ବ୍ରାହ୍ମଣ ସମାଜ ମହାସଂଘର ସାଧାରଣ ସଭା


ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର :  ଆନନ୍ଦପୁର ଉପଖଣ୍ଡ ବ୍ରାହ୍ମଣ ସମାଜ ମହାସଂଘର ସାଧାରଣ ସଭା ବୀରଗୋବିନ୍ଦପୁରସ୍ଥ ଶ୍ରୀ ଶ୍ରୀ ଶ୍ରୀରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ପୁରୁଷୋତମ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ଷୋହଳ ଶାସନ ବତିଶ ପଡା ଶାସନ ଓ ଚଉଷଠି ଉପଶାସନର ବହୁ ମାନ୍ୟଗଣ୍ୟ ବ୍ରାହ୍ମଣ ସଦସ୍ୟ, କର୍ମକାଣ୍ଡବିତ୍ ବୈଦିକ ବ୍ରାହ୍ମଣ ଯୋଗଦେଇ ବୈଦିକ ସଂସ୍କୃତି, ରୀତିନୀତି ପ୍ରଥା ପରମ୍ପରା, ଯଜ୍ଞ ଅନୁଷ୍ଠାନ, ବେଦ ଶାସ୍ତ୍ର, ଶ୍ରୀମଦ୍ ଭାଗବତ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର ବିଶିଷ୍ଟ ବାହ୍ମଣ ତଥା ହିନ୍ଦୁ ସଂସ୍କୃତି ସୁରକ୍ଷା ସମାଜ ସଦସ୍ୟ ଓ ଗବେଷକ ସୂର୍ଯ୍ୟମଣି ପଣ୍ଡା, ସମ୍ମାନିତ ଅତିଥି ଜଗନ୍ନାଥ ସଂସ୍କୃତି ପ୍ରଚାରକ ନୀଳମଣି ପଣ୍ଡା ଯୋଗଦେଇ ବ୍ରାହ୍ମଣ ସମାଜର ସୁରକ୍ଷା, ଭବିଷ୍ୟତ ପିଢିଙ୍କୁ କର୍ମକାଣ୍ଡ ପ୍ରବୀଣ କରିବା ପାଇଁ ମତ ରଖିଥିଲେ । ଉପଖଣ୍ଡ ବ୍ରାହ୍ମଣ ସମାଜର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଚିତରଞ୍ଜନ ଦାଶ ଆଗାମୀ ଦିନରେ ମହାସଂଘର ସାଧାରଣ ସଭା ଆନନ୍ଦପୁର ଦଧିବାମନ ଜୀଉଙ୍କ ବଡଦାଣ୍ଡରେ କରିବା ସହିତ ଗରିବ ବ୍ରାହ୍ମଣ ବାଳକଙ୍କ ବ୍ରତୋପନୟନ, ବିଶ୍ୱ ଶାନ୍ତି ମହାଯଜ୍ଞ କରିବାକୁ ପ୍ରସ୍ତାବ ରଖିଥିଲେ । ଯୁଗ୍ମ ସମ୍ପାଦକ ବୃନ୍ଦାବନ ଷଡଙ୍ଗୀ ମଙ୍ଗଳାଚରଣ ବେଦପାଠ ଗାୟନ କରିଥିଲେ । କାର୍ଯ୍ୟକ୍ରମରେ ଉପଦେଷ୍ଟା ଶରତ ମିଶ୍ର, ଆବାହକ ମଦନ ପାଣି, ସମ୍ପାଦକ ପ୍ରଦୀପ କୁମାର ମିଶ୍ର, ଆବାହକ ବୀରଗୋବିନ୍ଦପୁର ଶାସନ ମଧୁସୂଦନ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଙ୍ଗାରୁଆ ଶାସନର ବେଲାଳସେନ ପତି, ନାରଙ୍ଗପୁର ଶାସନର ତ୍ରିଲୋଚନ ଦାଶ, ସଂଯୋଜକ ମଦନମୋମନ ମିଶ୍ର, ବିଶ୍ୱେଶ୍ୱର ଦାଶଙ୍କ ସମେତ ଶହେରୁ ଅଧୀକ ବ୍ରାହ୍ମଣ ଯୋଗ ଦେଇଥିଲେ । ସଭାକାର୍ଯ୍ୟକୁ ସହସମ୍ପାଦକ ଭାଗୀରଥୀ ଦାଶ ସଂଯୋଜନା କରିଥିବା ବେଳେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରର କୋଠ ତହସିଲଦାର ଗଜେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।