କର୍ଣ୍ଣାଟକରେ ନେତୃତ୍ୱ ବିବାଦ
ସୌଭାଗ୍ୟ ରଂଜନ ମହାନ୍ତି : ଦେଶର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂଗ୍ରେସର ସ୍ଥିତି ଗତ ୨୦୧୪ ସାଧାରଣ ନିର୍ବାଚନ ପରଠାରୁ କ୍ରମଶଃ ଦୁର୍ବଳ ହୋଇ ଉତ୍ତର ଏବଂ କେନ୍ଦ୍ରୀୟ ଭାରତରେ ନିଜର ସଭା ହରାଇଥିବା ବେଳେ ଦକ୍ଷିଣ ଭାରତର ଦୁଇଟି ରାଜ୍ୟରେ ତଥା କର୍ଣ୍ଣାଟକ ଏବଂ ତେଲେଙ୍ଗନାରେ କ୍ଷମତାସୀନ ରହିଛି । ଇତି ମଧ୍ୟରେ କର୍ଣ୍ଣାଟକରେ କ୍ଷମତାର ଅଢେଇ ବର୍ଷ ପରେ ଏବେ ଦଳରେ ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କ୍ଷମତା ଲଢେଇ ଦଳ ଓ ସରକାରଙ୍କୁ ଅସ୍ଥିରତା ମଧ୍ୟକୁ ଠେଲି ଦେବା ଆଶଙ୍କାକୁ ଅଣଦେଖା କରାଯାଇନପାରେ । ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା ଓ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବଶଙ୍କର ମଧ୍ୟରେ କ୍ଷମତା ଲଢେଇ ଏବେ ପଦାରେ ଗଡୁଛି । ଉପ-ମୁଖ୍ୟମନ୍ତ୍ରୀ ଶିବଶଙ୍କର ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଆଶାୟୀ ଥିବାବେଳେ ସିଦ୍ଧାରମେୟା ଚୌକି ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୩ରେ ଯେତେବେଳେ ଉଭୟ ନେତା ବର୍ତ୍ତମାନର ପଦବୀରେ କ୍ଷମତାସୀନ ହୋଇଥିଲେ, ସେତେବେଳେ ସେମାନଙ୍କ ମଧ୍ୟରେ ଅଢେଇ ବର୍ଷ ପରେ କ୍ଷମତା ପୁନଃ ବଂଟନ ପାଇଁ ରାଜିନାମା ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ହସ୍ତାନ୍ତର ନେଇ କ’ଣ ହୋଇଥିଲା, ତାହା କେବେଳ ଉଭୟ ନେତାଙ୍କୁ ଜଣା । ଏ ନେଇ କଂଗ୍ରେସର ହାଇକମାଣ୍ଡ କି ଦଳର ଅନ୍ୟକୌଣସି ନେତା ମୁହଁ ଖୋଲିନାହାଁନ୍ତି । ଏହା ନିଶ୍ଚିତ ଯେ, ଶିବଶଙ୍କର ନେତୃତ୍ୱରେ କର୍ଣ୍ଣାଟକରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଥିଲା । ତେଣୁ ଶିବଶଙ୍କର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ । ଆହୁରି ମଧ୍ୟ ଶିବଶଙ୍କର ବିଭିନ୍ନ ମାମଲା ଓ ଜେଲର ସମ୍ମୁଖୀନ ହୋଇ ମଧ୍ୟ କେବେହେଲେ କଂଗ୍ରେସର ହାତ ଛାଡି ନାହାଁନ୍ତି । ନିଜର ସାଂଗଠନିକ ଏବଂ ପରିଚାଳନା ଗତ ଦକ୍ଷତା ପାଇଁ ଦଳର ନେତା ଓ କର୍ମୀମାନଙ୍କର ତାଙ୍କ ପ୍ରତି ବେଶ ଆସ୍ଥାବାନ । ଏପରିକି ମଧ୍ୟ କର୍ଣ୍ଣାଟକ ବାହାରେ ମଧ୍ୟ ସେ କଂଗ୍ରେସ କର୍ମୀଙ୍କ ଦ୍ୱାରା ବେଶ ଆଦୃତ । ଅନ୍ୟପକ୍ଷରେ ବିଭିନ୍ନ କାରଣ ଯୋଗୁଁ ସିଦ୍ଧରମେୟାଙ୍କ ଗୁରୁତ୍ୱକୁ ମଧ୍ୟ ଅସ୍ୱୀକାର କରାଯାଇନପାରେ । ସାମାଜିକ ନ୍ୟାୟର ଜଣେ ଚମ୍ପିଆନ ଭାବେ ତଳସ୍ତରରେ ତାଙ୍କର ଦବ୍ଦବା ବେଶ ସୁଦୃଢ ରହିଛି ।
ଶ୍ରୀ ଶିବଶଙ୍କର କର୍ଣ୍ଣାଟକର ପ୍ରଭାବଶାଳୀ ଭୋକାଲିଙ୍ଗା ସଂପ୍ରଦାୟର ହୋଇଥିବାବେଳେ ସିଦ୍ଧାରମେୟାଙ୍କୁ ହଟାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲେ, ତଳସ୍ତରରେ କଂଗ୍ରେସ ଆସ୍ଥା ହରାଇବା ଭୟ ହାଇକମାଣ୍ଡଙ୍କୁ ଘାରିଛି । ଏହା ସତ୍ୟ ଯେ, କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ବିଦ୍ରୋହ ଓ ଅନ୍ତଃ-କନ୍ଦଳ ଏକ ପୁରୁଣା ଭୋଗ ଭାବେ ଜଣାଶୁଣା । ଅତୀତରେ ଦୀର୍ଘ ୫ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି କଂଗ୍ରେସ ରାଜ୍ୟଗୁଡିକରେ ଶାସନ କରିଥିବାବେଳେ ଦଳରେ ନେତୃତ୍ୱ ପରିବର୍ତ୍ତନ ଦାବି ସାଙ୍ଗକୁ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ବିଭାଜନ ପାଇଁ କଂଗ୍ରେସ କ୍ରମଶଃ ଦୁର୍ବଳ ହରାଇଛି । ସାଂଗଠନିକ ସ୍ଥିର ଭୁଶୁଡି ପଡିଛି ଯେଉଁଥିପାଇଁ କି କଂଗ୍ରେସ ୨୦୧୪ଠାରୁ ଲଗାତର କ୍ଷମତା ହରାଇବାରେ ଲାଗିଛି । ଗତ ବର୍ଷ ହରିଆନାରେ ଜିତୁ ଜିତୁ ଦଳ ପରାଜିତ ହୋଇଥିଲା । ଗତ ୨୦୧୪ ସାଧାରଣ ନିର୍ବାଚନ ପରଠାରୁ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ୯୫ ଥର ପରାଜିତ ହୋଇଥିବାବେଳେ ଏବେ ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ କଂଗ୍ରେସ ସରକାର ରହିଛି । ଉଲ୍ଲେଖଯୋଗ୍ୟ ଯେ, ଏହି ତିନୋଟି ରାଜ୍ୟରେ ଦଳ ରାଜ୍ୟବାସୀଙ୍କୁ ଆର୍ଦଶ ଶାସନ ଦେବା ପରିବର୍ତ୍ତେ ଏବେ କ୍ଷମତା ଲଢେଇରେ ବ୍ୟସ୍ତ। ଯାହାକି ଜନସାଧାରଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବା ଯୋଗୁଁ ଦଳର ସାଧାରଣ ଲୋକଙ୍କ ନିକଟରେ ଆସ୍ଥା ହରାଇବା ସାର ହେଉଛି । କଂଗ୍ରେସ ହାଇକମାଣ୍ଡ ଏହାର ତୁରନ୍ତ ସମାଧାନ କରିବା ଜରୁରି ।ଅନ୍ୟଥା ଦଳକୁ ବହୁମୂଲ୍ୟ ଦେବା ଆଶଙ୍କାକୁ ଅଗ୍ରାହ୍ୟ କରାଯାଇନପାରେ।
ମୋ:୭୯୭୮୬୬୬୪୦୩