କିଆଝର ପାଇଁ ଗର୍ବ ଆଣିଲେ ୪ ଯୁବକ

 ଟମକା : ଦାନଗଦୀ ବ୍ଲକ୍ ଅନ୍ତର୍ଗତ କିଆଝର ପଞ୍ଚାୟତର ୪ଜଣ ଯୁବକ ସ୍ଥାନୀୟ ଅଂଚଳ ପାଇଁ ଗର୍ବ ଆଣିଛନ୍ତି । ଉତ୍ତର ପ୍ରଦେଶର ଆଗ୍ରା ଠାରେ ଅନୁଷ୍ଠିତ ଜାତୀୟ ଲାକ୍ରୋସ ଚାମ୍ପିଅନ୍ସିପ୍ ଖେଳରେ ଓଡିଶା ଦଳରେ ଭାଗ ନେଇ ଉନ୍ନତମାନର ଖେଳ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି । ଅପ୍ରେଲ ମାସ ୨୯ ତାରିଖରୁ ମେ ୧ତାରିଖ ବର୍ଯ୍ୟନ୍ତ ଅନୁଷ୍ଠିତ ଚାମ୍ପିଅନ୍ସିପ୍ରେ ସର୍ବ ଭାରତୀୟସ୍ତରରେ ୨୪ଟି ରାଜ୍ୟ ଭାଗ ନେଇଥିବା ବେଳେ, ଓଡିଶାରୁ ୨୬ଜଣ ଯୁବକ ଏଥିରେ ସାମିଲ୍ ହୋଇଥିଲେ ।  
ଓଡ଼ିଶା ସିନିୟର ଦଳରେ  କିଆଝର ଗ୍ରାମର ରାମ ଚନ୍ଦ୍ର ମହାନ୍ତଙ୍କ ପୁଅ ଲଲାଟେନ୍ଦୁ, କ୍ଷେତ୍ରବାସୀ ମହାନ୍ତଙ୍କ ପୁଅ ଡମ୍ବରୁଧର ଏହି ଖେଳ ଖେଳିବାର ସୁଯୋଗ ପାଇଥିବା ବେଳେ, ଜୁନିଅର ଦଳରେ ସେହି କିଆଝର ଗ୍ରାମର ନକୂଳ ମହାନ୍ତଙ୍କ ପୁଅ ଦିଲ୍ଲୀପ ଓ କ୍ଷେତ୍ରବାସୀ ମହାନ୍ତଙ୍କ ପୁଅ ଧିରେନ୍ଦ୍ର ସାମିଲ ହୋଇଥିଲେ । ଚାମ୍ପିଅନ୍ସିପ୍ରେ ଓଡିଶା ଦଳ ଉନ୍ନତମାନ ଖେଳ ପ୍ରଦର୍ଶନ କରି ଲିଗ୍ରେ ଆସାମ୍କୁ ୭-୦, ପ୍ରିକ୍ୱାର୍ଟରେ ତାମିଲନାଡୁକୁ ୬-୩ ଗୋଲରେ ପରାସ୍ତ କରିଥିବା ବେଳ, କ୍ୱାର୍ଟର ରାଉଣ୍ଡରେ ଆନ୍ଧ୍ର ପ୍ରଦେଶ ଠାରୁ ପରାଜୟ ବରଣ କରିଥିଲା । ପୂର୍ବରୁ ଏମାନେ ବିଜେବି କଲେଜ ଭୂବନେଶ୍ୱର ପରିସରରେ ଅନୁଷ୍ଠିତ ଏକ ପ୍ରଶିକ୍ଷଣ ଶିବିରରେ ରାଉଲକେଲା ଓ ଛତିଶଗଡର ବରିଷ୍ଠ କୋଚ୍ଙ୍କ ଠାରୁ ଏହି ଖେଳର ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ତେବେ ଆଗାମି ଦିନରେ ଏମାନେ ଆହୁରି ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ପ୍ରଥମେ ଜାତୀୟ ଚାମ୍ପିୟନସିପ୍ ଓ ପରେ ୨୦୨୮ ରେ ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୮ଅଲମ୍ପିକ୍ ଖେଳରେ ଭାଗନେଇ ପଦକ ହାସଲ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବାର ଲକ୍ଷ ରଖିଥିବା ମତପୋଷଣ କରିଛନ୍ତି । ତେବେ ଏହି ଯୁବକ ୪ଜଣ ସୋମବାର ନିଜ ଅଞ୍ଚଳରେ ପହଁଚିବା ପରେ ପଞ୍ଚାୟତ ତରଫରୁ ତାଙ୍କୁ ସମ୍ବର୍ଦ୍ଦନା ପ୍ରଦାନ କରାଯାଇଥିଲା । ଟମକା ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ, ସରପଞ୍ଚ ରାଜଲକ୍ଷ୍ମୀ ମହାପାତ୍ର, ସମିତିସଭ୍ୟା ଗୌରୀ ମୁର୍ମୁ, ସମାଜସେବୀ ସୌମ୍ୟରଞ୍ଜନ ମହାପାତ୍ର ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ନାୟକ ପ୍ରମୁଖ ୪ଜଣ ଯୁବକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।