ପୁଣି ଗୋରୁ ବୋଝେଇ ଟ୍ରକ ଜବତ : ୩୯ ବଳଦ ଉଦ୍ଧାର, ୨ ମୃତ

 ସୁକିନ୍ଦା  : ଦୁଇଦିନ ବ୍ୟବଧାନରେ ପୁଣି ସୁକିନ୍ଦା ହନୁମାନ ଛକରୁ ଗୋରୁ ବୋଝେଇ ଟ୍ରକ ଜବଦ ହୋଇଛି । ଟ୍ରକରେ ୩୯ଟି ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ବଜରଙ୍ଗ କର୍ମୀଙ୍କ ଦ୍ୱାରା ଜବଦ କରାଯାଇ ପୁଲିସ ଜିମା ଦିଆଯାଇଥିଲା । ତେବେ ଜବଦ ଗୋରୁ ମଧ୍ୟରୁ ୨ଟି ମୃତୁ୍ୟ ଘଟିଥିବା ବେଳେ ଏନେଇ ସୁକିନ୍ଦା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ୫୩ ନଂ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ  ସୁକିନ୍ଦା ଗୋଶାଳା ଏବଂ ବଜରଙ୍ଗ ଦଳ କାର୍ଯ୍ୟକର୍ତାଙ୍କ ମିଳିତ ଉଦ୍ୟମରେ ଗୋଟିଏ ଟ୍ରକ ଜବଦ କରାଯାଇଥିଲା ବେଳେ ଦୁଇଟି ଖସିଯାଇଥିଲା । ସକାଳୁ ଗୋରୁ ବୋଝେଇ ଟ୍ରକ ଟିକୁ ସୁକିନ୍ଦା ଗୋଶାଳାକୁ ନିଆଯାଇ ସେଠାରେ ଜୀବିତ ଅବସ୍ଥାରେ୩୯ଟି ବଳଦଙ୍କୁ ଉଦ୍ଧାର କରାଯାଇ ଥିବା ସେଥି ମଧ୍ୟରୁ ଦୁଇଟି ମୁତୁ୍ୟ ବରଣ କରିଥିବା ଦେଖିବାକୁ ମିଳିଛି । ସମସ୍ତ ଗୋରୁଙ୍କ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଜିଲା ପୁଲିସ ତରଫରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଗୋମାଫିଆ ନିୟମିତ ଭାବେ ଟ୍ରକ ଯୋଗେ ଗୋ ଚାଲାଣ କରାଯାଉଥିବାର ଅଭିଯୋଗ ହେଉଛି । ମୁଖ୍ୟତଃ ଯାଜପୁର, ଭଦ୍ରକ ଢେଙ୍କାନାଳ ତିନଟି ଜିଲାର ଅଧିକାଂଶ ଥାନାରେ ଗୋ ମାଫିଆ ମାସିକିଆ ମୋଟା ଅଙ୍କର ଚାନ୍ଦା ଦେଇ ପ୍ରତ୍ୟେକ ଦିନ ଏହି ଚୋରା ଗୋରୁ ଚାଲାଣ କରୁଛନ୍ତି । ଆଗାମୀ ଦିନରେ ଯଦି ଏହି ଚୋରା ଗୋରୁ ଚାଲାଣ ବନ୍ଦ ନହୁଏ କିମ୍ବା ସ୍ଥାନୀୟ ପୁଲିସ ତରଫରୁ ସମ୍ପୃକ୍ତ ଗୋରୁ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଗୋଶାଳା କାର୍ଯ୍ୟକର୍ତା ଏବଂ ବଜରଙ୍ଗ ଦଳ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟରେ ଉଦ୍ଧାର ହୋଇଥିବା ସମସ୍ତ ବଳଦଙ୍କୁ ସ୍ଥାନୀୟ ଗୋଶାଳା କାର୍ଯ୍ୟକର୍ତାଙ୍କୁ ପୁଲିସ ହସ୍ତାନ୍ତର କରିଛି ।