ଫଳକ ଲଗାଇ ଲକ୍ଷାଧିକ ଲୁଟ୍!

 ବିଞ୍ଝାରପୁର : ଏହି ବ୍ଲକରେ ଦୁର୍ନୀତି ଆଉ ଫଳକ ଲଗାଇ ଅର୍ଥ ହଡ଼ପ କରିବା କିଛି ନୂଆ କଥା ନୁହଁ । ପୂର୍ବରୁ ଖଜୁରୀ ଗଛକୁ ବୃକ୍ଷ ରୋପଣ ଦର୍ଶାଇ ଟଙ୍କା ହଡପ ଅଭିଯୋଗ ଏହାର କେନ୍ଦ୍ରୀୟ ଟିମ ତଦନ୍ତ ପରେ ଫଳ ଯାହା ଆସିଛି ତାହା ବିଞ୍ଝାରପୁର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହେଲା ପରେ ବି ଏଠି କର୍ମଚାରୀଙ୍କ ଚିତ୍ର ଚରିତ୍ର ବଦଳିବାର ନା ଧରୁନାହିଁ । ପରିସ୍ଥିତି ଏଭଳି ଯେବେ ଫଳକରେ ପ୍ରକଳ୍ପ ଖୋଜୁଛନ୍ତି ଲୋକେ । ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛନ୍ତି ବିଡ଼ିଓ । କିନ୍ତୁ ଚୋର ହାତରେ ଚାବିକାଠି ଭଳି ତଦନ୍ତ ହେଉଥିବା ଦେଖା ଦେଉଛି । ଘଟଣା ପ୍ରକାଶ ଥାଉ କି କଲ୍ୟାଣପୁର ପଂଚାୟତର ଅଧିଷ୍ଠାତ୍ରୀ ଦେବୀ ମଙ୍ଗଳ ଚଣ୍ଡୀଙ୍କ କମୁ୍ୟନିଟି ସେଂଟର ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ୨୦୨୩-୨୪ ଆର୍ଥôକ ବର୍ଷରେ ବ୍ୟୟ ବରାଦ ହୋଇଥିବା ଫଳକ କହୁଛି । ହେଲେ ପ୍ରକଳ୍ପର ଚିହ୍ନ ନଥିବା ଅଭିଯୋଗ କରିଛନ୍ତି କଲ୍ୟାଣପୁର ବାସିନ୍ଦା । ଅଭିଯୋଗର ତଦନ୍ତ ଭାର ବିଡ଼ିଓ ସହକାରୀ ଯନ୍ତ୍ରୀଙ୍କ କାନ୍ଧରେ ନ୍ୟସ୍ତ କରିଛନ୍ତି । ଅପରପକ୍ଷେ ଏନେଇ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ନିର୍ମାଣାଧୀନ ଥିବା ମାଙ୍କ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନରେ ଉକ୍ତ ଟଙ୍କାର ବିନିଯୋଗ ହୋଇଥିବା ବେଳେ ପିଂଟୁ ନାମକ ଏକ ଭେଣ୍ଡରକୁ ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀ । ଅପରପକ୍ଷରେ ମନ୍ଦିର ନିର୍ମାଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ସେହି ଗ୍ରାମର ମନୋଜ ନାୟକଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟରେ କୌଣସି ସରକାରୀ ଅନୁଦାନ ଲାଗି ନଥିବା ସେ ସ୍ପଷ୍ଟ କରିଛନ୍ତି । 
ତେବେ ଏସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଏବଂ ମନୋଜ ନାୟକଙ୍କ ମଧ୍ୟରୁ କିଏ ସତ ଆଉ କିଏ ମିଛ କହୁଛି ତାହା ତଦନ୍ତ ସାପେକ୍ଷ । ବିଞ୍ଝାରପୁର ବ୍ଲକରେ ଏଭଳି ଦୁର୍ନୀତି ସଚେତନ ନାଗରିକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଫଳକ ଲଗାଇ ସରକାରୀ ଅର୍ଥ ଲୁଟିଲା କିଏ ତାହା ବିରାଟବଡ଼ ପ୍ରଶ୍ନ ସୃଷ୍ଟି କରିଛି । ସରକାରୀ ଅର୍ଥ ଲୁଟର ମାଷ୍ଟର ମାଇଣ୍ଡ ସହକାରୀ ନିର୍ବାହୀଯନ୍ତ୍ରୀ ନୁହଁନ୍ତି ତ? ଯାହାଙ୍କ ନିର୍ଦେଶରେ ବିଲ ସବୁ ପାରିତ ହୋଇଥାଏ । ଏଭଲି ତଦନ୍ତ ପାଇଁ ବ୍ଲକ ପ୍ରଶାସନ ହରଡ଼ଘଣାରେ ପଡିଛି ବୋଲି କୁହାଯାଉଛି ।