କଚ୍ଛପ ଗତିରେ ଚାଲିଛି ପିଏମ୍ ‘ସୂର୍ଯ୍ୟଘର’ ଯୋଜନା; ଦେଢ଼ ବର୍ଷରେ ୫୩୧ ଲାଭାର୍ଥୀ
ଯାଜପୁର : ପିଏମ ‘ସୂର୍ଯ୍ୟଘର’ ଯୋଜନା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି । ସୂର୍ଯ୍ୟଘର ଯୋଜନାରେ ସାମିଲ ହେବାକୁ ସରକାର ପ୍ରୋତ୍ସାହନ ଯୋଗାଇ ଦେବାର ମଧ୍ୟ ଘୋଷଣା କରିଛନ୍ତି । ହେଲେ ଯାଜପୁର ଜିଲାରେ ଏହି ଯୋଜନାଟି କଚ୍ଛପ ଗତିରେ ଚାଲିଛି । ଯଦି କହିବା ସୂର୍ଯ୍ୟଶକ୍ତି ଦ୍ୱାରା ଘର ଆଲୋକିତ କରି ମାଗଣା ବିଜୁଳି ରାଜ୍ୟ ଗଠନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ପିଏମ୍ ସୂର୍ଯ୍ୟଘର ଯୋଜନା’ ଯାଜପୁର ଜିଲ୍ଲାରେ ନିଜ ଗତି ହାରାଇଛି । ଆରମ୍ଭରୁ ଦେଢ଼ ବର୍ଷ ହୋଇଥିଲେ ମଧ୍ୟ ଯେଉଁଠାରେ ୫୫୭୯ଆବେଦନ ଆସିଛି, ସେଠାରୁ ମାତ୍ର ୫୩୧ ଘରେ ସୋଲାର ପ୍ୟାନେଲ ସଂଯୋଗ ହୋଇପାରିଛି ।
ଏହି ଯୋଜନା ଅଧୀନରେ ଗୋଟିଏ ପରିବାର ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ପାଇବା ସହ ସୂର୍ଯ୍ୟ ଶକ୍ତିରେ ଉତ୍ପାଦିତ ବିଦ୍ୟୁତ୍ ବିକ୍ରି କରି ରୋଜଗାର କରିପାରିବେ । କିନ୍ତୁ ଜିଲ୍ଲାରେ ଏହାର କାର୍ଯ୍ୟ କଚ୍ଛପ ଗତିରେ ହେଉଥିବା ଉପରେ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯୋଜନାର ଲକ୍ଷ୍ୟ ଓ ଅବସ୍ଥା ଦିଗହରା ହୋଇପଡ଼ିଥିବାର ଲକ୍ଷ୍ୟ କରାଯାଉଛି । ୨୦୨୪ ଫେବୃଆରୀ ୨୯ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୬-୨୭ ଅବଧି ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସରକାର ଏହା ପାଇଁ ୭୫,୦୨୧ କୋଟି ଟଙ୍କା ବଜେଟରେ ଖର୍ଚ୍ଚ ନିର୍ଦ୍ଦେଶ କରିଛନ୍ତି । ଉପଭୋକ୍ତା ମାନେ ଯଦି ଘର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରନ୍ତି, ସେମାନେ ମାସିକ ବିଜୁଳି ଖର୍ଚ୍ଚରୁ ମୁକ୍ତି ପାଇ ସ୍ୱୟଂ ଶକ୍ତି ଉତ୍ପାଦକ ହୋଇ ଯିବେ । ଯୋଜନା ଅନୁସାରେ ଉପଭୋକ୍ତାମାନେ ୧କିଲୋୱାଟ୍ ପାଇଁ ୫୫ ହଜାର,୨କିଲୋୱାଟ୍ ପାଇଁ ୧.୧ ଲକ୍ଷ, ଏବଂ ୩ କିଲୋୱାଟ୍ ପାଇଁ ସର୍ବାଧିକ ୧.୩୮ଲକ୍ଷ ଟଙ୍କା ରିହାତି ଲାଭ କରିପାରିବେ । ପ୍ରଶାସନିକ ଉଦାସୀନତାରେ ଯୋଜନା ଅସ୍ତବ୍ୟସ୍ତ ।
ସୂତ୍ର ଅନୁସାରେ, ଆବେଦନକାରୀ ଅନେକେ ନିଜ ଅଂଶ ଅର୍ଥ ଜମା କରୁନାହାନ୍ତି ଓ ଫର୍ମରେ ସଠିକ ତଥ୍ୟ ଦେଉନାହାନ୍ତି । ଏହାସହିତ, ଟିପିଏନ୍-ଓଡିଏଲ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଅଭାବ ଥିବାରୁ ଯୋଜନାର ଗତି ଧିର ହୋଇଛି । ତଳ ସ୍ତରର ଅଧିକାରୀ ଓ ଯୋଜନା ସଂସ୍ଥାର ଉଦାସୀନତା ଫଳରେ ଜିଲ୍ଲାରେ ଏହାର ସଫଳତା ପ୍ରଶ୍ନଚିହ୍ନରେ ପଡ଼ିଛି । ଏକ ଅଧିକାରୀଙ୍କ କଥାରେ ଆବେଦନ ପରେ ଅନେକ ଉପଭୋକ୍ତା ନିଜ ଅଂଶ ଅର୍ଥ ଜମା କରୁନାହାନ୍ତି । ଆମେ ସେମାନଙ୍କ ସହ ଯୋଗାଯୋଗ କରି ପ୍ରକ୍ରିୟା ତ୍ୱରାନ୍ୱିତ କରୁଛୁ ବୋଲି ଟିପିଏନ୍, ଓଡିଏଲ୍ର ଜଣେ ଅଧିକାରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ମହା ମୂଲ୍ୟବାନ ସ୍ୱପ୍ନ ଯୋଜନା ଯାଜପୁରରେ ଯଦି ସତେଜ ହେବାକୁ ହୁଏ, ତେବେ ଜିଲ୍ଲା ପ୍ରଶାସନ ଓ ସମ୍ବନ୍ଧିତ ବିଭାଗ ଯୁକ୍ତ ସଚେତନତା ଓ ତତ୍ପରତା ଦେଖାଇବା ଆବଶ୍ୟକ । ନଚେତ ‘ସୂର୍ଯ୍ୟଘର’ର ଆଲୋକ କେବଳ ଫାଇଲ ଭିତରେ ହିଁ ଜଳି ରହିଯିବ ।