ନିଶା ଦ୍ରବ୍ୟ ସେବନ ବିରୋଧ ଦିବସ ପାଳିତ
ଜଗତସିଂହପୁର : ଆମ ସଂକଳ୍ପ ‘ନିଶା ନୁହେଁ ଜୀବନ’ ର ପ୍ରଥମ ପର୍ଯ୍ୟାୟର ଅନ୍ତିମ ଦିବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ ଉପଲକ୍ଷେ ସଭାର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ବିଧାୟକ ଅମରେନ୍ଦ୍ର ଦାସ କହିଲେ ଯେ, ସଠିକ୍ କାର୍ଯ୍ୟନୁଷ୍ଠାନ, ସମସ୍ତଙ୍କ ସହଭାଗିତା, ସତର୍କ ଏବଂ ସଚେତନ ନାଗରିକ ରହିଲେ ହିଁ ଏକ ନିଶାମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ । ସମ୍ମାନିତଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ମଦର ବିଷାକ୍ତ ସତ୍ୟକୁ ଅତି ସରଳ ଭବେ ବୁଝାଇଥିଲେ । ଅବକାରୀ ଅଧିକ୍ଷକ ଅନିତା ପ୍ରଧାନ ଦିବସର ତାତ୍ପର୍ଯ୍ୟ ବିଷୟରେ ଉପସ୍ଥାପନ କରିବା ସହ ଜିଲ୍ଲାରେ ଅବକାରୀ ବିଭାଗର କାର୍ଯ୍ୟନୁଷ୍ଠାନ ସମ୍ପର୍କ ରେ ତଥ୍ୟ ଉପସ୍ଥାପନ କରିଥିଲେ । ସଭାରେ ଉପସ୍ଥିତ ରହି ପ୍ରଜାପିତା ବ୍ରହ୍ମକୁମାରୀ ଅଧିକାରୀ କହିଲେ ଯେ, ଆତ୍ମା ଓ ପରମାତ୍ମା ଙ୍କ ସମନ୍ୱୟ ରେ ଏକ ସୁସ୍ଥ ମାନସିକତା ଗଠନ ସମ୍ଭବ ଯାହା ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଉଦର ସୁନ୍ଦର ସ୍ୱାଇଁ ମଧ୍ୟ ନିଶା ନିବାରଣ କ୍ଷେତ୍ର ରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ ।
ନିଶା ନୁହେଁ ଜୀବନ କୁ ବାଛିଥିବା ଦୁଇଜଣ ଯୁବକ ପ୍ରଭାତ ମଲ୍ଲିକ, ଶୁଭ ନାରାୟଣ ସାମନ୍ତ ରାୟଙ୍କୁ ସମ୍ମାନିତ କରାଯାଇଥିଲା । ଯେଉଁମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେମାନେ ମଧ୍ୟ ନିଜର ଅଭିଜ୍ଞତା ବାଣ୍ଟିଥିଲେ । ଶେଷରେ ପ୍ରବନ୍ଧ ଲିଖନ, ବକୃତା ତଥା ଗଣୌଡ ପ୍ରତିଯୋଗୀତାରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀଙ୍କୁ ଅତିଥି ପୁରସ୍କୃତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମମତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।