ଔଷଧୀୟ ଉଦ୍ଭିଦ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର: ରାଜ୍ୟରେ ଔଷଧୀୟ ଉଦ୍ଭିଦର ସୁରକ୍ଷା, ଚାଷ, ପ୍ରଚାର ଓ ବାଣିଜ୍ୟକରଣକୁ ଉନ୍ନତ କରିବାରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକ ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥ ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡ ଓଡ଼ିଶାର ସମୃଦ୍ଧ ଔଷଧୀୟ ପାରମ୍ପରିକତାକୁ ସୁରକ୍ଷା କରିବା ସହିତ ଏହାକୁ ଗ୍ରାମୀଣ ଅର୍ଥନୀତି ଏବଂ ସ୍ଥାୟୀ ବିକାଶରେ ସହଭାଗୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । କୃଷକମାନଙ୍କୁ ପ୍ରଶିକ୍ଷଣ ଦେଇ ଔଷଧୀୟ ଉଦ୍ଭିଦ ଚାଷକୁ ବ୍ୟାପକ କରିବା ଏବଂ ଔଷଧୀୟ ଉଦ୍ଭିଦର ସଂରକ୍ଷଣ କରିବା ସହିତ ପ୍ରାକୃତିକ ବିଭିନ୍ନତାରେ ଔଷଧୀୟ ପ୍ରଜାତିଗୁଡ଼ିକୁ ସୁରକ୍ଷା କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ । ପାଇଲଟ ଭାବେ ପ୍ରଥମ ବର୍ଷର ପାଣ୍ଠି ଓଡ଼ିଶା ବନାଞ୍ଚଳ ଉନ୍ନୟନ ବିକାଶ ସମିତି ମାଧ୍ୟମରେ କରାଯିବ । ଦ୍ୱିତୀୟ ବର୍ଷ ଠାରୁ ଏହି କାର୍ଯ୍ୟକ୍ରମକୁ ଆୟୁଷ, ପଞ୍ଚାୟତିରାଜ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗ ସହିତ ସମନ୍ୱୟ ମାଧ୍ୟମରେ ସଂପ୍ରସାରିତ କରାଯିବ । ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ବୈଷୟିକ ସହଯୋଗକୁ ମଜଭୁତ କରିବା ପାଇଁ ନଭେମ୍ବର ପ୍ରଥମ ସପ୍ତାହରେ ଏଫଆରଏଲଏଚଟି (ବେଙ୍ଗାଲୁରୁ), ଆଇଆରଏମଏ (ଆନନ୍ଦ) ଏବଂ ଏମଏସଏସଆରଏଫ (ଚେନ୍ନାଇ) ସହିତ ଏମଓୟୁ ସ୍ୱାକ୍ଷରିତ ହେବ । ଏହି ପଦକ୍ଷେପ ଅଧୀନରେ ବିକଶିତ ଉତ୍ପାଦଗୁଡିକ ରାଜ୍ୟର ନୂତନ ହର୍ବାଲ୍ ବ୍ରାଣ୍ଡ "କଳିଙ୍ଗ ହର୍ବସ’ ବ୍ରାଣ୍ଡ ନାମରେ ବିପଣନ କରାଯିବ । ବୈଠକ ପ୍ରାରମ୍ଭରେ ଏସ୍ ଏମ୍ ପି ବି ର ମୁଖ୍ୟ କାର୍ଯ୍ୟନିର୍ବାହୀ ଭି. କାର୍ତ୍ତିକ ପିପିଟି ମାଧ୍ୟମରେ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ପଞ୍ଚବାର୍ଷିକ ଭିଜନ୍ ପ୍ଲାନ୍ ଉପସ୍ଥାପନ କରିଥିଲେ । ଓଡ଼ିଶାର କାର୍ଯ୍ୟନିର୍ବାହୀ ସଂସ୍ଥା ସାରା ରାଜ୍ୟରେ ଔଷଧୀୟ ଉଦ୍ଭିଦର ସଂରକ୍ଷଣ, ଚାଷ ଏବଂ ବ୍ୟବସାୟୀକରଣକୁ ମଜଭୁୁତ କରିବା ପାଇଁ ଏହି ପଞ୍ଚବାର୍ଷିକ ଯୋଜନାକୁ ଅନୁମୋଦନ କରାଯାଇଛି ।