କ୍ରସର କର୍ମଚାରୀଙ୍କୁ ପିଟି ପିଟି ହତ୍ୟା ଘଟଣା... ଜଣେ କୋର୍ଟ ଚାଲାଣ; ମାଲିକ ସମେତ ୩ ଫେରାର
ଧର୍ମଶାଳା : ବହୁ କସରତ ପରେ ଧର୍ମଶାଳା ପୁଲିସ କ୍ରସର କର୍ମଚାରୀକୁ ପିଟି ପିଟି ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ କର୍ମଚାରୀ ଜାରକା ଜାମୁବଣିଆ ମୌଜାର ଅଜୟ ଜେନାଙ୍କ ପୁଅ ଅରଜିତ (୨୨) ହତ୍ୟା ଘଟଣାରେ ସଂପୃକ୍ତ ଥିବା ମାଲିକ ସମେତ ୩ଜଣଙ୍କୁ ଗିରଫ କରିବାକୁ ସମର୍ଥ ହୋଇନି । ହେଲେ ଫେରାର ଅଭିଯୁକ୍ତକୁ ଖୁବଶିଘ୍ର ଗିରଫ କରଯିବ ବୋଲି ଧର୍ମଶାଳା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁ । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ କ୍ରସର କର୍ମଚାରୀ ତଥା ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ଗ୍ରାମର ସତ୍ୟରଞ୍ଜନ ବଳ (୨୪)ହୋଇଥିବା ବେଳେ ଫେରାର ଅଭିଯୁକ୍ତ ମଧ୍ୟରେ କ୍ରସର ମାଲିକ ତଥା ବଡଚଣା ଥାନା ଖୋସାଲୀପୁର ଗ୍ରାମର ଜ୍ଞାନରଞ୍ଜନ ମହାପାତ୍ର (ସିଲୁ), କୁଆଖିଆ ଥାନା ଜାବରା ଗ୍ରାମର ହେମନ୍ତ କୁମାର ଦେଓ, ଧର୍ମଶାଳା ଥାନା ହରିଦାସପୁର ଗ୍ରାମର ସୋମ୍ୟରଞ୍ଜନ ବିଶ୍ୱାଳ ବୋଲି କୁହାଯାଇଛି । ପୁଲିସ ଅଭିଯୁକ୍ତ ଠାରୁ ୬ଗୋଟି ପ୍ଲାଷ୍ଟିକ ପାଇପ,୩ଟି ମୋବାଇଲ ଓ ୨ଟି ବାଇକ ଜବତ କରିଛି । ଖବର ଥାଉକି ଧର୍ମଶାଳା ଥାନା ଜାରକା ଜାମୁବଣିଆ ମୌଜାର ଅଜୟ ଜେନାଙ୍କ ପୁଅ ଅରଜିତ ଜେନାପୁର ଥାନା ରାହାଡପୁରସ୍ଥିତ ଜ୍ଞାନରାଞ୍ଜନ ମହାପାତ୍ରଙ୍କ ପରିଚାଳିତ ପଦ୍ମାବାତୀ କ୍ରସରରେ କର୍ମଚାରୀ ଭାବେ କାମ କରୁଥିଲେ । ଗତ୨୬ତାରିଖରେ ଘରୁ କ୍ରସକୁ ଯାଇଥିଲେ । ହେଲେ ତାର ମୋବାଇଲ ନଲାଗିବାରୁ ମାଆ ଏବଂ ସମ୍ପର୍କିୟ ଭାଇ ତାକୁ ଖୋଜିବା ଲାଗି ରାହାଡୁରସ୍ଥିତ କ୍ରସରରେ ପହଁଚିଥିଲେ । ତେବେ ତାକୁ ଧର୍ମଶାଳା ଥାନା ଭଡଙ୍ଗାସ୍ଥିତ ମାଲିକ ଘରକୁ ନିଆଯାଇଥିବା କ୍ରସରର କର୍ମଚାରୀମାନଙ୍କ ଠାରୁ ଜାଣି ସେଠାରେ ପହଁଚିଥିଲେ । ମାଲିକଙ୍କ ଘରୁ ଅରଜିତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଆ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ତାର ଚିକିତ୍ସା ଚାଲିଥିବା ବେଳେ ୩୦ତାରିଖ ଅପରହ୍ନରେ ତାର ମୃତୁ୍ୟ ଘଟିଥିଲା । ସୁଦୂର ସୁରଟରେ କାମ କରୁଥିବା ତାର ବାପା ଅଜୟ ଜେନା ଖବର ପାଇ ଘରେ ପହଁଚି ତାଙ୍କ ପୁଅକୁ କ୍ରସର ମାଲିକ ଜ୍ଞାନରଞ୍ଜନ ମହାପାତ୍ର ସମେତ ଅନ୍ୟ କର୍ମଚାରୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଥିଲେ । ଏପରିକି ଅଭିଯୋଗରେ ଚେଙ୍କ ଦିଆଯାଇଥିବା କଥା ଦର୍ଶାଇଥିଲେ । ପୁଲିସ ଅଭିଯୋଗ ଆଧାରରେ୨୫୮/୨୫ରେଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ।