ଖେଲୋ ଇଣ୍ଡିଆ ବିଚ୍ ଗେମ ୩ ଖେଳାଳୀଙ୍କ ସଫଳତା

 ନବରଙ୍ଗପୁର: ଡାମନ ଓ ଡିଉ ଠାରେ ସଦ୍ୟ ସରିଥିବା ଖେଲୋ ଇଣ୍ଡିଆ ବିଚ୍ ଗେମ୍ରେ ନବରଙ୍ଗପୁର ଜିଲ୍ଲାର ୩ ଖେଳାଳି ସଫଳତା ହାସଲ କରିଛନ୍ତି । ନବରଙ୍ଗପୁର ଜିଲ୍ଲା ପେଞ୍ଚାକ ସିଲାଟ ସଂଘର ଗଣେଶ ପୂଜାରୀ, ରବୀନ୍ଦ୍ର ଭତରା ଏବଂ ଅଶୁତୋଷ ପୂଜାରୀ ଏହି ଗେମ୍ରେ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସୂଚନାଯୋଗ୍ୟ ଯେ ଡାମନ ଓ ଡିଉ ଠାରେ ଚଳିତ ୧୯ରୁ ୨୪ ପର୍ଯ୍ୟନ୍ତ  ଖେଲୋ ଇଣ୍ଡିଆ ବିଚ୍ ଗେମ୍ ଭାରତ ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ  ହୋଇଥିଲା । ନବରଙ୍ଗପୁରର ଏଇ ଖେଳାଳିମାନେ ଜାତୀୟସ୍ତରର କ୍ରୀଡ଼ାରେ  ଚୟନ ହୋଇ ଖେଲୋ ଇଣ୍ଡିଆ ବିଚ୍ ଗେମ୍ରେ ଖେଳିବା ପାଇଁ ସୁଯୋଗ ପାଇଥିଲେ । ଅନ୍ତର୍ଜାତୀୟ ରେଫରି ତଥା କୋଚ୍ ହରିଶ୍ ବେହେରାଙ୍କ ଠାରୁ  ବିଗତ ୧୦ବର୍ଷ ଧରି ଏହି ବିଜେତା ଖେଳାଳିମାନେ ପ୍ରଶିକ୍ଷଣ ନେଉଛନ୍ତି । ଏହି ଅବସରରେ ପଦକ ବିଜେତା ଏବଂ କୋଚ୍, ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ତଥା ପେଞ୍ଚକ୍ ସିଲଟ ସଂଘର ଉପଦେଷ୍ଟା ମନୋଜ ପଟ୍ଟନାୟକ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏ ଅବସରରେ ଜିଲ୍ଲାପାଳ ଖୁସିବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରୀଡାବିତ୍ମାନଙ୍କୁ ସମ୍ମାନିତ କରାଯିବ ବୋଲି ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ପଲକା ରବୀନ୍ଦ୍ରଙ୍କୁ ମଧ୍ୟ ପଦକ ବିଜେତାମାନେ ସାକ୍ଷାତ କରିଥିବା ବେଳେ ସେ ତାଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।