କେନ୍ଦ୍ର ସପକ୍ଷରେ କହିବ ବିଜେଡ଼ି!
ଭୁବନେଶ୍ୱର : ‘ଅପରେସନ୍ ସିନ୍ଦୂର’ ନେଇ ଆଜି ଲୋକସଭା କମ୍ପିଥିବାବେଳେ ଆସନ୍ତାକାଲି ରାଜ୍ୟସଭା ବି କମ୍ପିବ । ୨୦୨୪ରୁ ଲୋକସଭାରେ ବିଜେଡ଼ିର ସ୍ୱର ଆଉ ଶୁଭୁନାହିଁ । ଚବିଶ ନିର୍ବାଚନରେ ମୂଳପୋଛ ହୋଇଯାଇଥିବା ବିଜେଡ଼ି ଏବେ ରାଜ୍ୟସଭାରେ ହିଁ ନିଜର ଅସ୍ଥିତ୍ୱ ବଜାୟ ରଖିଛି । ସମ୍ପ୍ରତି ରାଜ୍ୟରେ ବିଜେପି ସରକାର ଆସିଥିଲେବି ସଂସଦରେ ବିଜେଡ଼ିର ଆଭିମୁଖ୍ୟ କିନ୍ତୁ ପୂର୍ବଭଳି ‘ମୋଦି’ମନସ୍କ ରହିଛି ।
ଆସନ୍ତାକାଲି ରାଜ୍ୟସଭାରେ ଅପରେସନ୍ ସିନ୍ଦୂର ନେଇ ସରଗରମ ଆଲୋଚନା ହେବ । ବିଜେଡ଼ି ମଧ୍ୟ ଆଲୋଚନାରେ ଭାଗ ନେବ । ତେବେ ବିଜେଡ଼ି କିନ୍ତୁ ଅନ୍ୟ ବିରୋଧୀ ଦଳଙ୍କ ଭଳି କେନ୍ଦ୍ରକୁ ଟାର୍ଗେଟ୍ କରିବ ନାହିଁ । ବରଂ ଅପରେସନ ସିନ୍ଦୂରର ସଫଳତା ଓ ମୋଦି ସରକାରଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଅପରେସନ୍ ସିନ୍ଦୂରର ସଫଳତା ବଖାଣିବା ସହ ପାକ୍ର ଆତଙ୍କବାଦୀ ପ୍ରେମ ସଂକ୍ରାନ୍ତରେ ସାରା ବିଶ୍ୱକୁ ଅବଗତ କରିବା ପାଇଁ କେନ୍ଦ୍ର ସରକାର ୭ଟି ଟିମ୍ ଗଠନ କରିଥିଲେ । ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନେ୍ଦଙ୍କ ନେତୃତ୍ୱରେ ସାଉଦିଆରବ, ଲିବେରିଆ, କଙ୍ଗୋ ଓ ସିଏରା ଲିଓନେ ଯାଇଥିବା ଟିମ୍ରେ ଅନ୍ୟ ସାଂସଦଙ୍କ ସହ ରାଜ୍ୟସଭାରେ ବିଜେଡ଼ି ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଯାଇଥିଲେ । ସେଠାରେ ଯେତେବେଳେ ଓପି-ସିନ୍ଦୂର ନେଇ ସେ ଦମଦାର ବକ୍ତବ୍ୟ ରଖିଥିଲେ, ରାଜ୍ୟସଭା ଆଲୋଚନାକାଳରେ ସେ ସେଭଳି ଆଭିମୁଖ୍ୟ ରଖିବେ ବୋଲି କୁହାଯାଇପାରିବ ।
ବିଜେଡ଼ି ଅନ୍ୟ ବିରୋଧୀ ଦଳ ଭଳି ଓପି-ସିନ୍ଦୂରକୁ ସମର୍ଥନ କରିଥିଲା । ସର୍ବଦଳୀୟ ବୈଠକରେ ବିଜେଡ଼ି ଓ ନବୀନଙ୍କ ଆଭିମୁଖ୍ୟ ସମ୍ପର୍କରେ ସସ୍ମିତ ମଧ୍ୟ କହିସାରିଛନ୍ତି । ଏବେ ରାଜ୍ୟସଭାରେ ଏନେଇ ଆଲୋଚନା ହେଉଥିଲେବି ବିରୋଧୀ ଉଠାଉଥିବା ପ୍ରସଙ୍ଗ ସହ ବିଜେଡ଼ି କିନ୍ତୁ ଏକମତ ନୁହେଁ । ଦେଶ ସୁରକ୍ଷାର କଥା ଥିବାରୁ ବିଜେଡ଼ି କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ନିଶ୍ଚିତ । କାହିଁକିନା ନବୀନ ଅନ୍ୟ ବିରୋଧୀ ଦଳଗୁଡ଼ିକ ଭଳି ହୀନ ରାଜନୀତି କରିବାକୁ ଚାହିଁବେ ନାହିଁ । ଖାଲିସେତିକି ନୁହେଁ ରାଜ୍ୟରେ ନବୀନ ବିଜେପି ସରକାରକୁ ବିରୋଧ କରୁଥିଲେବି ମୋଦିଙ୍କ ପ୍ରତି ଏବେବି ତାଙ୍କରଭଲପାଇବା ରହିଛି । ଅତୀତରେ ବହୁବାର ଏହାର ପ୍ରମାଣ ମିଳିସାରିଛି । ଇଣ୍ଡି ମେଣ୍ଟ ଜାଲରେ ନପଡ଼ି ନବୀନ ପୂର୍ବଭଳି କେନ୍ଦ୍ର ସରକାରଙ୍କୁ ସହଯୋଗ ଜାରିରଖିବେ । ଗାଏମୋଟ କହିଲେ, ଆସନ୍ତାକାଲି ଅନେକ ରାଜ୍ୟସଭା ସାଂସଦଙ୍କୁ ବିତର୍କରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥିବାବେଳେ ସମସ୍ତେ ପହଲଗାମ ଆତଙ୍କୀ ଆକ୍ରମଣକୁ ନିନ୍ଦା ଓ ଅପରେସନ୍ ସିନ୍ଦୂରର ସଫଳତା କଥା ହିଁ କହିବେ ।