କଳିଙ୍ଗ ବାଲିଯାତ୍ରା ଉଦଘାଟିତ : "ପାରାଦୀପ ହେବ ଗ୍ରୀନ ହାଇଡ୍ରୋଜେନ ହବ୍'
- ଖୁବ ଶୀଘ୍ର ପାରାଦୀପରେ ହେବ ଏୟାରପୋର୍ଟ : ମୋହନ
- ମଙ୍ଗଳା ନଦୀରେ ହେବ କ୍ରୁଜ ଟର୍ମିନାଲ
ପାରାଦୀପ : ପାରାଦପରେ ହେବ ଗ୍ରୀନ ହାଇଡ୍ରୋଜେନ ହବ । ଖୁବଶୀଘ୍ର ଏକ ବିମାନ ବନ୍ଦର ବି ନିର୍ମାଣ କରାଯିବ । ସେହିପରି ମଙ୍ଗଳା ନଦୀରେ କ୍ରୁଜ ଟର୍ମିନାଲ କରାଯିବ । ପାରାଦୀପରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ସେହିପରି କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ । ସେଇଥିପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ଏବଂ ଓଡ଼ିଶାର ଅର୍ଥନୈତିକ ପ୍ରଗତିର ଦ୍ୱାରଦେଶ ପାଲଟିଛି ବୋଲି ମୋହନ କହିଛନ୍ତି ।
ଓଡ଼ିଶାକୁ ପାରାଦୀପ ମାଧ୍ୟମରେ କିଭଳି ସମୃଦ୍ଧ କରାଯିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପାରାଦୀପକୁ ଗ୍ରୀନ ହାଇଡ୍ରୋଜେନ୍ ହବ ହେବ ବୋଲି ଘୋଷଣା କରିଥିଲେ । ଏହାସହିତ ସେ କହିଥିଲେଯେ, ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବା ପାଇଁ ମଙ୍ଗଳା ନଦୀରେ କ୍ରୁଜ ଟର୍ମିନାଲ ନିର୍ମାଣ ହେବ ଏବଂ ରାଜ୍ୟ ସରକାର ଏଥିପାଇଁ ୫ ଶହ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି । ପାରାଦୀପ ସହରରେ ଖୁବ୍ଶୀଘ୍ର ଏୟାର ପୋର୍ଟ ହେବ ଏବଂ ଏବେ ପାରାଦୀପକୁ କେବଳ ଜଳପଥ ଓ ସ୍ଥଳ ପଥ ନୁହେଁ ବରଂ ଆକାଶପଥ ସହିତ ମଧ୍ୟ ସଂଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, ବାଲିଯାତ୍ରା ହେଉଛି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଗୌରବୋଜ୍ଜଳ ଉତ୍ସବ । ଏହା ଆମକୁ ମନେପକାଏଯେ, ଆମ ପୂର୍ବଜମାନେ ସମୁଦ୍ରର ଉଚ୍ଚ ତରଙ୍ଗକୁ ଜୟ କରି, ଜାହାଜ ନେଇ ସୁବର୍ଣ୍ଣ ଦ୍ୱୀପ ଓ ବିଭିନ୍ନ ଦେଶ ସହିତ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ। ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି ଏବଂ ଓଡ଼ିଶାର ଅର୍ଥନୈତିକ ପ୍ରଗତିର ଦ୍ୱାରଦେଶ । ପାରାଦୀପ ବନ୍ଦର ଆଜି ଭାରତର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବନ୍ଦର, ଯାହା ଆଜି ଶିଳ୍ପ, ବାଣିଜ୍ୟ ଓ ରୋଜଗାରର ଏକ କେନ୍ଦ୍ରବିନ୍ଦୁ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପାରାଦୀପକୁ କେବଳ ଶିଳ୍ପସମୃଦ୍ଧ ଅଞ୍ଚଳ ନୁହେଁ, ପାରାଦୀପରେ ଗ୍ରୀନଫିଲଡ୍ ବିମାନ ବନ୍ଦର ପ୍ରତିଷ୍ଠା, ଭୁବନେଶ୍ୱର-ଖୋର୍ଦ୍ଧା-ଜଟଣୀ-କଟକ-ପାରାଦୀପ ଓ ପୁରୀକୁ ନେଇ ଏକ ମହାନଗରୀ ବିକଶିତ କରିବା, ଶିଳ୍ପ କରିଡର ପ୍ରସ୍ତୁତ କରିବା, ପାରାଦୀପ ବେଳାଭୂମିକୁ ପର୍ଯ୍ୟଟନର ବିକାଶ ଉପଯୋଗୀ କରିବା ଇତ୍ୟାଦି ଅନେକ ଯୋଜନା ଆମର ରହିଛି । ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା ବିଶେଷକରି ପାରାଦୀପ ଅଞ୍ଚଳର ଅଭୁତପୂର୍ବ ବିକାଶ ଘଟିବ । କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେଯେ, କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରି ଏହି ଐତିହାସିକ ମେଳାର ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ଓଡିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ଆମ ସରକାର କ୍ଷମତାକୁ ଆସିବା ଦିନ ଠାରୁ ହିଁ କାମରେ କରି ଦେଖାଉଛନ୍ତି । କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡ.ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡ.ରମାକାନ୍ତ ଭୋଇ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ପି.ଏଲ୍.ହରନାଧ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜେ.ସୋନାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ପ୍ରତୀଚୀ ତନୟା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।