କ୍ରାନ୍ତିକାରୀ ଶିକ୍ଷକନେତା ଅବନୀ ବରାଳ
ହିମାଂଶୁ ଶେଖର ଆଚାର୍ଯ୍ୟ : କ୍ରାନ୍ତିକାରୀ ଶିକ୍ଷକନେତା ଥିଲେ ଅବନୀ ବରାଳ । ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଲା । ଜନ୍ମ ନେଇଥିଲେ ୧୯୩୫ ମସିହା ଜୁନ୍ ୩ ତାରିଖରେ ଓ ଛାଡିଗଲେ ୨୦୧୩ ମସିହା ନଭେମ୍ବର ୭ ତାରିଖରେ। ହେଲେ ଦୀର୍ଘ ୭୯ ବର୍ଷର ଘଟଣାବହୁଳ ଓ ସଂଗ୍ରାମୀ ଜୀବନ ଭିତରେ ଅନେକ ଆଲୋକଶିଖା ଏବେବି ଜାଜ୍ଜ୍ୱଲ୍ୟମାନ। ବେସରକାରୀ ଶିକ୍ଷାନୁଷ୍ଠାନ ଓ ସରକାରୀ ଅନୁଦାନ କଥା ଉଠିଲେ ପ୍ରଥମେ ତାଙ୍କ କଥା ହିଁ ମନରେ ଉଙ୍କିମାରେ । ସେ ହେଉଛନ୍ତି ପ୍ରବୀଣ ଶିକ୍ଷାବିତ୍, ଅଗ୍ନିବର୍ଷୀ ବକ୍ତା, ସୁସାହିତ୍ୟିକ, ଅପ୍ରତିଦ୍ୱନ୍ଦୀ ସଂଗଠକ, ସାମ୍ୟବାଦ ଚିନ୍ତାନାୟକ, ନିଖିଳ ଉକ୍ରଳ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ, ସର୍ବୋପରି ବିଶ୍ୱ ଶିକ୍ଷକ ସଂଗଠନର ଉପସଭାପତି ।
୧୯୬୯ ମସିହାର ତତ୍କାଳୀନ ପରିସ୍ଥିତିରେ ବେସରକାରୀ ଶିକ୍ଷାନୁଷ୍ଠାନ ଚାକିରି ତାଳଗଛର ଛାଇ ସଦୃଶ ଥିଲା । ଶିକ୍ଷକମାନଙ୍କ ପାଇଁ କୌଣସି ଚାକିରି ସର୍ତ୍ତାବଳୀ ନଥିଲା । ଯାହାଫଳରେ ସକାଳେ ଥିବା ଚାକିରି ସଞ୍ଜ ବେଳକୁ ନଥିଲା । ଶିକ୍ଷକମାନେ ଗୋତି ଶ୍ରମିକ ଠାରୁ ଅହୁରି ହୀନ ଅବସ୍ଥାରେ ଥିଲେ । ଏଭଳି ଦୟନୀୟ ସ୍ଥିତିରୁ ଶିକ୍ଷକମାନଙ୍କୁ ଉଦ୍ଧାର କରିବା ପାଇଁ ପୂଜ୍ୟ ବନମାଳୀ ବ୍ରହ୍ମଚାରୀ, ଅଧ୍ୟାପକ ଅବନୀ ବରାଳ ଓ କୈଳାସ ମହାପାତ୍ରଙ୍କ ଆହ୍ୱାନରେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ ଓ କଲେଜ ଶିକ୍ଷକ ସଂଘକୁ ନେଇ ୨୭.୭.୧୯୬୯ ମସିହାରେ ଖ୍ରୀଷ୍ଟ କଲେଜ ପରିସରରେ ମିଳିତ ଶିକ୍ଷକ କାର୍ଯ୍ୟାନୁଷ୍ଠାନ କମିଟି ଗଠିତ ହେଲା । ଏଇଠୁ ଶିକ୍ଷକ ଆନ୍ଦୋଳନର ମୂଳୁଦୁଆ ପଡିଲା । ଏହାର ଫଳସ୍ୱରୂପ ୧୯୬୯ ମସିହା ଅଗଷ୍ଟ ୧୬ ତାରିଖରେ ବେସରକାରୀ ଶିକ୍ଷକମାନଙ୍କ ପାଇଁ ଓଡିଶା ଶିକ୍ଷାନୀତି-୧୯୬୯ ପ୍ରଣୟନ ହେଲା ୧୯୬୯ ଶିକ୍ଷା ଆଇନର ସଫଳତାକୁ ପୁଞ୍ଜିକରି ୧୯୭୧ ମସିହା ପବିତ୍ର ଗୁରୁଦିବସ ଦିନ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ଠାରେ ନିଖିଳ ଉକ୍ରଳ ଶିକ୍ଷକ ମହାସଂଘ ଗଠନ ହେଲା । ଏହାର ସଭାପତି ଭାବେ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀ ଓ ସାଧାରଣ ସମ୍ପାଦକ ଭାବେ ଅଧ୍ୟାପକ ଅବନୀ ବରାଳ ନିର୍ବାଚିତ ହୋଇଥିଲେ । ଏହା ଥିଲା ଶିକ୍ଷକ ସଂଗଠନ ଇତିହାସର ମାଇଲଖୁଣ୍ଟ ।
ଏମାନଙ୍କୁ ସହଯୋଗ କରିଥିଲେ ରାଜ କିଶୋର ପଟ୍ଟନାୟକ, ରାଜ କିଶୋର ଭୁଜବଳ, ଅନନ୍ତ କର, ଅର୍ଜୁନ ଦାଶ, ଶରତ ମହାପାତ୍ର, ଗୌରହରି ଶତପଥୀ,ଅଧ୍ୟାପକ ଭଗବାନ ଜେନା, ଅଧ୍ୟାପକ ଗୟାଧର ରାଉତ, ଡକ୍ଟର ଭୋଳାନାଥ ରାଉତ,ଅଧ୍ୟାପକ ମନୀନ୍ଦ୍ର କୁମାର ସାମଲ, ଅଧ୍ୟାପକ ଦୟାନିଧି ସାମନ୍ତରାୟ, (ଦିବଂଗତ) ଏବଂ ତାଙ୍କ ପଛକୁ ଅଧ୍ୟାପକ ଅଜୟ କୁମାର ସାମଲ, ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ବିବେକାନନ୍ଦ ଦାଶ, ପୀତବାସ ବେହୁରିଆ, ଦାଶରଥି ନାୟକ, କିଶୋର ପଣ୍ଡା, ରଘୁନାଥ ସାହୁ ,ବିଜୟ ବିଶ୍ୱାଳ, ନିକୁଞ୍ଜ ମହାନ୍ତି, ଶଙ୍କର୍ଷଣ ସ୍ୱାଇଁ, ଅକ୍ଷୟ ଦାସ, ପ୍ରଫୁଲ୍ଲ ମହାପାତ୍ର ଓ ଆହୁରି ଅନେକ । ଏମାନଙ୍କ ସାହାଯ୍ୟ ଓ ସହଯୋଗରେ ଶିକ୍ଷକ ସଂଗଠନ କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏକ ସଂଗ୍ରାମୀ ଜୀବନ୍ତ ଗଣ ଅନୁଷ୍ଠାନରେ ପରିଣତ ହୋଇଥିଲା । ମହାନ୍ ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ସାହଚର୍ଯ୍ୟ ଓ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ଆଦର୍ଶ ଓ ପରେ ପ୍ରାଣନାଥ କଲେଜରେ ଅଧ୍ୟାପନା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ଓଡିଶାର ଶିକ୍ଷକ ସମାଜ ଦୁଃଖରେ ନରୁହନ୍ତୁ, ସେମାନଙ୍କ ସମସ୍ୟାର ସମାଧାନ ହେଉ ସେଥିପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ । ଏଥିପାଇଁ ଦୁର୍ବାର ଆନ୍ଦୋଳନ କରିବାକୁ ସେ ପଶ୍ଚାତପଦ ହୋଇନଥିଲେ । ୧୯୬୯, ୧୯୭୪, ୧୯୮୪, ୧୯୮୯ ମସିହାର ଆନ୍ଦୋଳନ ତାର ଗୋଟିଏ ଗୋଟିଏ ଉଦାହରଣ । ଏହି ସବୁ ଆନ୍ଦୋଳନର ଫଳ ସ୍ୱରୂପ ଶିକ୍ଷକ ସମାଜ ପାଇଥିବା ସୁବିଧା ସୁଯୋଗ ତାଲିକା ବେଶ୍ ଦୀର୍ଘ । ଏହା ଭିତରେ ରହିଛି ପ୍ରଥମ ଶିକ୍ଷା ଆଇନ, ଚାକିରି ଭର୍ତ୍ତି, ଚାକିରି ନିରାପତ୍ତା, ଅବସରକାଳୀନ ସୁବିଧା, ମଧ୍ୟ ଇଂରାଜୀ ଓ ମାଧ୍ୟମିକ ବିଦ୍ୟାଳୟର ସରକାରୀକରଣ ଓ ୟୁଜିସି ବେତନ ସଂଶୋଧନ । ଏଥିପାଇଁ ଶିକ୍ଷକମାନଙ୍କୁ ଲାଠି ମାଡ ଖାଇବାକୁ ପଡିଛି, ବାୟୋନେଟ୍ ଆଘାତ ସହିବାକୁ ହୋଇଛି, କାରାବରଣ କରିବାକୁ ପଡିଛି ଓ ଚରମ ବଳିଦାନ ମଧ୍ୟ ଦେବାକୁ ପଡିଛି । ଏସବୁ ଭିତରେ ୧୯୭୪ ମସିହାରେ ଶିକ୍ଷକ ସମାଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବା ହେଉଛି ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ।
ଜଣେ ଅପ୍ରତିଦ୍ୱନ୍ଦୀ ସଂଗଠକ ଭାବେ ଏକ ନିଆରା ପରିଚୟ ଥିଲା ଅବନୀ ବରାଳଙ୍କର । ଶିକ୍ଷକ ମହାସଂଘର ସମସ୍ତ ଆନ୍ଦୋଳନ ଅଗ୍ରଭାଗରେ ରହୁଥିଲେ ସେ । ଜଣେ ସଂଗଠକ ଭାବେ ୧୯୬୯ ବିଶେଷକରି ୧୯୭୧ ମସିହାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ଚାରି ଦଶନ୍ଧି ଧରି ସେ ନିଖିଳ ଉକ୍ରଳ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ସାଂଗଠନିକ ଦକ୍ଷତା ଅତୁଳନୀୟ ଥିଲା । ଥରେ ସେ ଯାହା ଚିନ୍ତା କରୁଥିଲେ ତାକୁ କାର୍ଯ୍ୟରେ ପରିଣତ କରି ଦେଖାଉଥିଲେ । ଏହାହିଁ ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ । ଏପରିକି ବିଶ୍ୱ ସଂଗଠନର ଉପସଭାପତି ହୋଇ ସେ ଆନ୍ତାର୍ଜାତୀୟ ସ୍ତରରେ ନିଜପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିଲେ ସେ । ସେହିପରି ସାମ୍ୟବାଦୀ ଆନ୍ଦୋଳନର ପୁରୋଧା ଭାବରେ ଅବହେଳିତ ଦଳିତ ସମାଜର ସେ ଆଶା ଭରସା ଥିଲେ । ଯେଭଳି ଜଣେ ସଂଗଠକ ସେଭଳି ଜଣେ ସୁବକ୍ତା ଥିଲେ ଅବନୀ ବରାଳ । ସେ ତାଙ୍କ ଭାଷଣକୁ ଏଭଳି ଭାବଭିତ୍ତିକ ଓ ତଥ୍ୟାତ୍ମକ କରନ୍ତି ଯେ କେବଳ ଶିକ୍ଷକ ସମାଜ ନୁହେଁ, ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଶ୍ରୋତା ତାଙ୍କ ଭାଷଣକୁ ବେଶ୍ ଉପଭୋଗ କରୁଥିଲେ । ସଂଗ୍ରାମୀ ଜୀବନ ଭିତରେ ଅବନୀ ବରାଳଙ୍କ ସାହିତ୍ୟ ସାଧନା ସ୍ଥିର ହୋଇନଥିଲା । ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ସେ ନିଜପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଯାଇଛନ୍ତି । ପ୍ରାୟ ୨୫ ଖଣ୍ଡରୁ ଉଦ୍ଧ୍ୱର୍ ପୁସ୍ତକ ସେ ଲେଖିଯାଇଛନ୍ତି ସେ ଯେଉଁଥିରେ ଅଛି ଉପନ୍ୟାସ, ଗଳ୍ପ, ଆଲୋଚନା ଓ ଭ୍ରମଣ କାହାଣୀ । ଏସବୁ ସତ୍ତେ୍ୱ ତାଙ୍କ ସାହିତ୍ୟକୃତି ରହିଯାଇଛି ସ୍ୱୀକୃତି ଅପେକ୍ଷାରେ । “ପ୍ରେମ ଅନ୍ୱେଷଣରେ ଗୋଟିଏ ତରୁଣୀ” ରୁ “ହୀରୋସିମା ନାଗାସାକି ଆଉ ନୁହେଁ ହେଉ” ବା “ମାୟାବିନୀ ମଞ୍ଚ” ରୁ “ଅପରାହ୍ନର ଛାୟା” ପର୍ଯ୍ୟନ୍ତ ସବୁଠି ତାଙ୍କ ସୃଜନଶୀଳତାର ଛାପ ବେଶ୍ ବାରି ହୋଇପଡେ ।
ଆଜି ଶିକ୍ଷକମାନଙ୍କର ସମସ୍ୟା ଅସମାହିତ । ଶିକ୍ଷକ ସଂଗଠନଗୁଡିକ ବିଭାଜିତ । ଜୀବଦ୍ଦଶାରେ ଏସବୁ ନିଜ ଆଖିରେ ଦେଖି ସେ ଗଭୀରଭାବେ ମର୍ମାହତ ହୋଇଥିଲେ । ଅଭିମାନରେ କହିଥିଲେ - ‘ଦୟାକରି ମୋତେ ଶିକ୍ଷକନେତା କୁହନ୍ତୁ ନାହିଁ ’ । ସବୁଠୁ କ୍ଷୋଭର କଥା ହେଲା, ସେ ·ଲିଗଲା ପରେବି ତାଙ୍କ ହାତଗଢା ଶିକ୍ଷକ ମହାସଂଘ ବିି ଏହି ବିଭାଜନରୁ ବର୍ତ୍ତିପାରିଲା ନାହିିଁ । ଏବେ ଚିନ୍ତା କରିବାର ସମୟ ଆସିଛି । ସବୁ ବର୍ଗର ଶିକ୍ଷକ ଓ ସବୁ ଶିକ୍ଷକ ସଂଗଠନ ଏକଥା ହୃଦୟଙ୍ଗମ କରିବା ଉଚିତ୍ । ତାଙ୍କ ଅବର୍ତ୍ତମାନରେ ବିରାଟ ଶୂନ୍ୟତା । ସେ ଶୂନ୍ୟତା କେବେ ପୂରଣ ହେବ କେଜାଣି ? ସେ ସୁଦିନକୁ ହିଁ ଅପେକ୍ଷା !
ମୋ - ୯୯୩୭୧୫୧୦୫୨