କିଷାନ ସମ୍ମାନ ନିଧି ଯୋଜନାର ୨୦ତମ କିସ୍ତି ବଣ୍ଟନ
ଛତ୍ରପୁର: ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୦ତମ କିସ୍ତି ବଣ୍ଟନ ନିମନ୍ତେ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ମୁଖ୍ୟ କାର୍ଯ୍ୟକ୍ରମ ଉତ୍ତର ପ୍ରଦେଶର ବାରଣାସୀଠାରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଆଭାସୀ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲାପାଳ କୀର୍ତ୍ତି ଭାସନ୍ ସମସ୍ତଙ୍କୁ ସ୍ୱାଗତ କରିବା ସହ ଗଞ୍ଜାମ ଜିଲ୍ଲାର ପ୍ରାୟ ୧ଲକ୍ଷ ୭୦ହଜାର କୃଷିଜୀବୀଙ୍କୁ ୨୦ତମ କିସ୍ତି ପ୍ରଦାନ କରାଯାଇଛି ଏବଂ ଏହା ଆସନ୍ତା ଖରିଫ୍ ଋତୁରେ ଚାଷୀମାନଙ୍କୁ ଏହି ଅର୍ଥ ସାହାଯ୍ୟ କରିବ ବୋଲି କହିଥିଲେ । ସମସ୍ତେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସାରଡା ନୀଳମଣୀ ବିଷୋୟୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗକ୍ରମେ ସମସ୍ତ ଅନ୍ନଦାତା କୃଷିଜୀବୀଙ୍କ ସମସ୍ତ ସମସ୍ୟା ଦୂର ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲାର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ କୃଷିଜୀବୀ ଭାଇ ଓ ଭଉଣୀମାନେ ତଥା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଗଣ, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।