ହୋଟେଲରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ଉ
ନବରଙ୍ଗପୁର : ରାଜ୍ୟରେ ଝାଡ଼ାବାନ୍ତି ବଢ଼ୁଛି । ଏହା ଗୋଟିଏ ପରେ ଗୋଟିଏ ଜିଲ୍ଲାରେକୁ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ମୃତୁ୍ୟ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନେବା ସହ ତତ୍ପର ହୋଇଛି । ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ନବ କିଶୋର ବେହେରାଙ୍କ ନେତୃତ୍ୱରେ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ନବରଙ୍ଗପୁର ସହରର ବିଭିନ୍ନ ହୋଟେଲ ଗୁଡିକ ଉପରେ ଚଢ଼ାଉ କରାଯାଇଛି । ସେଠାରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମାନ ପରୀକ୍ଷା କରିଛି ବିଭାଗ । ସହରରେ ଥିବା ୬ଟି ମୁଖ୍ୟ ହୋଟେଲରେ ଖାଦ୍ୟର ମାନ ଯାଞ୍ଚ କରାଯାଇଛି । ଅପମିଶ୍ରିତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ସହ ବିନା ଲାଇସେନ୍ସରେ ଖାଦ୍ୟ ବିକ୍ରି କରୁଥିବାରୁ ଗୋଟିଏ ହୋଟେଲକୁ ସିଲ କରାଯାଇଛି । ଏଥିସହ କେତେକ ହୋଟେଲରେ ଅପରିଷ୍କାର ପରିବେଶରେ ରୋଷେଇ ଓ ଖାଦ୍ୟର ମାନ ଖରାପ ଥିବାରୁ ବ୍ୟବସାୟୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । କେତେକ ଦୋକାନରେ ଏକ୍ସପାରୀ ହୋଇଥିବା ଖାଦ୍ୟ ସାମଗ୍ରୀ, ଫୁଡ ପ୍ୟାକେଟ ଓ ଅସ୍ୱାସ୍ଥ୍ୟକର ପରିବେଶକୁ ଦେଖି ଟିମ ସଦସ୍ୟ ବିରକ୍ତି ପ୍ରକାଶ କରିବା ସହ ଏପରି ସାମଗ୍ରୀ ମହଜୁଦ ନ ରଖିବା ପାଇଁ ତାଗିଦ୍ କରିଥିଲେ । ଆଗାମୀ ଦିନରେ ପୁଣି ଚଢ଼ାଉ କରାଯିବ । ଯଦି ଏହିଭଳି ଅସ୍ୱାସ୍ଥ୍ୟକର ପରିସ୍ଥିତି ଦେଖାଯାଏ ତା’ହେଲେ ଦୋକାନ ସିଲ୍ ସହ ଜରିମାନା ଆଦାୟ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଯାଞ୍ଚରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧକାରୀ ଅରୁଣ ମହାରଣା, ଜିଲ୍ଲା ଅଣୁ ଜୀବ ବିଶେଷଜ୍ଞ ରାଜ ଦତ୍ତ ଯୋଗ ଦେଇଥିଲେ ।