କମ୍ପାନୀରେ ନିଯୁକ୍ତି ପାଇଁ ଗ୍ରାମବାସୀଙ୍କ ଦାବି
ଝାରସୁଗୁଡା : ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ମଲଦା ଗ୍ରାମବାସୀ ନିଯୁକ୍ତି ପାଇଁ ନୟାନ୍ତ ହୋଇ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ନାଭେଲି ଲିଗନାଇଟ କମ୍ପାନୀ ମଲଦା ଅଞ୍ଚଳରେ କମ୍ପାନୀର ସମ୍ପ୍ରସାରଣ ପାଇଁ ଗ୍ରାମରେ ଏକ ବୈଠକ କରିଥିଲା ଓ ସେଥିରେ ନିଯୁକ୍ତି ସମ୍ବନ୍ଧୀୟ ଉଲ୍ଲେଖ କରି ଗ୍ରାମର ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ମାତ୍ର ଇତି ମଧ୍ୟରେ କମ୍ପାନୀ ଜଙ୍ଗଲ ଜମି ଅଧିଗ୍ରହଣ କରିଥିବା ବେଳେ ରେଲୱେ ବ୍ରିଜ ମଧ୍ୟ କାର୍ଯ୍ୟ ଆରମ୍ଭ କରିଦେଇଛି । ମାତ୍ର ଏ ପର୍ଯ୍ୟନ୍ତ ଗ୍ରାମର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେଇନାହିଁ । ଏ ବିଷୟରେ ଗ୍ରାମବାସୀଙ୍କ ତରଫରୁ କମ୍ପାନୀ କତୃପକ୍ଷଙ୍କୁ ବିଭିନ୍ନ ସମୟରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳି ପାରୁନାହିଁ । କମ୍ପାନୀ କେବଳ ବୈଠକ କରି ନିଯୁକ୍ତି ଦେବାର ପ୍ରତିଶୃତି ଦେଉଛି । ଇତି ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ନିଯୁକ୍ତି ସମ୍ବନ୍ଧରେ ବୈଠକ ବସିଥିଲା । ମାତ୍ର ଏ ପର୍ଯ୍ୟନ୍ତ ଗ୍ରାମର କାହାରିକୁ ମଧ୍ୟ ନିଯୁକ୍ତି ଦିଆ ଯାଇ ନଥିବା ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି । ଏ ବିଷୟରେ ମଲଦା ସରପଞ୍ଚ ପିଙ୍କି ସିଂ କହିଛନ୍ତି ଯେ ଏନଏଲସି କୋଇଲା କମ୍ପାନୀ ବିଭିନ୍ନ ସମୟରେ ନିଯୁକ୍ତି ପାଇଁ ପ୍ରତିଶୃତି ଦେଉଛି ମାତ୍ର କମ୍ପାନୀ ରେ ପଦବୀ ଖାଲି ନାହିଁ ଏବଂ ପଦବୀ ସୃଷ୍ଟି ହେଲେ ଆମେ ନିଯୁକ୍ତି ଦେବୁ ବୋଲି କହି ଭୁଆଁ ବୁଲାଉଥିବା କହିଛନ୍ତି । ଏହାକୁ ନେଇ କମ୍ପାନୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । କମ୍ପାନୀ ଜମି ଓ ଘର ନେବାସତ୍ତ୍ୱେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଦେବାରେ ଅବହେଳା କରୁଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଛତୁ ଫୁଟିଲା ପରି ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଓ ଖଣି ସଂସ୍ଥା ଗଢ଼ି ଉଠିଛି ଲୋକଙ୍କୁ ବିଭିନ୍ନ ପ୍ରତିଶୃତି ଦେଇ ଜମି ଅଧିଗ୍ରହଣ କରୁଛନ୍ତି କିନ୍ତୁ ନିଯୁକ୍ତି କୈଣସି କମ୍ପାନୀ ନିଯୁକ୍ତି ଦେଉନଥିବା କହିଛନ୍ତି । ଏ ସମ୍ବନ୍ଧରେ ଜିଲ୍ଲାପାଳ ତଥା ଜନ ପ୍ରତିନିଧି ମାନଙ୍କୁ ମଧ୍ୟ ଗୁହାରି କଲେ ମଧ୍ୟ ଏହାର କୌଣସି ସମାଧାନ ପାଇ ପାରୁନାହାନ୍ତି । ତେଣୁ ଏସବୁର ଉଚିତ ସମାଧାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।