କନ୍ଧମାଳ ଜିଲ୍ଲା ଗଦାପୁରରେ ଆମ୍ବ ଟାକୁଆର କୋଇଲିରେ ତିଆରି ଜାଉ ଖାଇ ଦୁଇ ମୃତ, ୬ ଗୁରୁତର 


କନ୍ଧମାଳ- ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ପଂଚାୟତ ମାଣ୍ଡିପଙ୍କା ଗ୍ରାମ ଦଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଆମ୍ବ ଟାକୁଆର କୋଇଲିରୁ ପ୍ରସ୍ତୁତ ଜାଉ ଖାଇ ୬ ପରିବାରର ୮ଜଣ ମହିଳା ଅସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତନ୍ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ରମୀତା ପାଟ ମାଝୀ (୨୫) ଓ ରୁନୁ ମାଝୀ (୨୮) ବୋଲି ଜଣାପଡିଛି  । 
ସୂଚନା ମୁତାବକ, ଗତ ୨୩ ତାରିଖ ଦିନ ପୂର୍ବ ପୁରୁଷ ଅମଳରୁ ପାରମ୍ପାରିକ ଖାଦ୍ୟ ଭାବେ ଆମ୍ବ ଟାକୁଆ କୋଇଲିରୁ ଜାଉ ପ୍ରସ୍ତୁତ କରି ଗ୍ରାମର ପ୍ରାୟ ୨୦ ପରିବାରର ୩୦ ରୁ ଉର୍ଦ୍ଧ୍ୱ ଲୋକେ ଖାଇଥିଲେ । ସେଥିରୁ ବଳକା ଥିବା କୋଇଲିକୁ ଗଚ୍ଛିତ ରଖି ଗତ ମଙ୍ଗଳବାର ଦିନ ପୁଣି ଥରେ ଜାଉ ପ୍ରସ୍ତୁତ କରି କିଛି ମହିଳା ଖାଇଥିଲେ  । ତେବେ କୌଣସି କାରଣରୁ ସେହି ଜାଉ, ବିଷାକ୍ତ ହୋଇ ଯାଇଥିବା ନେଇ ଲୋକେ ସନେ୍ଦହ କରୁଛନ୍ତି  । ସେଥି ମଧ୍ୟରୁ ଗୁରୁବାର ଦିନ ରମିତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ନିଆଯାଇଥିଲା ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା କ୍ଷ ଶୁକ୍ରବାର ଦିନ ପୁଣି ଅଚାନକ ଭାବେ ଆଉ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତି କରାଯାଇଥିଲା  । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ହେଲେ ବ୍ରହ୍ମପୁର ନେବା ବାଟରେ ରୁନୁ ମାଝୀଙ୍କ ମୃତ୍ୟୁ ଘଟିଥିଲା  । ଆଉ ୬ ଜଣ ବର୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡ଼ିଛି । ସେମାନେ ହେଲେ ପ୍ରଭାତୀ ପାଟ ମାଝୀ (୩୨) , ଡ୍ରାଙ୍ଗାଲୁ ପାଟ ମାଝୀ (୫୫), ଟୁନି ମାଝୀ (୪୫), ସୁଷମା ପାଟ ମାଝୀ (୨୫), ଜିତା ମାଝୀ (୩୦), ଜିବନ୍ତି ମାଝୀ (୪୫) ବୋଲି ଜଣାପଡିଛି  । ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତହସିଲଦାର ଶରତ ଶବର, ବିଡ଼ିଓ ପ୍ରୀତି ରଞ୍ଜନ ରଥ ଘଟଣାସ୍ଥଳରେ ପହଂଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ  । ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜିବି ସେମାନେ ଆମ୍ବ ଟାକୁଆରୁ ଯାଉ ଖାଉଛନ୍ତି କ୍ଷ ତାଙ୍କ ପାଖରେ କଣ ସରକାରଙ୍କ ଯୋଜନା ପହଂଚି ପାରୁନି । କଣ ସେମାନଙ୍କୁ ସରକାର ଯୋଗାଉଥିବା ଚାଉଳ ପହଂଚି ପାରୁନି ଯେ ସେମାନେ ଆମ୍ବ ଟାକୁଆରୁ ବାହାରୁଥିବା କୋଇଲିର ଜାଉ ଖାଉଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ତାଙ୍କ ପରିବାର ପ୍ରତି କ୍ଷତିପୂରଣ ଦେବାକୁ ସର୍ବସାଧାରଣରେ ଦାବି ହେଉଛି  ।