କାରଖାନା ଭିତରେ ଛଅରୁ ଅଧିକ ବୋରୱେଲ୍ ଶିଳ୍ପ ନାଁରେ ଭୂତଳ ଜଳ ଶୋଷୁଛି ମିଶ୍ରିଲାଲ କମ୍ପାନୀ
।ା ପ୍ରଭାନୁ୍ୟଜ ।ା ଯଖପୁରା,: ଆର୍ଥିକ ପ୍ରଗତି ପାଇଁ ଶିଳ୍ପର ଆବଶ୍ୟକତା ରହିଛି । ସେଥିପାଇଁ କେନ୍ଦ୍ର ହେଉ କି ରାଜ୍ୟ ସରକାର ଶିଳ୍ପକୁ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଶିଳ୍ପ ପାଇଁ ସାଧାରଣ ଜନତା କଲବଲ କରାଯାଇପାରିବ କି? ଜନତାଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନେଇ ଶିଳ୍ପର ପ୍ରଗତିକୁ ଅନୁମତି ଦିଆଯାଇପାରିବ କି? କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏହା ସମ୍ଭବପର ହୋଇପାରୁଛି । ଶିଳ୍ପ ନାଁରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଫେରୋ ଉତ୍ପାଦନ କାରଖାନା ବସାଇଥିବା ମିଶ୍ରିଲାଲ କମ୍ପାନୀ ଭୂତଳ ଜଳ ଶୋଷିବାରେ ଲାଗିଛି । କାରଖାନା ପରିସରରେ ଛଅରୁ ଅଧିକ ବୋରୱେଲ କରି ଜନତାଙ୍କୁ ଜଳକଷ୍ଟ ଦେଉଛି । ମିଶ୍ରିଲାଲ କମ୍ପାନୀ ନଦୀଜଳ ବ୍ୟବହାର ବଦଳରେ ଭୂତଳ ଜଳ ବ୍ୟବହାର କରୁଥିବାର ଅଭିଯୋଗ ବାରମ୍ବାର ହେଇ ଆସୁଥିଲେ ପ୍ରଶାସନ ପକ୍ଷରୁ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ସତେ ଯେମିତି ମିଶ୍ରିଲାଲ କମ୍ପାନୀ ମୁଠାରେ ପ୍ରଶାସନ ରହିଛି । ବିଜେଡ଼ି ସରକାର ଅମଳରୁ ବାରମ୍ବାର ହୋଇ ଆସୁଥିବା ଅଭିଯୋଗକୁ କେହି କର୍ଣ୍ଣପାତ କରୁନଥିବା ବେଳେ ଏଭଳି ଅଭିଯୋଗକୁ ମୋହନ ସରକାର ଗୁରୁତର ସହ ନେଇ ମିଶ୍ରିଲାଲ କମ୍ପାନୀ ଉପରେ ଭୂତଳ ଜଳ ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଯଖପୁରା ଥାନା ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ନିମପଲ୍ଲୀ ମୌଜାରେ ଥିବା ମିଶ୍ରିଲାଲ କାରଖାନା ସମସ୍ତ ସରକାରୀ ନିୟମକୁ ଉଲଙ୍ଘନ କରିଛି । କାରଖାନାଟି ପ୍ରାୟ ଦଶ ପନ୍ଦର ବର୍ଷର ହେବା ସତ୍ୱେ ଆଜି ପର୍ଯ୍ୟନ୍ତ ନଦୀ ଜଳ ବ୍ୟବହାର ହେଉନାହିଁ । ନଦୀ ଜଳକୁ ବ୍ୟବହାର ପାଇଁ ସ୍ପଷ୍ଟ ଉଲ୍ଲେଖ ଥିବା ସତ୍ୱେ କମ୍ପାନୀ ଏହାକୁ ମାନିବାକୁ ନାରାଜ । ଏହା ଉପରେ ନଜର ରଖିବାକୁ ଦାୟିତ୍ୱରେ ଥିବା ବିଭାଗକୁ ହାତ କରି କମ୍ପାନୀ ଆଜି ପର୍ଯ୍ୟନ୍ତ ଭୂତଳ ଜଳବ୍ୟବହାର କରୁଛି । ଭୂତଳ ଜଳ ବ୍ୟବହାର କରିବା ସମ୍ପୂର୍ଣ୍ଣ ବାରଣ ଥିବା ସତ୍ୱେ କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ଭୂତଳ ଜଳ ଉପରେ ନିର୍ଭର କରି ଚାଲୁଛି । ମିଶ୍ରିଲାଲ କମ୍ପାନୀ ଚଞ୍ଚକତା କରି କାରଖାନା ପରିସର ମଧ୍ୟରେ ଛଅ ଛଅଟି ଉଚ୍ଚ କ୍ଷମତା ସମ୍ପନ୍ନ ଅତି ଗଭୀର ବୋରୱେଲ୍ କରି ପାଣି ବ୍ୟବହାର କରୁଛି । କାରଖାନାରେ ଯେତେ ପରିମାଣର ଜଳ ଆବଶ୍ୟକ କରୁଛି ତାହା ଭୂତଳ ଜଳରୁ ବ୍ୟବହାର କରୁଛି । ମିଶ୍ରିଲାଲ କମ୍ପାନୀ ଏକ ଫେରୋ ଉତ୍ପାଦନ କାରଖାନା ହୋଇଥିବାରୁ ଏହାକୁ ପ୍ରଚୁର ପରିମାଣର ପାଣି ଆବଶ୍ୟକ ପଡୁଛି । କମ୍ପାନୀକୁ ଏତେ ପରିମାଣର ଭୂତଳ ଜଳ ବ୍ୟବହାର ପାଇଁ ବାରଣ ଥିବା ସତ୍ୱେ କମ୍ପାନୀ ଏହାକୁ ମାନୁନାହିଁ । ମିଶ୍ରିଲାଲ କମ୍ପାନୀ ଅତି ଗଭୀର ଭୂତଳ ଜଳ ବ୍ୟବହାର କରୁଥିବାରୁ ଏହାର ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ସିଧାସଳଖ ପଡୁଛି । ମିଶ୍ରିଲାଲ କାରଖାନା ଚାରିପାଖରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଛି । ସ୍ଥାନୀୟ ଲୋକମାନେ ସାଧାରଣତଃ ପାଣି ପାଇଁ ନଦୀ, ନାଳ, ଝରଣା ଓ ଚୁଆ ଉପରେ ନିର୍ଭର କରନ୍ତି । ମିଶ୍ରିଲାଲ କାରଖାନା ଭୂତଳ ଜଳ ବ୍ୟବହାର କରୁଥିବାରୁ ଆଖପାଖ ଗାଁ ମାନଙ୍କରେ ଅନେକ ଗ୍ରାମର କୂଅ ପୋଖରୀ ସବୁ ଅସମୟରେ ସୁଖା ପଡୁଛି । ପଙ୍କପାଳ ପଞ୍ଚାୟତର ପଙ୍କପାଳ, ଶାସନ, ମନୋହରପୁର, ହନୁମତପାଟଣା, ନିମପଲ୍ଲୀ, ଜଟରାପାଳ, ଗୋଲା ଗାଁ, ଝୁମ୍ପୁରୀ ସାହି, ବାଘାବାହାଳି, ରଗଡ଼ି ଆଦି ଗ୍ରାମ ସବୁରେ ଜଳସମସ୍ୟା ଦେଖାଦେଉଛି । ପଙ୍କପାଳ, ନିମପଲ୍ଲୀ, ଚାନ୍ଦିଆ ପଞ୍ଚାୟତର ପ୍ରାୟ ପନ୍ଦର ହଜାରରୁ ଅଧିକ ଲୋକ ଜଳ କଷ୍ଟ ଭୋଗୁଛନ୍ତି । ଅସମୟରେ ଏସବୁ ଅଞ୍ଚଳରେ ଜଳକଷ୍ଟ ଦେଖାଯାଉଥିବା ବେଳେ ଖରା ଦିନ କଥା ନକହିବା ଭଲ । ଗ୍ରାମର ଅନେକ କୂଅ, ପୋଖରୀ ଶୁଖିଯାଉଥିବା ବେଳେ ନଳକୂପ ସବୁ ଅଚଳ ହେଇଯାଉଛି । ନଳକୂପରୁ ଆଇରନ ମିଶା ପାଣି ବାହାରୁଛି । ଯାହା ପାଣି ବାହାରୁଛି ତାହା ସମୁଦ୍ରକୁ ଶଙ୍କେ । ଆଦିବାସୀ ଲୋକଙ୍କ କଥା ତ ନକହିବା ଭଲ । ପାଣି ମୁନେ୍ଦ ପାଇଁ ସେମାନଙ୍କୁ ମାଇଲ ମାଇଲ ଦୂର ଯିବାକୁ ପଡୁଛି । ପ୍ରାୟ ଏକ ବର୍ଷ ପୂର୍ବରୁ ମିଶ୍ରିଲାଲ କମ୍ପାନୀ ତାର ଜନଶୁଣାଣି ସମୟରେ ସ୍ଥାନୀୟ ଅଞ୍ଚଳର ଅନେକ ସାଧାରଣ ଲୋକ ଭୂତଳ ଜଳ ବ୍ୟବହାରକୁ ବିରୋଧ କରିଥିବାର ଦେଖିବାକୁ ମିଳିଥିଲା । ଏମିତିକି କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ମିଶ୍ରିଲାଲ କମ୍ପାନୀ ସ୍ଥାନୀୟ ଅଞ୍ଚଳର ଲୋକ ସଜାଇ କମ୍ପାନୀ ସପକ୍ଷରେ କହିବାକୁ ଉସୁକାଇଥିଲା । ଆଗାମୀ ଦିନରେ ଯଦି କମ୍ପାନୀ ନଦୀ ଜଳ ନଆଣି ଭୂତଳ ଜଳ ବ୍ୟବହାର ନକରେ ତେବେ ନିଶ୍ଚିତ ଭାବରେ ସାଧାରଣ ଲୋକ ବିପଦ ମୁଖରେ ପଡ଼ିବେ ।