ଓଭୋ ଫାର୍ମ ଉଦ୍ଘାଟନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର/ବରକାନ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବଲାଙ୍ଗିରର ବରକାନି ଠାରେ ‘ଓଭୋ ଫାର୍ମ ଅଣ୍ଡା ପ୍ରକ୍ରିୟାକରଣ କାରଖାନା'ର ଶୁଭାରମ୍ଭ କରିବା ସହ ପରିଦର୍ଶନ କରିଛନ୍ତି । ଆକାଂକ୍ଷା ଜିଲ୍ଲାରେ ଏହି ପ୍ଲାଣ୍ଟର ସ୍ଥାପନା ଆତ୍ମବିଶ୍ୱାସ ଓ ଦୃଢ କଳ୍ପନାର ପ୍ରତିଫଳନ ତଥା ବଲାଙ୍ଗୀର ସମେତ ରାଜ୍ୟ ପାଇଁ ଏକ ଉଦାହରଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜିର ପଦକ୍ଷେପ ଦ୍ୱାରା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଲାଙ୍ଗିର ଆଉ ଗୋଟିଏ ପାଦ ଆଗକୁ ବଢିଲା । ବଡ କାମ କରିବା ପାଇଁ ହେଲେ ବଡ ଭାବିବାକୁ ପଡେ । ବଲାଙ୍ଗିର ଭଳି ଆକାଂକ୍ଷୀ ଜିଲ୍ଲାରେ ଏଭଳି ବିଶ୍ୱମାନର ପ୍ଲାଣ୍ଟର କଳ୍ପନାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବଲାଙ୍ଗୀର ଭଳି ଅଞ୍ଚଳରୁ ସ୍ଥାପନା ହୋଇଥିବା ଏହି ପ୍ଲାଣ୍ଟର ଏକ ଗ୍ଲୋବାଲ ମାର୍କେଟ୍ ଅଛି ।ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ଉଦ୍ୟମ କରିଥିବାରୁ ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିଦେ୍ର୍ଦଶକ ସୌମେନ୍ଦ୍ର ମିଶ୍ର ଏବଂ ସହଯୋଗୀ ସମରେନ୍ଦ୍ର ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ଅଞ୍ଚଳ ପ୍ରତି ଆସକ୍ତି, ମମତା ଥିବା କାରଣରୁ ସେ ଏହି କାରଖାନାକୁ ସାକାର ରୂପ ଦେଇଛନ୍ତି ।