ଓଡ଼ିଶାରେ କମ୍ ବର୍ଷିଛି
ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ ଆସୁଛି । ବିଭିନ୍ନ ଜିଲ୍ଲାକୁ ୟେଲୋ, ଅରେଞ୍ଜ ୱାର୍ଣ୍ଣିଂ ଜାରିହେଉଛି । ହେଲେ ଗାଏମୋଟ୍ ଦେଖିଲେ ଜୁନ୍ ପହିଲାରୁ ଏଯାବତ୍ ରାଜ୍ୟରେ କମ୍ ବର୍ଷା ହୋଇଛି । ଏହି ସମୟରେ ସାଧାରଣତଃ ୯୪୧.୧ ମିମି ବର୍ଷା ହେବା କଥା ହେଲେ ୯୦୭.୮ ମିମି ବର୍ଷା ହୋଇଛି । ଆଇଏମଡ଼ିର ତଥ୍ୟ ଅନୁଯାୟୀ, ରାଜ୍ୟର ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ନବରଙ୍ଗପୁରରେ ସ୍ୱାଭାବିକ ଠାରୁ ୨୦% କମ୍ ଅର୍ଥାତ୍ ୯୧୦ ମିମି ବର୍ଷା ହୋଇଥିବାବେଳେ ରାୟଗଡ଼ାରେ ସ୍ୱାଭାବିକ ଠାରୁ ୨୬% ଅର୍ଥାତ୍ ୫୮୫.୧ ମିମି ବର୍ଷା ହୋଇଛି । ସେହିପରି କଳାହାଣ୍ଡିରେ ୩୦% କମ୍ ଅର୍ଥାତ୍ ୮୦୭ ମିିମ ବର୍ଷା ହୋଇଥିବାବେଳେ ବଲାଙ୍ଗୀରରେ ୨୮% କମ୍ ଅର୍ଥାତ୍ ୬୫୬.୮ ମିିମି ବର୍ଷା ହୋଇଛି । ଅପରପକ୍ଷରେ ଗଜପତିରେ ୫୫୭.୪ ମିମି ଓ ଗଞ୍ଜାମରେ ୫୪୨.୯ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ଠାରୁ ୨୧% କମ୍ ରହିଛି । ପୁରୀରେ ୫୬୩ ମିମି ଅର୍ଥାତ୍ ୩୧% କମ୍ ବର୍ଷା ହୋଇଥିବାବେଳେ ଖୋର୍ଦ୍ଧାରେ ୬୭୪.୧ ମିମି ଅର୍ଥାତ୍ ୨୨% କମ୍ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ଯେତେବେଳେକି ଯାଜପୁରରେ ୭୯୩.୨ ମିମି ଅର୍ଥାତ୍ ୨୦ ମିମି ବର୍ଷା ହୋଇଥିବା ଜଣାପଡ଼ିଛି ।
ସମ୍ପ୍ରତି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ କ୍ଷେତ୍ର ଉତ୍ତର ଓଡ଼ିଶା ଉପକୂଳରେ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାହା ଉତ୍ତର ଓଡ଼ିଶା, ସଂଲଗ୍ନ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଯେତେବେଳେକି ମୌସୁମୀ ଟ୍ରଫ ସମ୍ବଲପୁର ଦେଇ ଉତ୍ତର ଓଡ଼ିଶା ଉପକୂଳ ଦେଇ ଗତି କରୁଛି । ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରିରେ ଗୋଟିଏ ଦୁଇଟି ସ୍ଥାନରେ ଝଟକାପବନର ବେଗ ୩୦ରୁ ୪୦ କିମି ବେଗରେ ବହିବା ସହ ବଜ୍ରପାତର ସମ୍ଭାବନା ଅଛି ।