କ’ଣ କରୁଥିଲେ ଗଙ୍ଗୱାର?
ଚଳିତ ବର୍ଷ ଆଶା ଠାରୁ ଅଧିକ ଭକ୍ତଙ୍କର ସମାଗମ ହୋଇଥିଲା । ଏମିତିକି ଦେଢ଼ଗୁଣା ଭକ୍ତ ଆସିଥିଲେ । ହେଲେ ଭକ୍ତମାନେ ତ ବଡ଼ଦାଣ୍ଡକୁ ବିମାନରେ ଆସିନଥିଲେ । ସେମାନେ ରାସ୍ତା ଦେଇ ହିଁ ପୁରୀକୁ ଆସିଥିଲେ । ଟ୍ରାଫିକ ଦାୟିତ୍ୱରେ ଥିବା ବାବୁମାନେ ତ ଏନେଇ ଆକଳନ କରିଥିବେ । ଯଦି ଠିକ୍ରେ ଟ୍ରାଫିକ୍ ପରିଚାଳନା କରାଯାଇଥା’ନ୍ତା ତେବେ ଏତେ ଭିଡ଼ ହୋଇନଥା’ନ୍ତା । ଅତଏବ ସେଠାରେ ବି ତ୍ରୁଟି ପରିଲକ୍ଷିତ ହୋଇଛି । ଟ୍ରାଫିକ୍ ପରିଚାଳନା ଦାୟିତ୍ୱରେ ଥିଲେ ବରିଷ୍ଠ ଆଇପିଏସ ତଥା ଏଡ଼ିପିଜି ଦୟାଲ ଗଙ୍ଗୱାର । ଟିଭିରେ କହୁଥିଲେ, ଏଆଇ କ୍ୟାମେରା ଦ୍ୱାରା ଭିଡ଼ ନିୟନ୍ତ୍ରଣ ହେବ । ଟ୍ରାଫିକ ପରିଚାଳନା କରାଯିବ । ହେଲେ ସେ ଏଆଇ କ୍ୟାମେରା କୁଆଡ଼େ ଗଲା ? କୁହାଯାଉଛି ଯେତିକି ଘୋଷଣା ହୋଇଥିଲା ସେତିକି କ୍ୟାମେରା ଲାଗିନାହିଁ । ବଡ଼ଦାଣ୍ଡରେ ଭିଡ଼ ଥିବାବେଳେ ବାଟରେ ବି ଟ୍ରାଫିକକୁ ନିୟନ୍ତ୍ରଣ କରାଯାଇ ପାରିଥା’ନ୍ତା । କିନ୍ତୁ ଶରଧାବାଲିରେ ଅଘଟଣ ରାତିରେ ଟ୍ରାଫିକ ପ୍ରଶାସନ ନିଘୋଡ଼ ନିଦ୍ରାରେ ଚାଲି ଯାଇଥିଲା । ଟ୍ରାଫିକ୍ ପରିଚାଳନା ପାଇଁ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏଭଳି ଅଘଟଣ ବି ଘଟିଛି ।