ରଥମ ପତ୍ନୀଙ୍କ ଠାରୁ ଜନ୍ମିତ ତାଙ୍କର ପ୍ରଥମ ପୁତ୍ର ମାତ୍ର ଛଅ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲା, ଦ୍ୱିତୀୟ ପତ୍ନୀଙ୍କ ଔରସରୁ ଜନ୍ମିତ ପୁତ୍ର ସହ ତାଙ୍କର ମନାନ୍ତର ହୋଇଥିଲା । ଅନେକ ଦୁଃଖରେ ମଧ୍ୟ ସେ ଆମକୁ ଅନେକ ଉପାଦେୟ ଗ୍ରନ୍ଥ ଓ ଏକ ଉନ୍ନତ ଭାଷା ଭଣ୍ଡାରେ ଦେଇଯାଇଛନ୍ତି । ଫକୀର ମୋହନ ଆର୍ଥିକ ଅନଟନ ହେତୁ ବେଶୀ ପାଠ ପଢ଼ା କରିନପାରି, ଏକ ବିଦ୍ୟାଳୟରେ ଶିକ୍ଷକ ରୂପେ କାର୍ଯ୍ୟ ତୁଲାଇଥିଲେ  । ଏହାପରେ ସେ କିରାଣି ଭାବରେ ଏବଂ ପରେ ଏକ ମିଶନ ସ୍କୁଲରେ ଶିକ୍ଷକତା କରିଥିଲେ । 

ଆଧୁନିକ ଓଡିଆ ଗଳ୍ପ ଜଗତର ଔଜ୍ଜଲ୍ୟତମ ତାରକା ଥିଲେ ଶ୍ରୀ ଫକୀର ମୋହନ ସେନାପତି । ସେ ବିଭିନ୍ନ ଭାଷାରେ ଉଚ୍ଚ଼କୋଟୀର ଲେଖାମାନ ପଢ଼ିବା ସହିତ ଗବେଷଣା କରୁଥିଲେ । ନିଜ ଭିତରେ ଥିବା ଓଡିଆ ଅସ୍ମିତାକୁ ସେ କେବେ ହେଲେ ମରିବାକୁ ଦେଇ ନ ଥିଲେ । ବାଲେଶ୍ୱରରେ ଅତ୍ୟଧିକ ମାତ୍ରାରେ ବଙ୍ଗଳା ଭାଷାର ପ୍ରଭାବ ରହିଥିଲେ ମଧ୍ୟ ସେ କେବେହେଲେ ବଙ୍ଗଳା ଭାଷାର ପ୍ରଭାବରେ ନିଜକୁ ନିଷ୍ପ୍ରଭ ହେବାକୁ ଦେଇ ନ ଥିଲେ । ନିଜକୁ ଜଣେ ଓଡିଆ ବୋଲି କହି ସବୁବେଳେ ସେ ଗର୍ବ ଅନୁଭବ କରୁଥିଲେ । ସେ ଓଡିଆ ସମେତ, ଇଂରାଜୀ, ବଙ୍ଗାଳୀ ଏବଂ ସଂସ୍କୃତ ଭାଷାରେ ମଧ୍ୟ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ତାଙ୍କର ମହାନତା ସେତେବେଳେ ଜଣାପଡିଥିଲା ଯେତେବେଳେ ତତ୍କାଳୀନ ଇଂରେଜ ସରକାର ଓଡିଆଭାଷାର ଅବସ୍ଥିତିକୁ ପ୍ରଶ୍ନବାଚୀ କରିଦେଇ ଓଡିଶାରେ ବଙ୍ଗାଳୀ ଶିକ୍ଷକ ଓ ଭାଷାରେ ବିଦ୍ୟାଳୟରେ ଶିକ୍ଷାଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମହାନ ଯୁଗଜନ୍ମା ଫକୀରମୋହନ ସେତେବେଳେ ଓଡିଆ ଭାଷା ଆନ୍ଦୋଳନର ମଙ୍ଗ ଧରିଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ପ୍ରଚେଷ୍ଟାରେ ସେ ଓଡିଆ ପ୍ରେସ ସ୍ଥାପନ କରି ବିଦ୍ୟାଳୟର ବିଭିନ୍ନ ଶ୍ରେଣୀପାଇଁ ପାଠ୍ୟପୁସ୍ତକମାନ ଓଡିଆ ଭାଷାରେ ଛପାଇ କଲିକତାରେ ଥିବା ଇଂରେଜ ମହକମାରେ ନେଇ ଉପସ୍ଥିତ ହୋଇଥିଲେ । ଫକୀର ମୋହନଙ୍କ ପ୍ରଚେଷ୍ଟା ହେତୁ ଓଡିଶାରେ ଓଡିଆ ଭାଷାରେ ଶିକ୍ଷାଦାନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଓଡିଆ ଭାଷାର ଉନ୍ନତି, ପ୍ରଚାର ଓ ପ୍ରସାର ନିମନ୍ତେ ସେ ଉତ୍କଳ ଭାଷା ଉନ୍ନତି ବିଧାନି ସଭା ନାମକ ଏକ ସଂଗଠନ ପ୍ରତିଷ୍ଠା କରିଥିଲେ । ଓଡିଆ ଭାଷା ଓ ଓଡିଶା ଭୂମିପାଇଁ ସେ ସ୍ୱେ୍‌ଛାକୃତ କାର୍ଯ୍ୟ କରିଥିଲେ ଏବଂ ଓଡିଆ ସଂଗଠନର ସେ ପୁରୋଧା ଥିଲେ । 

ଫକୀର ମୋହନଙ୍କୁ ଓଡିଆ ଗଦ୍ୟ ବା କଥା ସାହିତ୍ୟର ସୃଷ୍ଟିକର୍ତ୍ତା ବୋଲି କୁହାଯାଏ । ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ‘ଛ’ ମାଣ ଆଠ ଗୁଣ୍ଠ’, ‘ମାମୁଁ’, ‘ପ୍ରାୟଶ୍ଚିତ’ ଓ ‘ଲଛମା’ ତତ୍କାଳୀନ ଊନବିଂଶ ଶତାବ୍ଦୀରେ ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ । ଫକୀର ମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି । କେବଳ ଗଳ୍ପ ଓ ଉପନ୍ୟାସ ନୁହେଁ, ସେ ଅନେକ କବିତା ମଧ୍ୟ ଲେଖିଛନ୍ତି । ଫକୀର ମୋହନଙ୍କ ପ୍ରଥମ କବିତା ସଙ୍କଳନ ‘ଉତ୍କଳ ଭ୍ରମଣ’ ୧୮୯୨ରେ ପ୍ରକାଶ ପାଇଥିଲା । ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ‘ପୁଷ୍ପମାଳା’, ‘ଉପହାର’, ‘ପୂଜା ଫୁଲ’, ‘ପ୍ରାର୍ଥନା’ ଓ ‘ଧୂଳି’ ହେଉଛି ପ୍ରମୁଖ । ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ’ମହାଭାରତ’ ଓ ’ରାମାୟଣ’କୁ ଓଡ଼ିଆରେ ଅନୁବାଦ କରିଥିଲେ । ଏ ଦୁଇଟି ଗ୍ରନ୍ଥକୁ ଆକ୍ଷରିକ ନୁହେଁ ବରଂ ସେ ଭାବାନୁବାଦ କରିଥିଲେ । ତେବେ ତାଙ୍କର ଏହି ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ଏହି ମହତ ପ୍ରଚେଷ୍ଟା ଲାଗି ତାଙ୍କୁ ‘ବ୍ୟାସକବି’ର ଆଖ୍ୟା ଦିଆଯାଇଥିଲା । ତତ୍କାଳୀନ ବାମରା ରାଜାଙ୍କଦ୍ୱାରା ସେ “ସରସ୍ୱତୀ” ଉପାଧିରେ ମଧ୍ୟ ଭୂଷିତ ହୋଇଥିଲେ । ୧୮୬୮ରେ ନିଜସ୍ୱ ପ୍ରଚେଷ୍ଟାରେ ସେ ବାଲେଶ୍ୱରରେ ’ଉତ୍କଳ ପ୍ରେସ୍‌?’ ନାମରେ ଏକ ଛାପାଖାନା ପ୍ରତିଷ୍ଠା କଲେ, ଯାହା ହେଉଛି ଓଡ଼ିଶାର ଦ୍ୱିତୀୟ ଛାପାଖାନା । ଏହିଠାରୁ ସେ ଓଡ଼ିଆରେ ବିଭିନ୍ନ ପତ୍ରିକା ଓ ସମ୍ବାଦପତ୍ରମାନ ସମ୍ପାଦନା ଓ ପ୍ରକାଶନ କରୁଥିଲେ । ଏଥିମଧ୍ୟରୁ “ବୋଧଦାୟିନୀ”, “ନବସମ୍ବାଦ” ଓ “ସମ୍ବାଦ ବାହିକା” ଆଦି ପ୍ରମୁଖ । ପ୍ରଥମାବସ୍ଥାରେ ସେ ପ୍ରକାଶକ, ଲେଖକ, ସମ୍ପାଦକ, ମୁଦ୍ରଣକାରୀ, ବଣ୍ଟନକାରୀ ଏବଂ ମାଲିକ ଥିଲେ । ପରବର୍ତ୍ତୀ ସମୟରେ ସେ ରାଧାନାଥ ରାୟ ଏବଂ ମଧୁସୂଦନ ରାଓଙ୍କୁ ନିଜର ସହକର୍ମୀ ଭାବରେ ନେଇଥିଲେ ଏବଂ ସେମାନେ ‘ବୋଧଦାୟିନୀ’ ପାଇଁ ଗଳ୍ପ ମଧ୍ୟ ଲେଖୁଥିଲେ ।

ଫକୀରମୋହନଙ୍କ ପାଣ୍ଡିତ୍ୟର ପରାକାଷ୍ଠା ତାଙ୍କୁ ଇଂରେଜ ସାହେବମାନଙ୍କ ଠାରୁ ସମ୍ମାନ ଆଣିଦେଇଥିଲା । ବାଲେଶ୍ୱରର ତତ୍କାଳୀନ ଜିଲ୍ଲାପାଳ ଜନ୍‌ ବିମ୍‌ସ ତାଙ୍କୁ ବହୁତ ସମ୍ମାନ କରୁଥିଲେ ଏବଂ ନିଜର ସମ୍ମାନ ପ୍ରଦର୍ଶନ୍‌ ସ୍ୱରୂପ ତାଙ୍କୁ ନୀଳଗିରିର ଦିୱାନ ପଦବୀ ପ୍ରଦାନ କରିଥିଲେ । ପରେ ପରେ ଫକୀରମୋହନ ଡମପଡା, ଢେଙ୍କାନାଳ, ଦଶପଲ୍ଲା, ପାଲଲହଡା, କେଉଁଝର ଆଦି ସ୍ଥାନରେ ଦେୱାନ ଦାୟିତ୍ୱ ତୁଲାଇଥିଲେ । ନିଜର ସମଗ୍ର ଜୀବନ ସେ ଭାଷା ଓ ସାହିତ୍ୟପାଇଁ ନିୟୋଜିତ କରିଥିଲେ । ଓଡିଆ ଭାଷାରେ ଗଳ୍ପ ଓ ଉପନ୍ୟାସ ତଥା ସର୍ବଭାରତୀୟ ସ୍ତରରେ ପ୍ରଥମ ଔପନ୍ୟାସିକ ଭାବରେ ଆମେ ଫକୀରମୋହନ ପରିଚିତ । ତାଙ୍କ ଦ୍ୱାରା ରଚିତ ପ୍ରତ୍ୟେକ ଉପନ୍ୟାସ ତତ୍କାଳୀନ ଓଡିଶାର ଏକ ନିଚ୍ଛକ ଚିତ୍ରଣ ଥିଲା, ସେ ଲେଖିଥିବା ଛଅମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ ଓ ଲଛମା ଓଡିଆଭାଷାର କାଳଜୟୀ କୃତି । ଏହି ଚାରୋଟି ଉପନ୍ୟାସ ବ୍ୟତୀତ ସେ ନିଜର ଆତ୍ମଜୀବନୀ ମଧ୍ୟ ଲେଖିଥିଲେ, ଯାହାର ନାଆଁ ଥିଲା, ଆତ୍ମଜୀବନ ଚରିତ । ୧୮୬୦ ମସିହାରେ ସେ ଓଡିଆଭାଷାର ପ୍ରଥମ କ୍ଷୁଦ୍ରଗଳ୍ପ ଲେଖିଥିଲେ ଲଛମନିଆ, ଯାହା ତାଙ୍କଦ୍ୱାରା ସମ୍ପାଦିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହାପରେ ୧୮୯୮ ମସିହାରେ ତାଙ୍କ ରଚିତ ରେବତୀ ବହୁତ ଜନପ୍ରିୟତା ଲାଭ କରିଥିଲା । ପରେ ପରେ ସେ ଅନେକ କ୍ଷୁଦ୍ର ଗଳ୍ପ ଯଥା ପେଟେଣ୍ଟ୍‌ ମେଡିସିନ୍‌, ଡାକମୁନସୀ, ଅଧର୍ମବିତ୍ତ, ରାଣ୍ଡିପୁଅ ଅନନ୍ତା ଆଦି ପ୍ରକାଶିତ ହୋଇଥିଲା ।

 ଉପନ୍ୟାସ ଓ କ୍ଷୁଦ୍ରଗଳ୍ପରେ ପ୍ରବୀଣ ଫକୀର ମୋହନ କାବ୍ୟ ରଚନାରେ ମଧ୍ୟ ସମାନ ପରିମାଣର ପାଣ୍ଡିତ୍ୟ ଦେଖାଇଛନ୍ତି। ତାଙ୍କର ପ୍ରଥମ କବିତା ସଂଗ୍ରହ ଉତ୍କଳ ଭ୍ରମଣ ୧୮୯୨ ମସିହାରେ ପ୍ରକାଶିତ ହୋଇଥିଲା । ପରେ ପରେ ସେ ପୁଷ୍ପମାଳା, ଉପହାର, ପୂଜାଫୁଲ, ପ୍ରାର୍ଥନା, ଧୂଳି ଆଦି ଅନେକ କାବ୍ୟ ରଚନା କରିଛନ୍ତି । ନିଜର ପ୍ରଥମ ପତ୍ନୀ ଅସୁସ୍ଥ ଥିବା ସମୟରେ ସେ ସଂସ୍କୃତରେ ରଚିତ ରାମାୟଣ ଓ ମହାଭାରତକୁ ଓଡିଆରେ ଅନୁବାଦ କରି ଶୁଣାଉଥିଲେ ଏବଂ ଏହା ଓଡିଆଭାଷାରେ ସରଳ ଭାବରେ ଭାଷାନୁବାଦିତ ରାମାୟଣ ଓ ମହାଭାରତ ହୋଇଥିବା ହେତୁ ତାଙ୍କୁ ବ୍ୟାସକବି ବୋଲି ଉପାଧି ଦିଆଯାଏ । ୧୮୯୬ରୁ ୧୯୦୫ ଯାଏ ସେ କଟକରେ ରହିଥିଲେ ଓ ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ସକ୍ରିୟ ଥିଲେ ଓ ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିଲେ ଓ ପରେ ପରେ ଜୀବନର ଶେଷ ସମୟ ସେ ବାଲେଶ୍ୱରରେ ଅବସ୍ଥାନ କରି ୧୪ ଜୁନ୍‌, ୧୯୧୮ ମସିହାରେ ୭୫ ବର୍ଷ ବୟସରେ ଫକୀର ମୋହନ ଇହଲୀଳା ସମ୍ୱରଣ କରିଥିଲେ ।

ଅରଙ୍ଗାବାଦ, ବରୀ, ଯାଜପୁର
ମୋବାଇଲ - ୯୯୩୮୯୦୬୦୭୦