କୁଆଁରିଆ ମାଳବନ୍ଧ ରାସ୍ତା ଶୋଚନୀୟ

 ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ ବେଣାଗାଡିଆ ପଞ୍ଚାୟତର ପଥରଦ୍ୱାର ଗ୍ରାମରୁ ବେଣାଗାଡିଆ ନିକଟସ୍ଥ କୁଆଁରିଆ ସେତୁକୁ ସଂଯୋଗ କରୁଥିବା ମାଳବନ୍ଧ ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଫଳରେ ଉକ୍ତ କୁଆଁରିଆ ମାଳବନ୍ଧ ରାସ୍ତା ଦେଇ ଯାତାୟାତ ନିମନ୍ତେ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ସାମାନ୍ୟ ବର୍ଷା ହେଲେ ମାଳବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି । ଗ୍ରାମବାସୀଙ୍କ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ମରାମତି ପୂର୍ବରୁ ଉକ୍ତ ମାଳବନ୍ଧ ରାସ୍ତାଟି ସଂପୂର୍ଣ୍ଣ ରୁପେ ଭଲ ଥିଲା । ଗ୍ରାମବାସୀ ମାଳବନ୍ଧ ରାସ୍ତା ଦେଇ  ସୁବିଧାରେ ଯାତାୟାତ କରି ପାରୁଥିଲେ ।ତେବେ କଣ୍ଟିଲୋ ଜଳସେଚନ ବିଭାଗ ପକ୍ଷରୁ ଉକ୍ତ ମାଳବନ୍ଧର ଉନ୍ନତିକରଣ କାର୍ଯ୍ୟ ଶେଷ ପରେ ଜନସାଧାରଣ ଉକ୍ତ ମାଳବନ୍ଧ ରାସ୍ତା ଦେଇ ଯାତାୟାତ  କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଜଣାପଡିଛି । ଏ ସମ୍ପର୍କରେ ପ୍ରଶାସନ ଓ ଜଳସେଚନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଅବଗତ ଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ଷା ଯୋଗୁଁ  ମାଳବନ୍ଧ ରାସ୍ତା କାଦୁଅ ପଙ୍କରେ ଭର୍ତ୍ତିହୋଇ ପଡିଛି । ଫଳରେ ଉକ୍ତ ମାଳବନ୍ଧ ରାସ୍ତା ଦେଇ ଯାତାୟାତ ନିମନ୍ତେ ଗ୍ରାମବାସୀ ପ୍ରତି ମୁହୂର୍ତ୍ତରେ ପ୍ରମାଦ ଗଣୁଛନ୍ତି । ଇତି ମଧ୍ୟରେ ପଥର ଦ୍ୱାର ଗ୍ରାମର ୧୫ ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଉକ୍ତ ମାଳବନ୍ଧ ରାସ୍ତା ଦେଇ ଯାତାୟାତ କଲାବେଳେ କାଦୁଅ ପଙ୍କରେ ଖସିପଡି ଆହାତ ହୋଇଥିବା ଜଣାପଡିଛି । ମାଳବନ୍ଧ ରାସ୍ତା ପ୍ରତି ଜଳସେଚନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ  ନୟାଗଡ ଅଧିକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେବାକୁ ପଥରଦ୍ୱାର ଓ ମୁରାରୀପୁର ଗ୍ରାମବାସୀ ଦାବି କରିଛନ୍ତି  ।