କରୋନା ବଦଳାଇ ଦେଲା ଜୀବିକା : ମୋବାଇଲ ଦୋକାନରୁ ହୋଇଗଲେ ସଫଳ ଚାଷୀ

ଦାନଗଦୀ: କରୋନା ବଦଳାଇ ଦେଲା ଜୀବିକା, ମୋବାଇଲ ଦୋକାନରୁ ହୋଇଗଲେ ସଫଳ ଚାଷୀ । ଏଭଳି ଚିତ୍ର ଦେଖିବାକୁ ଦାନଗଦୀ ବ୍ଲକ ଟୋଲକାନୀ ଗାଁରେ ଦେଖିବାକୁ ମିଳିଛି । ଦାନଗଦୀ ବ୍ଲକ ଚିତ୍ରୀ ପଞ୍ଚାୟତର ଟୋଲକାନୀ ଗାଁର ଜନାର୍ଦ୍ଧନ ସାହୁଙ୍କ ପୁଅ ରାମଚନ୍ଦ୍ର (୩୨) । ନିଜ ଗାଁ ମାଟିରେ ପାଠପଢ଼ି ଗ୍ରାଜୁଏଟ ମଧ୍ୟ ହେଲେ । ଆଶା ଥିଲା ଗୋଟେ ଭଲ ଚାକିରି କରିବେ । କିନ୍ତୁ ବିଧିର ବିଧାନ କିନ୍ତୁ ଥିଲା ଓଲଗା । ଚାକିରି ପଛରେ ଗୋଡ଼ାଇ ଗୋଡାଇ ନ ମିଳିବାରୁ ସେ ଗାଁରେ ଏକ ମୋବାଇଲ ଦୋକାନ ଆରମ୍ଭ କରିଥିଲେ । ମୋବାଇଲ ଦୋକାନ ଚାଲୁଥିବା ସମୟରେ ମହାମାରୀ କରୋନା ରୋଗ ଆସିଲା । ବେପାରରେ ବହୁତ କ୍ଷତି ହେଲା, ଫଳରେ ବେପାର ବନ୍ଦ ହୋଇଗଲା । କ’ଣ କରିବେ ନକରିବେ ଚିନ୍ତାରେ ପଡ଼ିଗଲେ । ଗାଁରେ ତାଙ୍କର ଦୁଇ ଏକର ଜାଗା ଥିଲା । ସେ ଜାଗାରେ କିଛି ଚାଷ କରିବା ପାଇଁ ତାଙ୍କ ବାପା ଜନାର୍ଦ୍ଧନ ତାଙ୍କୁ ପରାମର୍ଶ ଦେବା ସହ ସହଯୋଗ କରିବା ପାଇଁ ସାହସ ଦେଲେ । ସେ ନିଜ ଗାଁ ବାଡ଼ିରେ ପନିପରିବା ଚାଷ ଆରମ୍ଭ କଲେ । ସେଇ ଚାଷରୁ ଦୁଇ ପଇସା ପାଇଲେ । ରାମଚନ୍ଦ୍ର ବହୁତ ସମୟ ବ୍ଲକ ଉଦ୍ୟାନ ବିଭାଗ ଅଫିସରେ ପହଁଚି କେଉଁ ଚାଷ କରିବେ, କେମିତି କରିବେ, କେତେ ବେଳେ କେଉଁ ସ୍କିମ ଆସୁଛି ସବୁ ପଚାରି ବୁଝୁଥିଲେ । ପନିପରିବା ଚାଷ ବ୍ୟତୀତ ସେ ମିଠା ମକା ଚାଷ କଲେ । ପରେ ନିଜ ଫାର୍ମ ହାଉସରେ ଛୋଟ ଛୋଟ ଦୁଇଟା ପୋଖରୀ କରି ମାଛ ଚାଷ ଆରମ୍ଭ କଲେ । ଚାଷରୁ ଯେମିତି ଭଲ ଦୁଇ ପଇସା ରୋଜଗାର ହେଲା, ସେ ସମ୍ପୂର୍ଣ ସମୟ ଚାଷରେ ଦେଇ ଦାନଗଦୀ ବ୍ଲକରେ ଗୋଟେ କିଛି ନୂଆ ଚାଷ କରିବା ପାଇଁ ଉଦ୍ୟମ କଲେ । ଉଦ୍ୟାନ ବିଭାଗକୁ ଆସିଥିଲା ଷ୍ଟ୍ର-ବେରୀ ଚାଷ ପାଇଁ କୌଣସି ଚାଷୀ ଏହାକୁ ସାହସ କରି କଲେ ନାହିଁ, କାଳେ ଆମ ମାଟିରେ ଫଳିବ ନ ଫଳିବ କାରଣ ନୂଆ ଚାଷ, ଏହି ବ୍ଲକରେ କେବେ କେଉଁଠି ହୋଇନାହିଁ, ରାମଚନ୍ଦ୍ର ତ କିଛି ନୂଆ ଚାଷ କରିବା ପାଇଁ ଖୋଜୁଥିଲେ ସେ ଏ ଚାଷ କୁ ତାଙ୍କ ଚାଷ ଜମିରେ ଆରମ୍ଭ କଲେ, ଉଦ୍ୟାନ ବିଭାଗର ପରାମର୍ଶରେ ଏକ ଏକର ଚାଷ ଜମିକୁ ହଳ ବୁଲାଇ, ମାଟି ଦେଇ, ପଟାଳି କରି ପ୍ରସ୍ତୁତ କଲେ,ମହାରାଷ୍ଟ୍ର ରୁ ପନ୍ଦର ହଜାର ଚାରା ଆଣି ଷ୍ଟ୍ରବେରୀ ଚାଷ ଆରମ୍ଭ କଲେ, ଚାରା ଲଗାଇବାର ୪୦ ଦିନ ପରେ ଫଳ ଫଳିବା ଆରମ୍ଭ ହୋଇଥିଲା, ବଗିଚା ସାରା ଲାଲ ରଙ୍ଗର ସୁନ୍ଦର ମନଲୋଭା ଷ୍ଟ୍ରବେରୀ ଫଳ ଦେଖି ଖୁସି ହୋଇଗଲେ ରାମଚନ୍ଦ୍ରଙ୍କର ପରିବାର ।  ଦୈନିକ ୩୦/୪୦ କିଲୋ ଷ୍ଟ୍ରବେରୀ କୋଳି ବଗିଚାରୁ ତୋଳା ଯାଉଛି । ପ୍ୟାକେଟ କରି ଓ ଖୋଲାରେ କିଲୋପ୍ରତି ୩୦୦ ଟଙ୍କାରୁ ଅଧିକ ମୂଲ୍ୟରେ ଏହାକୁ ବିକ୍ରି କରିବା ସହ ବ୍ୟାସନଗରର ବଜାରରେ ସମସ୍ତ ଫଳ ଦୋକାନରେ ସେ ମଧ୍ୟ ଏହାକୁ ବିକ୍ରି ପାଇଁ ଯୋଗାଇ ଦେଇଥାନ୍ତି । ମାସକୁ ୩୦ ରୁ ଚାଳିଶ ହଜାର ଆୟ କରନ୍ତି ଯୁବଚାଷୀ ରାମଚନ୍ଦ୍ର । ସେ ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ଫାର୍ମରେ ୫/୭ ଜଣଙ୍କୁ କାମ ମଧ୍ୟ ଯୋଗାଇ ଦେଇଛନ୍ତି । ଶିକ୍ଷିତ ଯୁବ ଚାଷୀ କରୋନା ସମୟରେ ନିଜର ଜୀବନ ସଂଗ୍ରାମରେ ହାରି ନ ଯାଇ ଯେପରି ସଫଳତା ପାଇଲେ ସେଥିପାଇଁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ସଫଳ ଚାଷୀ ଭାବେ ସମ୍ମାନିତ ହୋଇଛନ୍ତି ।