କେନାଲ ରାସ୍ତା ମରାମତି ଦାବି
ବନ୍ତ: ବନ୍ତ ବ୍ଲକ ସରମରା-ଅଗିରାଗଡ଼ିଆ ମାଇନର କେନାଲ ରାସ୍ତା ଦୀର୍ଘ ଦିନ ଧରି ଶୋଚନୀୟ ହୋଇରହିଛି । କେନାଲଟି ଜଗନ୍ନାଥପୁର ଗ୍ରାମ ନିକଟରୁ ବାହାରି ଅଗିରାଗଡ଼ିଆ, ବାଙ୍କତୀରା, ଭଗାରାମ, ଆପତୀରା, ତୁମ୍ବାପଦୀ ଦେଇ ସରମରା ନିକଟରେ ସରୁସାଗର ନଦୀ ସହ ସଂଯୋଗ ହୋଇଛି । ଉକ୍ତ କେନାଲ ବନ୍ଧ ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବାରୁ ବନ୍ଧ ରାସ୍ତାକୁ ସ୍ଥାନୀୟ ଲୋକେ ରାସ୍ତା ଭାବେ ବ୍ୟବହାର କରିଆସୁଛନ୍ତି । ଉପରୋକ୍ତ ଗ୍ରାମଗୁଡ଼ିକ ସହ ମଧ୍ୟ ଏହି ବନ୍ଧ ରାସ୍ତା ଦେଇ ଗୋହିରା, ତୋଟାସାହି, ଦେବତାଗଡ଼ିଆ, ଟିଲୋ, ଏରଝାଟିଆ, ପାରାବନ୍ଧ ଆଦି ଗ୍ରାମବାସୀ ଆଗରପଡ଼ାକୁ ଯାଆନ୍ତି । ଉକ୍ତ ରାସ୍ତା ଦୀର୍ଘ ଦିନ ହେବ ମରାମତି ଅଭାବରୁ ବହୁ ସ୍ଥାନରେ ଘାଇ ସୃଷ୍ଟି ହେବା ସହ ଯାତାୟାତରେ ସମସ୍ୟା ସାଜୁଛି । ଦୁଇ ବର୍ଷ ତଳେ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି କେବଳ ମାଟି କାମ କରାଇଥିଲେ ।ହେଲେ କେନାଲ ବନ୍ଧର ଉନ୍ନତୀକରଣ ହୋଇ ନଥିବାରୁ ଅଞ୍ଚଳବାସୀଙ୍କ ପାଇଁ ସମସ୍ୟା ସାଜୁଛି । ଏ ବିଷୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରୀବାରୁ ଏହାର ନିର୍ମାଣ ପାଇଁ ଏବେ କିଛି ଯୋଜନା ନାହିଁ ବୋଲି କହିଛନ୍ତି । ଉକ୍ତ ରାସ୍ତା ଅଞ୍ଚଳ ପାଇଁ ଆବଶ୍ୟକ ଥିବାରୁ ଅନ୍ତତଃ ମରାମତି ପାଇଁ ଦାବି ହେଉଛି ।