ସେଲଫି ପଏଣ୍ଟ ପାଲଟିଛି ‘ଇନ୍ଷ୍ଟ୍ରିମ’ ବ୍ୟାରେଜ 

 ଯାଜପୁର ସଦର: ବିଭିନ୍ନ ସମୟରେ ସେଲ୍ଫି ପାଇଁ ଜୀବନ ଯିବା କଥା ହେଉ କି ଗୁୁରୁତର ଭଳି ଘଟଣା ଘଟୁଥିବା କାହାକୁ ଅଛପା ନାହିଁ । ଆଜିକାଲ ସେଲଫି ଏକ ମାନିଆ ହୋଇଯାଇଥିବାରୁ ଯିଏ ପାରି ସିଏ ବାଟଅବାଟରେ ମୋବାଇଲ ଖୋଲି ସେଲଫି ନେବାକୁ ପସନ୍ଦ କରୁଛି । ଯାଜପୁର ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳରେ ସେଲଫି ନେବାର ଦୃଷ୍ଟି ଗୋଚର ହୋଇଥାଏ । ଏପରିି ବନ୍ୟା ସମୟରେ ବି ଅନେକ ସେଲ୍ଫି ନେବାର ଆମେ ଦେଖିଛୁ । ବର୍ତ୍ତମାନ ବନ୍ୟା ନଥିଲେ ବି ନଦୀ ଜଳସ୍ରୋତକୁ ପଛ କରି ସେଲଫି ନିଆଯାଉଛି । ଆଉ ସେଲଫି ପଏଣ୍ଟ ଭାବେ ଇନ୍ଷ୍ଟ୍ରିମ ବ୍ୟାରେଜକୁ ଯୁବକ ଯୁବତୀ ଚୟନ କରିଛନ୍ତି । ଯାହା ଯାଜପୁର ସହରର ବରାହନାଥ ଠାରେ ବୈତରଣୀ ନଦୀ (ସପ୍ତମାତୃକା ମନ୍ଦିର) ନିକଟରେ ରହିଛି । ଜଳସମ୍ପଦ ବିଭାଗ ପକ୍ଷରୁ ୧୯୨,୬୮ କୋଟି ଟଙ୍କାର ବାମ ଓ ଡାହାଣ ପାର୍ଶ୍ୱରେ ଏକ ଇନ୍ ଷ୍ଟ୍ରିମ ବ୍ୟାରେଜ ନିର୍ମାଣ କରାଯାଇଛି । କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ବ୍ୟାରେଜଟି ବର୍ତ୍ତମାନ ଯାଜପୁର ସହର ସହିତ ବିଭିନ୍ନ ସ୍ଥାନରୁ ଆସୁଥିବା ଯୁବକ ଯୁବତୀମାନଙ୍କ ପାଇଁ ସେଲ୍ଫି ପଏଣ୍ଟ ପାଇଁ ଚର୍ଚ୍ଚିତ ହୋଇଛି । ବିଭିନ୍ନ ପ୍ରକାରର ଢଙ୍ଗରେ ଯୁବକଯୁବତୀ ଫଟୋ ଉଠାଉଛନ୍ତି । ବଡ ବିଡ଼ମ୍ବନାର ବିଷୟ ଏହି ଇନ୍ଷ୍ଟ୍ରିମ ବ୍ୟାରେଜଟି ନିର୍ମାଣ ସମୟରେ ଏହାର ସୁରକ୍ଷା ପ୍ରତି ଆଦୌ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହେଉଛି । କାରଣ ବ୍ୟାରେଜର ବିଭିନ୍ନ ସ୍ଥାନରେ ଯୁବକଯୁବତୀମାନେ ଫଟୋ ପୋଜ୍ ନେଉଥିବା ସମୟରେ ସେମାନେ ନିଜର ସୁରକ୍ଷା ପ୍ରତି ଆଦୌ ଧ୍ୟାନ ରହୁନଥିବା ଦେଖିବାକୁ ମିଳିଥିଲା । ଯଦି କୈାଣସି ସମୟରେ କାହା କ୍ଷେତ୍ରରେ ଅଘଟଣ ଘଟେ ସେଥିପାଇଁ ଦାୟୀ କିଏ ରହିବ? ବ୍ୟାରେଜ ରକ୍ଷଣାବେକ୍ଷଣ ଦାୟିତ୍ୱରେ କେହି ଗୁରୁତ୍ୱ ଦେଇନଥିବା ବେଳେ ଜଳସମ୍ପଦ ବିଭାଗର ଅଧିକାରୀଙ୍କୁ ଫୋନ୍ କଲେ ବାବୁ ଉଠାଉ ନାହାନ୍ତି । ଅଧିକାରୀ ଓ ଠିକାଦାରଙ୍କ ମଧୁର ସଂପର୍କରେ ନୀରିିହ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବକ ଯୁବତୀ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି କରାଯାଇଛି ।