ଖୋଲିବ ମମିତା ଫାଇଲ୍
ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର ଖୋଳତାଡ଼
ଜେଲରେ କ୍ରାଇମବ୍ରାଞ୍ଚ ଟିମ୍
ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ଫାଇଲ୍ ପୁଣି ଖୋଲିବ । ଆଜି ଏହାର ସଂକେତ ମିଳିଛି । ମମିତାଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । କଣ୍ଟାବାଞ୍ଜି ଜେଲ୍ରେ ଏନେଇ ତନାଘନା ଆରମ୍ଭ ହୋଇଥିବାରୁ ଏହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏକଦା ମମିତା ମେହେରଙ୍କ ହତ୍ୟା ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଚହଲେଇ ଦେଇଥିଲା । ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ବିଜେପି ଓ କଂଗ୍ରେସ ହାଲାବୋଲ କରିଥିଲେ । ତେବେ କଣ୍ଟାବାଞ୍ଜି ଜେଲରେ ଥିବାବେଳେ ଗୋବିନ୍ଦ ସାହୁ ସନ୍ଦେହଜନକ ଭାବେ ଆତ୍ମହତ୍ୟା କରିଥିଲେ । ଏକ ଗାମୁଛାରେ ସେ ଆତ୍ମହତ୍ୟା କରିଥିବାନେଇ ସେତେବେଳେ ଜେଲ୍ ପକ୍ଷରୁ ସୂଚନା ଦିଆଯାଇଥିଲା । ଗୋବିନ୍ଦଙ୍କ ଦ୍ୱାରା ପରିଚାଳିତ ମହାଲିଙ୍ଗ କଲେଜରେ ମମିତା ଚାକିରୀ କରିଥିବାବେଳେ ସେ ନିଖୋଜ ହୋଇଯାଇଥିଲେ । ନିଖୋଜର ପ୍ରାୟ ୧୧ ଦିନ ପରେ ସ୍କୁଲ ପରିସରରେ ଥିବା ଏକ ଖାତରୁ ତାଙ୍କର ହାଡ଼ ଓ ଅନ୍ୟ ଅଙ୍ଗ ଉଦ୍ଧାର କରାଯାଇଥିଲା । ତାଙ୍କୁ ଜାଳି ଖାତରେ ପକା ଯାଇଥିବା ଅଭିଯୋଗରେ ଗୋବିନ୍ଦଙ୍କୁ ଗିରଫ କରାଯାଇଥିଲା ।