ଜରିପାଲ ତଳେ ଆଦିବାସୀ ପରିବାର

 କାଳିଆପାଣି : କାଳିଆପାଣି ଖଣି ଅଞ୍ଚଳ ଏବେ ସବୁ ଦିଗରୁ ଉପେକ୍ଷିତ । ଖଣି ଖାଦାନ ଉପରେ ନିର୍ଭରଶୀଳ ଲୋକଙ୍କୁ କମ୍ପାନୀ ମାନେ ସବୁ ପ୍ରକାର ଶୋଷଣ ନିତି ପ୍ରୟୋଗ କରୁଥିବା ବେଳେ ସରକାରୀ ସ୍ତରରେ ମଧ୍ୟ ଏଠାକାର ଗରିବ ଆଦିବାସୀ ମାନଙ୍କୁ ଉପେକ୍ଷା କରୁଛନ୍ତି । ସରକାରଙ୍କ ମାଳମାଳ ଉନ୍ନତି ମୂଳକ ଯୋଜନା କେବଳ କାଗଜ କଲମରେ ସୀମିତ ହୋଇରହିଛି । କାହାକୁ ଜଙ୍ଗଲ ଜମି ଉପରେ ଘର କରିବାକୁ ମଞ୍ଜୁରୀ ମିଳୁଥିବା ବେଳେ ଅନ୍ୟ ଜଣକୁ ଅନେକେ କଟକଣା । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ କଲରଙ୍ଗୀ ଗାଁ ପୁରିଆଝର ସାହିରେ । ଓଡିଶା ଖଣି ନିଗମ କଲରଙ୍ଗୀ କ୍ୟାମ୍ପ ପାଚେରୀ କଡରେ ଥିବା ଏକ କାନ୍ଥ ନଥିବା ଚିରା ଜରିପାଲ ତଳେ ଦୀର୍ଘ ୩୦ବର୍ଷଧରି ରହି ଆସୁଛନ୍ତି ଏକ ଆଦିବାସୀ ପରିବାର । ତିନିଟି ସନ୍ତାନ ଏବଂ ସ୍ତ୍ରୀ ମୁନି ତିରିଆ ସହିତ ଜଗେନ ତିରିଆ (୩୭) ଦିନ ମଜୁରିଆ ହିସାବରେ କାମକରି କୁଟୁମ୍ବ ପ୍ରତିପୋଷଣ କରିଥାନ୍ତି । ଖଣି ଖାଦାନ ଭରପୁର କଲରଙ୍ଗୀ ଅଞ୍ଚଳରେ କାମ ନମିଳିବାରୁ ଗାଁ ଗଣ୍ଡାରେ ବିଲବାଡି ଆଦିରେ ଲୋକଙ୍କ କାମକରି ଯାହାକିଛି ରୋଜଗାର କରନ୍ତି ସେଇଥିରେ ପାଞ୍ଚ ପ୍ରାଣୀଙ୍କ ପେଟକୁ ଦାନା ମିଳିଥାଏ । ଅର୍ଥ ଅଭାବରୁ ବାପ ଅମଳରେ (ସ୍ୱର୍ଗତ ରାଜୁ ତିରିଆ)ଙ୍କ ଦ୍ୱାରା ତିଆରି ହୋଇଥିବା ମାଟି କାନ୍ଥ ଏବେ ଭୂଇଁରେ ମିସି ମାଟିହୋଇ ସାରିଛି । କେତୋଟି କାଠ ଏବଂ ଜରିପାଲ ଦ୍ୱାରା ଆବଦ୍ଧ କୁଡ଼ିଆ ଭିତରେ ରହିବାକୁ ବାଧ୍ୟ ହୋଇଛନ୍ତି ଜଗେନ ତିରିଆ ଏବଂ ତାଙ୍କ ପିଲାମାନେ । ଜଗେନ କୁହନ୍ତି ଆମ ପରେ ଏଠାକୁ ଆସିଥିବା ଲୋକଙ୍କ ଘର ତିଆରି ପାଇଁ ସରକାର ସାହାଯ୍ୟ କରୁଛନ୍ତି ଅଥଚ ଆମପାଇଁ ଘରଖଣ୍ଡେ ସାତ ସପନ । ଅନେକେ ଥର ଗାଁ ମୁଖିଆଙ୍କ ଠାରୁ ଆରମ୍ଭ କରି ୱାର୍ଡ ସଭ୍ୟ, ସରପଞ୍ଚ, ଏବଂ ବ୍ଲକରେ ଯୋଗାଯୋଗ କରିଥିଲେ ହେଁ, ନା ଇନ୍ଦିରା ଆବାସ, ନା ମୋ କୁଡ଼ିଆ, ନା ବିଜୁ ପକ୍କାଘର ଖଣ୍ଡେ ମିଳିପାରିଛି ।ଖରାବର୍ଷା ଶୀତକାକର ସବୁ ସେଇ ଜରିପାଲ ଏକମାତ୍ର ଭରସା । ଏବେ ବି ସେ ସରକାରଙ୍କ ସହାୟତା ପାଇଁ ଅପେକ୍ଷାରତ ।