କୁଆଖିଆ-ଯାଜପୁର ରାଜପଥ ନିର୍ମାଣ କାର୍ଯ୍ୟ ନିମ୍ନମାନର
କୁଆଖୁଆ-ଯାଜପୁର ୨୦ନଂ ଜାତୀୟ ରାଜପଥ ନିର୍ମାଣ ବିଳମ୍ବକୁ ନେଇ ଜନ ଅସନ୍ତୋଷ ଲାଗିରହିଥିବା ବେଳେ, ନିମ୍ନମାନର କାର୍ଯ୍ୟ କରାଯାଉଥିବାରୁ ଅଞ୍ଚଳବାସୀଙ୍କ ମନରେ ରୋଷ ବଢିବାରେ ଲାଗିଛି । ଚାରିଲେନ ବିଶିଷ୍ଟ ହେବାକୁ ଥିବା ଏହି ରାସ୍ତା କୁଆଖୁଆ ଠାରୁ ଆରମ୍ଭ ହୋଇ ହରିପୁର ପର୍ଯ୍ୟନ୍ତ ପହଁଚିିଛି । ରାସ୍ତାଟି ଯାଜପୁର ବ୍ଲକ ବରୁଆଁ ଦେଇ ଯାଇଥିବା ମାଆ ତାରାଦେବୀ ପୀଠ ଠାରୁ ରାଜଘାଟ ପୋଲ ପର୍ଯ୍ୟନ୍ତ ପୂର୍ବରୁ ଥିବା ଦୁଇଲେନ୍ ରାସ୍ତାକୁ ସମ୍ପ୍ରସାରଣ କରାଯାଉଛି । ସମ୍ପ୍ରସାରଣ କାର୍ଯ୍ୟ ଏଆରଏସ୍ଏସ୍ ନାମକ ଏକ ଘରୋଇ କମ୍ପାନୀ ହାତକୁ ନେଇଥିବା ବେଳେ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରାସ୍ତା କାର୍ଯ୍ୟର କୌଣସି ଜାଗାରେ ସୂଚନାଫଳକ ଲାଗିନଥିବାବେଳେ ସଂପ୍ରୁକ୍ତ କମ୍ପାନୀ ଅତି ବେପରୁଆଭାବେ ନିର୍ମାଣ କରିବା ଆଳରେ ନଷ୍ଟ କରିବାକୁ ବସିଛି ବୋଲି ଅଂଚଳବାସୀ ଅଭିଯୋଗ ଆଣିଛନ୍ତି । ବିଭିନ୍ନ ସ୍ଥାନରେ ଏକକାଳୀନ କଲଭର୍ଟଗୁଡ଼ିକୁ ଖୋଳି ପକାଇ ସମ୍ପ୍ରସାରଣ କରାଯାଉଛି । କିନ୍ତୁ ଉକ୍ତ କଲଭର୍ଟଗୁଡ଼ିକର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାର କୁହାଯାଉଛି । ନିମ୍ନମାନର ସିମେଂଟ ସହ ୮ ଏମ୍ଏମ୍ ଓ ୧୦ଏମ୍ଏମ୍ ରଡ଼ରେ କଲଭର୍ଟଗୁଡ଼ିକର ନିର୍ମାଣ କାର୍ଯ୍ୟ ଚାଲିଛି ।
ବରୁଆଁ ଛକ ଠାରୁ ୨୦୦ ମିଟର ଦୂରତାରେ ଥିବା ଏକ ପୁରୁଣା ପୋଲର ଉଭୟ ପାର୍ଶ୍ୱକୁ ସମ୍ପ୍ରସାରଣ ହେଉଥିବା ବେଳେ ବିନା ରଡ଼ରେ କେବଳ ସିମେଣ୍ଟ କଂକ୍ରିଟ ମସଲା ଢାଳୁ ଥିବା ବେଳେ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ବରୁଆଁ ବଜାର କମିଟି ସଭାପତି ପ୍ରକାଶ ପରିଡା, ପୂର୍ବତନ ସରପଂଚ ଗଦାଧର ଦାସ, ଶେଖ୍ ଗୋଲାମ୍ ଅଲ୍ଲୀ, ଗୌରାଙ୍ଗ ରାଉତ, ବାବନ ଆଇଚ, ଲକ୍ଷ୍ମୀ ନାରାୟଣ ପୂଜା କମିଟିର ସମ୍ପାଦକ ସୁମନ୍ତ ଦାସ, ଆନନ୍ଦ ସେନାପତି, ଚିଲରଞ୍ଜନ ସାହୁଙ୍କ ସମେତ ଶତାଧିକ ସାଧାରଣ ଜନତା କାର୍ଯ୍ୟକୁ ବିରୋଧ କରିଥିଲେ । ବରୁଆଁ-ଯାଜପୁର ମୁଖ୍ୟ ରାସ୍ତା ହୋଇଥିବାରୁ ଭବିଷ୍ୟତରେ ଏହି କଲଭର୍ଟ ଭୁଷୁଡ଼ି ଯିବାର ବେଶ୍ ସମ୍ଭାବନା ରହିଛି । ଏଥିସହ ରାସ୍ତାଟି ନିର୍ମାଣ ଚାଲୁଥିବାରୁ ପ୍ରବଳ ଧୂଳି ଧୂଷରରେ ସମଗ୍ର ପରିବେଶ ନଷ୍ଟ ହେଉଛି । ନିର୍ମାଣକାରୀ ଠିକାସଂସ୍ଥା ରାସ୍ତା ଉପରେ ଆଦୌ ପାଣି ମୁନ୍ଦିଏ ପକାଉନାହିଁ । ଦିନରେ ଦୁଇବେଳା ପାଣି ପକାଇବାକୁ ସରକାରୀ ନିୟମ ଥିବା ବେଳେ ନିର୍ମାଣକାରୀ ସଂସ୍ଥା ଏହାକୁ ଭ୍ରୁକ୍ଷେପ କରୁନି । ରାସ୍ତା ନିର୍ମାଣ ସମୟରେ ଜାତୀୟ ରାଜପଥ ବିଭାଗର କୌଣସି ଯନ୍ତ୍ରୀ ଆଦୌ ଉପସ୍ଥିତ ରହୁନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏଥିସହ ଯେଉଁସବୁ ସ୍ଥାନରେ କଲଭର୍ଟ ନିର୍ମାଣ କରାଯାଉଛି ସେସବୁ ସ୍ଥାନରେ କଲଭର୍ଟ ମଧ୍ୟରେ ପାଣି ଯିବାଆସିବା କରିବା ମଧ୍ୟ ସମ୍ଭବ ହେବନି ବୋଲି ଦେଖୁବାକୁ ମିଳିଛି । ରାସ୍ତା ନିର୍ମାଣ ଚାଲିଥିବା ସ୍ଥାନରେ ଖୋଳିଥିବା ସ୍ଥାନର ପୂର୍ବରୁ ନିର୍ମାଣକାରୀ ସଂସ୍ଥା ଯାତ୍ରୀଙ୍କ ଅବଗତି ନିମନ୍ତେ କୌଣସି ସୁରକ୍ଷା ବାଡ଼ କିମ୍ବା ସୂଚନା ଫଳକ ଦେଇନଥିବା ବେଳେ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି । ଯାଜପୁର ଜିଲାର ଆରାଧ୍ୟା ମାଆ ବିରଜା ପୀଠକୁ ଯିବାଆସିବା ନିମନ୍ତେ ବରୁଆଁ ଠାରୁ ଯାତ୍ରୀମାନେ ମୁଖ୍ୟତଃ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ ୫୦ରୁ ଊର୍ଦ୍ଧ୍ୱ ବସ ଓ ଶତାଧିକ ଟ୍ରକ୍ ଓ ହଜାର ହଜାର ବାଇକ, ଅଟୋ, ମିନିଟ୍ରକ୍, କାର ପ୍ରଭୃତି ଏହି ରାସ୍ତାରେ ଯା'ଆ ଆସ କରୁଥିବାବେଳେ ସୁରକ୍ଷା ନଥିବାରୁ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଏବେ ପର୍ଯ୍ୟନ୍ତ ଏପରି ଦୁର୍ଘଟଣାରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ଜୀବନ ଯାଇଥିବା ବେଳେ, ବହୁଲୋକ ଦୁର୍ଘଟଣାର ଶିକାର ହୋଇ ପଙ୍ଗୁ ଅବସ୍ଥାରେ ଘରେ ବସିରହିଛନ୍ତି । ନିର୍ମାଣକାରୀ ସଂସ୍ଥା କୁଆଖିଆ ବଜାରଠାରୁ ବରୁଆଁ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଡ୍ରେନ୍ ନିର୍ମାଣ କରୁଛି । ସାଧାରଣରେ ଏବେ ସମ୍ପ୍ରସାରଣ କାର୍ଯ୍ୟ ବିରୁଦ୍ଧରେ ଜନଅସନ୍ତୋଷ ବଢୁଥିବା ବେଳେ କୋଟି କୋଟି ଟଙ୍କାର ଅର୍ଥ ପାଣିରେ ପଢ଼ିବାକୁ ଯାଉଛି ବୋଲି ଲୋକେ କହିଛନ୍ତି । ତୁରନ୍ତ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।