ଗଛ ପଡ଼ି ଧାନ ଫସଲ ନଷ୍ଟ
ନୂଆପଡା : ଗତ କିଛି ଦିନ ହେବ ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ସହ ପବନ ବୋହୁଛି ଏବଂ କୁଆ ପଥର ମାଡ ହେଉଛି । ଫଳରେ ଡାଲୁଆ ଧାନ ଫସଲ ନଷ୍ଟ ହୋଇ ଯାଉଛି । ଚାଷୀମାନେ ଚିନ୍ତାରେ ପଡ଼ିଥିବାବେଳେ ସରକାରୀ ସହଯୋଗ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଓ ବୋଡେନ ବ୍ଲକରେ କାଳ ବୈଶାଖୀ ପ୍ରଭାବରେ ଧାନଫସଲ ନଷ୍ଟ ହେଉଛି । ଏହି ଅଞ୍ଚଳରେ ହଜାର ହଜାର ଏକର ଜମିରେ ରବି ଧାନ କରାଯାଇଛି । ଅନେକ ଧାନ ଗଛ ଗର୍ଭ ଧାରଣ କରିଥିବା ବେଳେ ଅନେକରେ କେଣ୍ଡା ଧରି ଆସିଲାଣି । କିନ୍ତୁ ପ୍ରବଳ କୁଆପଥର ମାଡ ଯୋଗୁ ଧାନ ଫସଲ ନଷ୍ଟ ହୋଇଯାଇଛି । ଆଉ ଅମଳ ହେବାର ଆଶା ନାହିଁ ବୋଲି ଚାଷୀଙ୍କ ଅଭିଯୋଗ । କେବଳ କୁଆ ପଥର ମାଡ ନୁହଁ ପ୍ରବଳ ପବନ ଯୋଗୁଁ ବିଲ ହିଡରେ ଥିବା ଗଛ ସବୁ ଭାଙ୍ଗି ଯାଇ ଧାନ ଫସଲ ଉପରେ ପଡ଼ିଛି । ଅବସ୍ଥା ଏମିତି ହୋଇଛି ଯେ ଗଛ କାଟି ବାହାରକୁ ଆଣିବା ସମ୍ଭବ ହେଉନି । କାରଣ ଗଛକୁ ଜମିରୁ ବାହାର କଲେ ଆହୁରି ଫସଲ ନଷ୍ଟ ହେବ । ଶହ ଶହ ଜମିରେ ଏମିତି ଗଛ ଭାଙ୍ଗି ପଡ଼ିଛି । ପ୍ରତିବର୍ଷ ଏପ୍ରିଲ ମେ' ମାସରେ ଝଡ ତୋଫାନ ହୋଇ ଧାନ ଫସଲ ନଷ୍ଟ ହୋଇଯାଉଛି । ଖଡ଼ିଆଳ ଅଞ୍ଚଳରେ ଚାଷୀମାନେ ବ୍ୟାଙ୍କ୍ ଋଣ କିବା ସାହୁକାର ଠାରୁ ସୁଧରେ ଟଙ୍କା ଆଣି ଧାନ ବିହନ, ସାର, ଔଷଧ କିଣିଥାନ୍ତି । ଧାନ ଅମଳ ହେଲେ ବିକ୍ରୟ କରି ଟଙ୍କା ଶୁଝିବାର ଆଶା ରଖିଥାନ୍ତି । କିନ୍ତୁ ଅଦିନିଆ ବର୍ଷା ପାଇଁ ଏବେ ଚିନ୍ତାରେ ଚାଷୀ । ସରକାରୀ ସହଯୋଗ ନ ମିଳିଲେ ଋଣ ଶୁଝି ପାରିବେନି କି ଖରିଫ ଋତୁ ପାଇଁ ବିହନ କିଣି ପାରିବେନି । ଏ ନେଇ ପ୍ରଶାସନିକ ପ୍ରତିକ୍ରିୟା ମିଳି ପାରିନି ।