କେତେ ସୁରକ୍ଷିତ ଜୈବିକ ଖାଦ୍ୟ !
ଡ.ପ୍ରଫୁଲ୍ଲ କୁମାର ଦାସ : ପନିପରିବାକୁ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ କୃଷି କ୍ଷେତ୍ରରେ କୀଟନାଶକ ଔଷଧର ବ୍ୟବହାର କରାଯାଉଛି । ହେଲେ ଏହି ରାସାୟନିକ ଔଷଧର ଖରାପ ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବାରୁ ଏବେ ଜୈବିକ ପନିପରିବା ଉତ୍ପାଦନ କରାଯାଉଛି । ରାସାୟନିକ ସାର, ବଦଳରେ ଜୈବିକ ସାର ଦେଇ ଉତ୍ପାଦନ କରାଯାଉଛି ପନିପରିବା ଓ ଫଳ ଇତ୍ୟାଦି । ନିକଟରେ ଏକ ସ୍ୱାସ୍ଥ୍ୟ ପତ୍ରିକାର ଅଧ୍ୟୟନରୁ ଯାହା ଜଣାଯାଏ ଜୈବିକ ପନିପରିବାରେ ଯେତିକି ମାତ୍ରାରେ କୀଟନାଶକ ବ୍ୟବହାର କରାଯାଉଛି, ତାଠାରୁ ଢେ଼ର ଗୁଣା କମ୍ କୀଟନାଶକ ଅଣ-ଜୈବିକ ପନିପରିବାରେ ବ୍ୟବହାର କରାଯାଉଛି ।
ଦିନସାରା ଅବିରତ କାମ କରିବା ପାଇଁ ଶରୀରକୁ ଦରକାର ଶକ୍ତି । ସୁଷମ ଖାଦ୍ୟ ହିଁ ଶରୀରକୁ ଶକ୍ତି ଯୋଗାଇବା ସହିତ ଆମକୁ ସତେଜ ରଖିଥାଏ । କିନ୍ତୁ ଆଜିକାଲି ବଜାରରେ ଯେଉଁସବୁ ପନିପରିବା, ଫଳ ଆଦି ମିଳୁଛି ତାହା କେତେ ଶୁଦ୍ଧ ତାହା ଆମେ ଜାଣିନାହୁଁ । ଚାଷ ସମୟରେ ଅଧିକ ଅମଳ ପାଇଁ ଚାଷୀମାନେ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ପ୍ରୟୋଗ କରିଥାଆନ୍ତି । ପନିପରିବା ଓ ଫଳମୂଳ ଚାଷ ହେବା ସମୟରେ ଯେଉଁ କୀଟନାଶକ ଔଷଧ ବ୍ୟବହାର କରାଯାଏ ତାହା ପରିବା ଉତ୍ପାଦନ ହେବା ପର୍ଯ୍ୟନ୍ତ ସେଥିରେ ରହିଥାଏ । ଆମେ ଏଗୁଡ଼ିକୁ ଖାଇବା ପରେ ଏହା ଆମ ଶରୀର ମଧ୍ୟକୁ ଯାଇ ନାନା ରୋଗ ସୃଷ୍ଟି କରିଥାଏ । କିନ୍ତୁ ଆମେ ତାହା ଜାଣିବା କଷ୍ଟକର ହୋଇଥାଏ । ପନିପରିବା ଫଳମୂଳରେ କେତେ ପରିମାଣର ବିଷାକ୍ତ ପଦାର୍ଥ ରହିଛି ତାହା ଉପରେ ନିକଟରେ ଏକ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି ।
ସାଧାରଣତଃ ଯେଉଁ ଲୋକ ବିଷପାନ କରିଥାଏ ସେ ବିଷକୁ ବାହାର କରିବା ପାଇଁ ପଟାସିୟମ ପରମାଙ୍ଗାନେଟ ପାଣି ଉକ୍ତ ବ୍ୟକ୍ତିଙ୍କୁ ଦେଲେ ତାଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। କିଛି ପରିମାଣର ପଟାସିୟମ ପରମାଙ୍ଗାନେଟ ପକାଇ ସେଥିରେ ସବୁଜ ପନିପରିବାକୁ ପକାନ୍ତୁ। ମାତ୍ର ୩୦ରୁ ୪୦ ସେକେଣ୍ଡ ମଧ୍ୟରେ ପରିବାରେ ଥିବା ବିଷାକ୍ତ ପଦାର୍ଥ ପୃଥକ ହୋଇଯିବ । ଏହା ସହ ବାଇଗଣୀ ରଙ୍ଗର ପଟାସିୟମ ପାଣି ସଙ୍ଗେ ସଙ୍ଗେ ଧଳା ହୋଇଯିବ। ସାଧାରଣତଃ ଆମେ ଯେଉଁ ପନିପରିବା ଓ ଫଳମୂଳ ଖାଉଛେ ସେଥିରେ ୯୯ ପ୍ରତିଶତ ବିଷାକ୍ତ ପଦାର୍ଥ ରହିଛି । ଅଧିକ ଅମଳ ପାଇଁ ପନିପରିବା, ଫଳ ଆଦି ଚାଷ ସମୟରେ କୀଟନାଶକ ପ୍ରୟୋଗର ଆବଶ୍ୟକତା ରହିଛି । ଯେଉଁମାନେ ପନିପରିବା, ଫଳ ଆଦି ଉତ୍ପାଦନ କରନ୍ତି ସେଗୁଡ଼ିକରେ କେତେ ପରିମାଣର ବିଷାକ୍ତ ପଦାର୍ଥ ରହିଛି ତାହା ନଜାଣି ସିଧାସଳଖ ତୋଳି ବଜାରରେ ବିକ୍ରି କରିଥାନ୍ତି । କିନ୍ତୁ କୀଟନାଶକ ପଦାର୍ଥ ଜୈବିକ ହେଲେ କୌଣସି ସମସ୍ୟା ନାହିଁ । କିନ୍ତୁ ଚାଷୀମାନଙ୍କ ମଧ୍ୟ ସଚେତନତା ଅଭାବରୁ ସେମାନେ ରାସାୟନିକ କୀଟନାଶକ ବ୍ୟବହାର କରୁଛନ୍ତି । ଯାହା କେବଳ ପ୍ରାଣୀ ଜଗତ ପାଇଁ କ୍ଷତିକାରକ ତାହା ନୁହେଁ ପରିବେଶ ପାଇଁ ମଧ୍ୟ ହାନିକାରକ ।
ଅଧ୍ୟୟନରୁ ଜଣାପଡ଼ିଛି ଯେ ବର୍ତ୍ତମାନ ଅଣ-ଜୈବିକ ପନିପରିବା ପରିବର୍ତ୍ତେ ଜୈବିକ ପନିପରିବା ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ । ପନିପରିବାକୁ ସତେଜ ଏବଂ ରୋଗମୁକ୍ତ କରି ରଖିବା ପାଇଁ ଅନେକ ଜୈବିକ ଫାର୍ମଗୁଡ଼ିକରେ ମାତ୍ରାଧିକ କୀଟନାଶକ ବ୍ୟବହାର କରାଯାଉଛି । ଏବଂ ସେହି ମାତ୍ରାଧିକ କୀଟନାଶକ ମିଶା ପନିପରିବାକୁ ରାସାୟନିକ ସାର ମୁକ୍ତ ବା ଜୈବିକ ପନିପରିବାର ଟ୍ୟାଗ ଲଗାଇ ଲାଭ ପାଇଁ ବଜାରରେ ଅଧିକ ଟଙ୍କାରେ ବିକ୍ରି କରାଯାଉଛି । ଅନ୍ୟ ଅର୍ଥରେ କହିଲେ ଲୋକମାନେ ଯେଉଁ ଜୈବିକ ପରିବାକୁ ବହୁତ ସୁରକ୍ଷିତ ଭାବୁଥିଲେ ତାହା ଏବେ ମିଛ ବୋଲି ପ୍ରମାଣିତ ହୋଇଯାଇଛି । ତେବେ ଏ ସମ୍ପର୍କରେ ଭାରତୀୟ ଶସ୍ୟ ସୁରକ୍ଷା ସଂସ୍ଥାନ ପକ୍ଷରୁ ସୂଚନା ଅଧିକାରକୁ ଯେଉଁ ପ୍ରଶ୍ନ କରାଯାଇଥିଲା ତାର ଉତ୍ତରରେ ଜାଣିବାକୁ ମିଳିଛି ଯେ ରାଜଧାନୀ ଦିଲ୍ଲୀର ବଜାରରେ ବିକ୍ରି ହେଉଥିବା ଜୈବିକ ପନିପରିବାର ୩୩ ପ୍ରତିଶତ ହେଉଛି କୀଟନାଶକଯୁକ୍ତ ପନିପରିବା ।
ଯେତେବେଳେ କି ଅଣଜୈବିକ ପନିପରିବାରେ କୀଟନାଶକର ମାତ୍ରା ଏମ୍ଆରଏଲ୍ ଠାରୁ ୨.୭ ପ୍ରତିଶତ ଏବଂ ଜୈବିକ ଫଳରେ ଏହାର ମାତ୍ରା ୦.୮ ପ୍ରତିଶତ ଅଧିକ ରହିଛି । ସ୍ୱାସ୍ଥ୍ୟପ୍ରତି ଲାଭଦାୟକ ଥିବା ଜୈବିକ ପନିପରିବା ପ୍ରକୃତରେ ଯେ କେତେ କ୍ଷତିକାରକ ତାହା ଏହି ପରୀକ୍ଷାରୁ ଜଣାପଡ଼ି ଯାଇଛି । ପରୀକ୍ଷା କରାଯାଇଥିବା ଜୈବିକ ପନିପରିବାରେ ଏସିଟାମିପ୍ରିଡ଼୍, କ୍ଲେରପିରିଫସ୍, ସିପରମିଥ୍ରିନ୍, ଫ୍ଲବେନ୍ଡିଆମାଇଡ଼ ଏବଂ ପ୍ରୋଫିନୋଫୋସ୍ ପରି ବିଷାକ୍ତ କୀଟନାଶକ ମିଶିଥିବାର ଜଣାପଡ଼ିଛି । ବିଶେଷ କରି କ୍ଲୋରଫିରିଫସ୍, ସିପରମିଥ୍ରିନ୍, ଏହି ଦୁଇଟି କୀଟନାଶକର ମାତ୍ରା ଅଧିକ ରହିଥିବାର ଦେଖାଯାଇଛି । ମନୁଷ୍ୟ ଶରୀରରେ କ୍ଲୋରପିରିଫସ୍ର ମାତ୍ରା ଅଧିକ ରହିଲେ ବିକାଶରେ ବାଧା ସୃଷ୍ଟି ହୁଏ, ଏହି ବିଷାକ୍ତ ପଦାର୍ଥ ଲୋକର ରୋଗ ପ୍ରତିରୋଧକ ଶକ୍ତିକୁ କମାଇ ଦିଏ । ସେହିପରି ସିପରମିଥ୍ରିନ୍ କୀଟନାଶକ ଦ୍ୱାରା ମୁଣ୍ଡବ୍ୟଥା, ଦୁର୍ବଳ ମାସଂପେଶୀ, ଶ୍ୱାସକ୍ରିୟାଜନିତ ଅସୁବିଧା ହୋଇଥାଏ । ଜୈବିକ ପନିପରିବା ଖାଇବା ଶରୀର ପ୍ରତି ଲାଭଦାୟକ ସତ କିନ୍ତୁ ସେଗୁଡ଼ିକ ପ୍ରକୃତରେ ଜୈବିକ ଉପାୟରେ ଉତ୍ପାଦିତ ହେଉଛି ନା ନାହିଁ ତାହାକୁ ତଦାରଖ କରିବା ସରକାରଙ୍କ ଦାୟିତ୍ୱ । ତେବେ ଏ କ୍ଷେତ୍ରରେ ସରକାରଙ୍କ ଉପରେ ଦୋଷ ଲଦିଲେ ଚଳିବନି କାରଣ ଏହି ଦାୟିତ୍ୱ ସବୁ ଆମ୍ଭମାନଙ୍କର ।
ମୋ: ୯୪୩୭୦୨୩୪୪୩