କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀଙ୍କୁ କେଭିଙ୍କ ଅନୁରୋଧ : ତୁରନ୍ତ ଚାଉଳ ଉଠାଉ ଏଫ୍ସିଆଇ
ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଆଜି ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି । ଖରିଫ ୨୦୨୪-୨୫ ପାଇଁ ଚାଉଳ ସଂଗ୍ରହ ଲକ୍ଷ୍ୟ ବିଷୟରେ ସବିଶେଷ ଆଲୋଚନା କରିବା ସହ ଏଫସିଆଇ ଦ୍ୱାରା ଚାଉଳ ସ୍ଥାନାନ୍ତରକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି । ଗସ୍ତକାଳରେ ସେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଓଡ଼ିଶାର ସାଂସଦମାନଙ୍କୁ ମଧ୍ୟ ଭେଟିଛନ୍ତି ।
ଖରିଫ ୨୦୨୪-୨୫ ସମୟରେ ଓଡ଼ିଶା ରେକର୍ଡ ପରିମାଣର ୯୨,୬୪,୨୩୫ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିଛି । ଯାହା ୬୨,୬୨,୦୮୬ ମେଟ୍ରିକ ଟନ୍ ଚାଉଳ ସହିତ ସମାନ ହୋଇଥିବା ବେଳେ ରାଜ୍ୟ ଇତିହାସରେ ଏପର୍ଯ୍ୟନ୍ତ ସର୍ବାଧିକ ସଂଗ୍ରହ । ଖରିଫ ଏବଂ ରବି ଫସଲ ସମେତ ରାଜ୍ୟର ବ୍ୟବହାର ପରେ, ୧୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଳକା ରହିଛି, ଯାହାକୁ ଏଫସିଆଇ ଉଠାଇବା ଆବଶ୍ୟକ । ଏଫସିଆଇ ଦ୍ୱାରା ବଳକା ଚାଉଳ ସ୍ଥାନାନ୍ତରର ଧୀର ଗତି ସମଗ୍ର ଧାନ ସଂଗ୍ରହ ପ୍ରକ୍ରିୟାକୁ ବାଧା ଦେଉଛି । ଏଣୁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଏ ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପରୋକ୍ତ ସମସ୍ୟାକୁ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ମାଳବିକା ଦେବୀ, ପ୍ରତାପ ଷଡ଼ଙ୍ଗୀ, ଭର୍ତ୍ତୃହରି ମହତାବ, ପ୍ରଦୀପ ପୁରୋହିତ, ସୁକାନ୍ତ ପାଣିଗ୍ରାହୀ, ଅନିତା ଶୁଭଦର୍ଶିନୀ, ଅନନ୍ତ ଚରଣ ନାୟକ, ବିଭୁ ପ୍ରସାଦ ତରାଇ, ଡ଼ ରବୀନ୍ଦ୍ର ନାରାୟଣ ବେହେରା, କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ସଞ୍ଜୀବ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ ।