କୁମ୍ଭନିଦ୍ରାରେ ଜାରକା ଜଳସେଚନ ବିଭାଗ : ଅବଧି ପରେ ବି ଅଧୁରା ସେରପୁର-ବ୍ରହ୍ମବରଦା ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା

 ବ୍ରହ୍ମବରଦା : ଜାରକା ଜଳ ସେଚନ ବିଭାଗ ଦୁର୍ନୀତିରେ ଉବୁଡୁବୁ  । ବିଭାଗର ତଳୁ ଉପରଯାଏ ବାବୁ ଠିକାଦାରଙ୍କ ସ୍ୱାର୍ଥ ପାଇଁ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଛାଉନାହାନ୍ତି  । ସେରପୁର-ବ୍ରହ୍ମବରଦା ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାରେ ସୃଷ୍ଟ ରେନକଟ ହେଉଛି ଏହାର ପ୍ରମାଣ  । ଧର୍ମଶାଳା ବ୍ଲକ ଅନ୍ତର୍ଗତ ସେରପୁର ଠାରୁ ରସୁଲପୁର ବ୍ଲକ ବ୍ରହ୍ମବରଦା ବଜାରଘାଟ ବ୍ରିଜ୍ ପର୍ଯ୍ୟନ୍ତ ନିର୍ମାଣଧିନ ୩.୨୦କିମି ବ୍ୟାପୀ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ଅଧାପନ୍ତରିଆ ହୋଇ ପଡ଼ିରହିଛି  । ରାସ୍ତାସାରା ଖାଲ ଖମାରେ ଭର୍ତ୍ତି ହୋଇଥିବା ବେଳେ ବିରାଟ ବିରାଟ ଗର୍ତ୍ତ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି  । ନଦୀବନ୍ଧ କାର୍ଯ୍ୟର ଅବଧି ସରିଥିଲେ ମଧ୍ୟ ନିର୍ମାଣ ନ ସରି ଅଧୁରା ହୋଇ ରହିଛି  । ଫଳରେ ଦୈନିକ ହଜାର ହଜାର ଲୋକ ଉକ୍ତ ନଦୀବନ୍ଧ ରାସ୍ତା ଦେଇ ଯିବାଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି  । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି  । 
ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀର ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ସେରପୁର ଠାରୁ ବ୍ରହ୍ମବରଦା ବଜାର ଘାଟ ଏକ ପ୍ରମୁଖ ରାସ୍ତା  । ରାତି ପାହିଲେ ଉକ୍ତ ରାସ୍ତା ଦେଇ ଉଭୟ ଧର୍ମଶାଳା ଓ ବରୀ ନିର୍ବାଚନ ମଣ୍ଡଳୀର ୩୦ଗୋଟି ପଞ୍ଚାୟତର ପାଖାପାଖି ୨୦ହଜାରରୁ ଉଦ୍ଦ୍ୱର୍ ଲୋକ, ଶହ ଶହ ଗାଡ଼ିମଟର ଯିବାଆସିବା କରିଥାନ୍ତି  । ୨୦୨୪-୨୫ ଆର୍ଥôକ ବର୍ଷରେ ଜାରକା ଜଳସେଚନ ବିଭାଗ ପକ୍ଷରୁ ଉକ୍ତ ନଦୀବନ୍ଧର ଶେରପୁର ଠାରୁ ବ୍ରହ୍ମବରଦା ପର୍ଯ୍ୟନ୍ତ ୩.୨୦କିମି ବ୍ୟାପୀ ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢୀକରଣ ନିମନ୍ତେ ସମ୍ପୃକ୍ତ ବିଭାଗ ତରଫରୁ ୨କୋଟି ୯୭ଲକ୍ଷ ୮୦ହଜାର ଟଙ୍କା ମଞ୍ଜୁର କରାଯାଇଥିଲା  । ଏହାର ନିର୍ମାଣ କାର୍ଯ୍ୟ ୧୭ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହୋଇ ୧୬ ମାର୍ଚ୍ଚ ୨୦୨୫ ସୁଦ୍ଧା ଶେଷ କରିବାକୁ ପ୍ରାବଧାନ ରହିଥିଲା  । କିନ୍ତୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟର ଅବଧି ଶେଷ ହୋଇଥିଲେ ମଧ୍ୟ ଆଜି ଯାଏ ସରିବାର ନାଁ ଧରୁନି । ବିଭାଗୀୟ ଅଧିକାରୀଙ୍କ ମନମାନି ଓ ଠିକାଦାର ପ୍ରୀତି ଯୋଗୁ ଦୀର୍ଘଦିନ ହେବ ନଦୀବନ୍ଧ ରାସ୍ତା କାର୍ଯ୍ୟ ବନ୍ଦ ହୋଇ ପଡ଼ିରହିଛି  । ଠିକାଦାର ଜଣକ ଏହାର ନିର୍ମାଣ ଅବଧି (ଇଓଟି) ମଧ୍ୟ ବଢ଼ାଇ ନ ଥିବା ଚର୍ଚ୍ଚା ହେଉଛି  । ଅନ୍ୟପକ୍ଷରେ, ନଦୀବନ୍ଧ ରାସ୍ତା କାମରେ ବହୁ ଅନିୟମିତତା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି  । ରାସ୍ତାର ଉଭୟପାର୍ଶ୍ୱକୁ ସଠିକ ଢଙ୍ଗରେ ଖୋଳା ନଯାଇ ଓ ରାସ୍ତା କାମରେ ମାଟି ବଦଳରେ ବାଲି ମିଶା ମାଟି ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଶହ ଶହ ରେନ୍କଟ ସହ ଧୋଇହୋଇ ବିରାଟ ବିରାଟ ଗର୍ତ ସୃଷ୍ଟି ହେଉଛି । ତା ସହିତ ଆବଶ୍ୟକ ମୁତାବକ ରୋଲିଂ ହୋଇ ନଥିବା ମଧ୍ୟ ଅଭିଯୋଗ ହୋଇଛି । ରାସ୍ତା କାମ ବିଳମ୍ବ ହେଉଥିବା ହେତୁ ଓ ନଦୀରେ ବାରମ୍ବାର ବନ୍ୟାଜଳ ଆସୁଥିବାରୁ ନଦୀକୁଳିଆବାସୀ ସର୍ବଦା ଆତଙ୍କିତ ହୋଇ ରହିଛନ୍ତି  । ତୁରନ୍ତ ଉକ୍ତ ନଦୀବନ୍ଧ ରାସ୍ତା କାମ ଶେଷ କରିବାକୁ ସାଧାରଣରେ ଦାବି ହୋଇଛି  ।