ମହିଳାଙ୍କୁ ସ୍ୱାବଲମ୍ବୀ କଲା ‘ଅଗରବତୀ’
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନୂଆଗାଁ ପଞ୍ଚାୟତର ସରପା ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ନିଜ ହାତରେ ଧୂପକାଠି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି । ସେମାନେ ଏହାକୁ ରୋଜଗାରର ପନ୍ଥା ଭାବେ ଆପଣେଇଛନ୍ତି । ପୂଜାରେ ବ୍ୟବହୃତ ଧୂପକାଠିକୁ ସେମାନେ ନିଜ ହାତରେ ପ୍ରସ୍ତୁତ କରି ଘରୋଇ ପୂଜାପାଠରେ ସୀମିତ ନ ରଖି ଏହାକୁ ଏକ ବ୍ରାଣ୍ଡରେ ପରିଣତ କରିଥିଲେ । ଯାହାର ନାଁ ରଖିଥିଲେ ‘ମଣି କାଞ୍ଚନ ଅଗରବତୀ । ଟାଟା ଷ୍ଟିଲ୍ ଫଉଣ୍ଡେସନର ମହିଳା ସଶକ୍ତିକରଣ ଓ ଉଦ୍ୟମିତା ପ୍ରକଳ୍ପ ଅଧୀନରେ ଗଠିତ ଗୃହଲକ୍ଷ୍ମୀ ସମବାୟ ସମିତିର ସହଯୋଗରେ ୨୦୨୩ ମସିହାରେ ଏକ ଛୋଟ ଉଦ୍ୟମ ଭାବରେ ଏହି ଛୋଟ ପ୍ରୟାସ ଭାବରେ ଆରମ୍ଭ ହୋଇଥିଲା । ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ଏହି ଉଦ୍ୟମ ଆଜି ସେମାନଙ୍କୁ ମଣିକାଞ୍ଚନ ଜରିଆରେ ଘରେ ଘରେ ପରିଚିତ ଅଗରବତୀରେ ପରିଣତ ହୋଇପାରିଛି । ସେମାନେ ନିଜ ସଂଚୟ ରାଶିରୁ ମିଳିତ ଭାବେ ୨୪,୦୦୦ ଟଙ୍କା ସଂଗ୍ରହ କରି ଏହି ଯାତ୍ରା ଆରମ୍ଭ କରିଥିଲେ । ଏକ ମ୍ୟାନୁଆଲ୍ ଅଗରବତୀ ତିଆରି ଯନ୍ତ୍ର ସହ କଞ୍ଚାମାଲ କିଣିଥିଲେ ଏବଂ ନିଜକୁ ନିଜେ ପ୍ରଶିକ୍ଷିତ କରିଥିଲେ । ବହୁ ବାଧାବିଘ୍ନ ସତ୍ତ୍ୱେ ଯେତେବେଳେ ୩୭,୦୦୦ ଧୂପକାଠି ତିଆରି ହୋଇପାରିଲା, ସେତେବେଳେ ସେମାନଙ୍କ ଆତ୍ମବିଶ୍ୱାସ ବଢିଥିଲା । ଏହି ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ଘରେ ହିଁ ପ୍ରଥମେ ଧୂପକାଠି ଦୋକାନ ଆରମ୍ଭ ହୋଇଥିଲା । ଆଉ ଧୀରେ ଧୀରେ ସେମାନଙ୍କର ଏହି ପରିଶ୍ରମର ମହକ ଆଖପାଖ ଗାଁରେ ପହଞ୍ଚôଲା । ଗୃହଲକ୍ଷ୍ମୀ ସମବାୟ ସମିତି ଏହି ମହିଳାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସାମର୍ଥ୍ୟକୁ ଚିହ୍ନିବା ସହ ସେମାନଙ୍କ ହାତଧରି ଆଗକୁ ବଢିବାର ରାସ୍ତା ଦେଖାଇଥିଲା । ଏହି ଯାତ୍ରାର ଆରମ୍ଭରୁ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ୯.୫ ଲକ୍ଷ ଟଙ୍କାର ଅଗରବତୀ ବିକ୍ରୟ ହୋଇପାରିଛି । ଗୃହଲକ୍ଷ୍ମୀର ସଭାପତି ଏବଂ ମା ମହାଲକ୍ଷ୍ମୀ ଏସ୍ଏଚ୍ଜିର ସଦସ୍ୟା ତଥା ଏହି ପରିବର୍ତ୍ତନର ଅନ୍ୟ ଜଣେ ପୁରୋଧା ପଦ୍ମିନୀ ସେନାପତି କହିଛନ୍ତି, ଏହି ଅଗରବତୀ ପାଇଁ ମୋର ପ୍ରଥମ ରୋଜଗାର ମୋ ହାତକୁ ଆସିଥିଲା, ଯାହା ମୋର ପରିବାର ପ୍ରତିପୋଷଣ ପାଇଁ ସହାୟକ ହୋଇପାରିଥିଲା । ବର୍ତ୍ତମାନ ଆମେ ଆମକୁ କେବଳ ସମାଜରେ ଗୃହିଣୀର ପରିଚୟରେ ସୀମିତ ନରଖି ଉଦ୍ୟୋଗୀ ଭାବେ ପରିଚିତ ହୋଇପାରିଛୁ ।
 
 Rasmita Behera
                                    Rasmita Behera                                 
    
             
    
 
    
 
    
 
    
 
 
 
